ନିଜସ୍ୱ ପାଣ୍ଠିରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’

256

ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ବୁ୍ୟରୋ): ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡ଼ିଶା ସରକାରଙ୍କ ନିଜସ୍ୱ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ । କେତେକ ଗଣମାଧ୍ୟମରେ ଧାରଣା ସୃଷ୍ଟି ହୋଇଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାରଙ୍କ ସହାୟତା ରହିଛି । ଏପରି ଧାରଣା ଠିକ୍ ନୁହେଁ । ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦେ୍ଦଶ୍ୟରେ ବିଶେଷ କରି ରାଜ୍ୟରେ ଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ।
ଗତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି । ପ୍ରଥମଟିରେ ରାଜ୍ୟରେ ଥିବା ୭୦ ଲକ୍ଷ ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ନିମନ୍ତେ ବାର୍ଷିକ ୭ ଲକ୍ଷ ଓ ପୁରୁଷଙ୍କ ନିମନ୍ତେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ଯୋଗାଇ ଦିଆଯିବ । ଚଳିତ ଆର୍ଥିକବର୍ଷରେ ଏଥିପାଇଁ ରାଜ୍ୟ ସରକାର ୨୯୦ କୋଟି ଟଙ୍କା ବ୍ୟୟ କରିବେ । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାଜ୍ୟରେ ରହିଥିବା ସବୁ ସ୍ୱାସ୍ଥ୍ୟାନୁଷ୍ଠାନରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବ । ଏଥିରେ କୌଣସି ବ୍ୟକ୍ତିଙ୍କ ଆୟ, ସ୍ଥିତି କିମ୍ବା ବାସସ୍ଥାନ ବାଧକ ହେବ ନାହିଁ । ରାଜ୍ୟ ସରକାର ଏ ବାବଦରେ ଚଳିତ ଆର୍ଥିକ ବର୍ଷରେ ୭୧୩.୫୨ କୋଟି ଟଙ୍କା ବ୍ୟୟ କରିବେ । ସୁତରାଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ୍ ୧୦୦୩.୫୨ କୋଟି ଟଙ୍କା ବ୍ୟୟ ହେବ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ବେଳେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାତୀୟ ସ୍ୱାସ୍ଥ୍ୟ ମିଶନ ବାବଦରେ ଉଲ୍ଲେଖ କରିଥିଲେ । ଦେଶରେ ବିଭିନ୍ନ ଜନସ୍ୱାସ୍ଥ୍ୟ ଯୋଜନାର ରୂପାୟନ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି ଏବଂ ଏହା ଆରମ୍ଭ ହେବା ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ମିଶନ ଅଧିନସ୍ଥ ଯୋଜନାଗୁଡିକୁ ସହାୟତା ଦିଆଯାଉଥିବା ବେଳେ ସେ ବାବଦରେ ଓଡ଼ିଶାକୁ ପ୍ରାୟ ୭୮୫ କୋଟି ଟଙ୍କା ମିଳିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ଓଡ଼ିଶା ସରକାରଙ୍କ ନିଜସ୍ୱ ପାଣ୍ଠିରେ ପରିଚାଳିତ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com