ଅଙ୍ଗନୱାଡିରେ ଦିଆଯାଉନି ପୋଷାକ

29

ଦାୟିତ୍ୱହୀନତାର ନମୁନା
ନିଶ୍ଚିନ୍ତକୋଇଲି(ଆପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଦାୟିତ୍ୱହୀନତା ପଦାରେ ପଡ଼ିଛି । ବ୍ଲକ ଅଞ୍ଚଳରେ ଥିବା ଅଙ୍ଗନୱାଡି ଶିଶୁଙ୍କୁ ପୋଷାକ ଯୋଗାଇ ଦେବା ଲାଗି ସରକାର ଅନୁଦାନ ଯୋଗାଇ ଦେଇଛନ୍ତି । ମାତ୍ର ବ୍ଲକ ପ୍ରଶାସନ ଓ ଜାତୀୟକରଣ ବ୍ୟାଙ୍କ ମଧ୍ୟରେ ସମନ୍ୱୟର ଅଭାବ ହେତୁ କୋମଳମତି ଶିଶୁଙ୍କୁ ପୋଷାକ ବଣ୍ଟନ କରାଯାଇପାରୁନି । ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୫୯ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକରେ ୩ ବର୍ଷ ରୁ ୫ ବର୍ଷ ମଧ୍ୟରେ ୪୦୯୨ ଜଣ ଶିଶୁ ରହିଛନ୍ତି । ଶିଶୁଙ୍କୁ ଦୁଇ ହଳ ଲେଖାଏ ପୋଷାକ ଯୋଗାଇଦେବା ପାଇଁ ହଳ ପିଛା ୧୦୦ ଟଙ୍କା ହିସାବରେ ମୋଟ ୮ ଲକ୍ଷ ୮୨ ହଜାର ୪ ଶହ ଟଙ୍କା ସାଲେପୁର ୟୁକୋ ବ୍ୟାଙ୍କ ଶାଖାରୁ ଅଙ୍ଗନୱାଡି କର୍ମୀଙ୍କ ଆକାଉଣ୍ଟକୁ ଜୁଲାଇ ୨୧ ତାରିଖରୁ ପଠାଯାଇଛି ବୋଲି ସଫେଇ ଦିଆଯାଇଛି । ହେଲେ ଏକ ମାସରୁ ଊଦ୍ଧ୍ୱର୍ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ବହୁ କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନଥିବା ଅଭିଯୋଗ ହୋଇଛି । ଫଳରେ ପୋଷାକ ବଣ୍ଟନରେ ସମସ୍ୟା ଉପୁଜିଛି । ଅଦ୍ୟାବଧି ହାତ ଗଣତି କେତେକ କେନ୍ଦ୍ରରେ ଶିଶୁଙ୍କୁ ଅଙ୍ଗନୱାଡି କର୍ମୀ ନିଜ ହାତରୁ ଦେଇ କିମ୍ବା ଧାର କରଜ କରି ପୋଷାକ ବଣ୍ଟନ କରିଥିବା ଜଣାଯାଇଛି । ତେବେ ପୋଷାକଗୁଡିକ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ସୁପରଭାଇଜରମାନେ କେନ୍ଦ୍ର ପରିଦର୍ଶନ ନକରିବା ଏବଂ ବଣ୍ଟନ କରାଯାଉଥିବା ପୋଷାକର ମାନ ଯାଞ୍ଚ ନକରିବାରୁ ନିମ୍ନମାନର ପୋଷାକ ବଣ୍ଟନ କରାଯାଉଛି । ଏସମ୍ପର୍କରେ ସିଡିିିପିଓ ଲୀଳାବତୀ ସେଠୀଙ୍କୁ ପଚାରିବାରୁ ସାଲେପୁର ୟୁକୋ ବ୍ୟାଙ୍କର ଭୁଲ ପାଇଁ ବହୁ ଅଙ୍ଗନୱାଡି କର୍ମୀଙ୍କ ଜମାଖାତାକୁ ଟଙ୍କା ଯାଇନାହିଁ । କେତେକ ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ପୋଷାକ ବଣ୍ଟନ କରୁଛନ୍ତି । ନିମ୍ନମାନର ପୋଷାକ ବଣ୍ଟନ ସଂକ୍ରାନ୍ତରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।




Powered by odothemes.com