ଗୁରୁତରଙ୍କ ଆରୋଗ୍ୟ ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ମୁଖ୍ୟ ଦାୟିତ୍ୱ

28

ଗୁଳିକାଣ୍ଡରେ ଆହତଙ୍କୁ ଭେଟିଲେ ଯୋଗାଣ ମନ୍ତ୍ରୀ
ବ୍ରହ୍ମପୁର,୨୧ା୬(ବୁ୍ୟରୋ): ଚିଙ୍ଗୁଡ଼ିଘେରକୁ କେନ୍ଦ୍ର କରି ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନା ସ୍ଥିତ ଅଲଣ୍ଡା ଓ ପାଟଣା ଗ୍ରାମର ବ୍ୟକ୍ତିଙ୍କ ମଧ୍ୟରେ ଶନିବାର ଦିନ ଗୁଳିକାଣ୍ଡ ଘଟିଥିଲା । ଗୁଳି ମାଡ଼ରେ ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ୮ଜଣ ବ୍ୟକ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସକାଶେ ରବିବାର ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପରିଦର୍ଶନରେ ଆସିଥିଲେ । ଚିକିତ୍ସିତ ହେଉଥିବା ସମସ୍ତ ଆହତଙ୍କୁ ମନ୍ତ୍ରୀ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ସେମାନଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ମିଳିପାରିବ ଓ ସେମାନେ ତୁରନ୍ତ ଆରୋଗ୍ୟ ଲାଭ କରିବେ ସେ ନେଇ ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ । ଗୁରୁତର ଥିବା ଅଲଣ୍ଡା ଗ୍ରାମର ବିମ୍ବାଧର ପଲାଇ (୪୫)ଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ପଠାଯିବା ସହ ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ମଧ୍ୟ ଅଧିକ ଚିକିତ୍ସା ପାଇଁ କଟକ ପଠାଇବା ପାଇଁ ମନ୍ତ୍ରୀ ଏଠାରେ କହିଥିଲେ । ଚିକିତ୍ସାଧୀନ ଥିବା ଅନ୍ୟ ଆହତମାନଙ୍କ ଅବସ୍ଥା ସ୍ଥିର ରହିଥିବା ବଡ଼ ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ । ଗୋଷ୍ଠୀ ସଂଘର୍ଷରେ ଅଲଣ୍ଡା ଗ୍ରାମର ଆହତ ମାନଙ୍କ ମଧ୍ୟରେ ରାଜକିଶୋର ପଲେଇ (୫୫), ବିଦ୍ୟାଧର ପଲେଇ (୪୪), ଭମର ତରାଇ (୫୩), ମନୋଜ ସାହୁ (୨୫), ଧନୁ ସାହୁ (୫୫), ସୁଦର୍ଶନ ପଲେଇ (୫୦), ବିଦ୍ୟା ପଲେଇ (୪୦), ମୁକୁ ସାହୁ ପ୍ରମୁଖ ରହିଥିଲେ । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ଯେ, ପ୍ରଥମେ ଆହତ ଓ ଗୁରୁତର ମାନଙ୍କ ଚିକିତ୍ସା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଘଟଣା ପଛରେ ଯାହା ବି ରହିଛି ସେଥିନେଇ ପୁଲିସ ତଦନ୍ତ ଚଳାଇ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରଥମେ ଏହି ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେହିପରି ଖାଉଟି ଅଦାଲତ ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏବଂ ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହି ଖାଉଟି ଅଦାଲତ ଖୋଲାଯିବା ପାଇଁ ଯୋଜନା ରହିଛି । ସେହିପରି ପିଡ଼ିଏସ୍ ଗହମ ଦୁର୍ନୀତି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଅସାଧୁ ମିଲର୍ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଏପରି ଅସାଧୁ କାର୍ଯ୍ୟରେ ଯୋଗାଣ ବିଭାଗର କୌଣସି କର୍ମଚାରୀ ସଂପୃକ୍ତ ରହିଥାନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇଆଇଏମ୍ ପ୍ରତିଷ୍ଠା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ଓଡ଼ିଶାରେ ଏହା ପ୍ରତିଷ୍ଠା ନିହାତି ଆବଶ୍ୟକତା ରହିଛି । ଯେକୌଣସି ମତେ ଏହା କାର୍ଯ୍ୟକ୍ଷମ ହେବା ଜରୁରୀ । ଏଥିସହ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁୁରରେ ଶିକ୍ଷାର ବିକାଶ ନିମନ୍ତେ ସ୍ୱତନ୍ତ୍ର ଗୋଟିଏ ଅନୁଷ୍ଠାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଦୁର୍ନୀତିର ମୂଳୋପିାଟନ ପାଇଁ ଲୋକ ପ୍ରତିନିଧି ଓ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଗଣମାଧ୍ୟମ ସଦାସର୍ବଦା ଉଦ୍ୟମ ଜାରି ରଖୁ ବୋଲି ଏଠାରେ ପ୍ରକାଶ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ଡା. ରମେଶଚନ୍ଦ୍ରଚ୍ୟାଉ ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ସୁବାସ ମହାରଣା, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି କୈଳାଶ ରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ମହାନଗର ସଭାପତି ବିଜୟ ସାମଲ, ଯୁବ ବିଜେଡ଼ି ସଭାପତି ରଜନ ପଲେଇ, ଛାତ୍ର ବିଜେଡ଼ି ରାଜ୍ୟ ଉପସଭାପତି ଧନଞ୍ଜୟ ରାଓ, ଯୁବନେତା ମୁକୁନ୍ଦ ଗୌଡ଼, ଭୀମ ଦଳେଇ, ଚନ୍ଦ୍ରମୋହନ ସାହୁ ଓ ସୁରେନ୍ଦ୍ର ମହାରଣାଙ୍କ ସମେତ ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ ।




Powered by odothemes.com