IMG-20180830-WA0021

ପୁନର୍ବାସ ଓ ଥଇଥାନକୁ ଗୁରୁତ୍ୱ

121

୧୮୩୩.୯୨୭ ଏକର ଜମି ଅଧିଗ୍ରହଣ
ଢେଙ୍କାନାଳ,୩୦ା୮(ଆପ୍ର): କାମାକ୍ଷାନଗର ତହସିଲ ଅନ୍ତର୍ଗତ ଅନ୍ନପୂର୍ଣ୍ଣାପୁର, ଖମାର(ଖ), କୁସୁମଯୋଡ଼ି, କଣ୍ଟାପାଳ, ଆଲୁଅଝରଣ, କାଟେଣୀ, ଅଁଳାବେରେଣୀ ଓ ଧୋବାବାହାଳୀ ଗ୍ରାମରେ ୮ଶହ ମେଗାୱାଟ ବିଶିଷ୍ଟ ସୁପର କି୍ରଟିକାଲ ଜ୍ଞାନ କୌଶଳରେ ଆଧାରିତ କୋଇଲା ଭିତ୍ତିକ ତାପଜ ବିଦୁ୍ୟତ୍ ପ୍ରକଳ୍ପ ପ୍ରାୟ ୧୮୩୩.୯୨୭ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଗୁରୁବାର ଅପରାହ୍ଣରେ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଉତ୍ତର-କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡିଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ତାପଜ ବିଦୁ୍ୟତ୍ ନିଗମ ଲିମିଟେଡର ପାରିପାଶ୍ୱିର୍କ ଉନ୍ନୟନ କମିିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁନର୍ବାସ ଓ ଥଇଥାନ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ କାର୍ଯ୍ୟ ଶେଷସୀମାରେ ପହଞ୍ଚିଥିବା ବେଳେ ଶତକଡ଼ା ୮୬ଭାଗ ବେସରକାରୀ ଭୂମିପାଇଁ କ୍ଷତିପୂରଣ ଟଙ୍କା ଦିଆଯାଇଥିବା ବେଳେ ପ୍ରକଳ୍ପ ନିମନ୍ତେ ୭ଟି ରାଜସ୍ୱ ଗ୍ରାମର ସମସ୍ତ ଜମି ଓଟିପିସିଏଲ୍କୁ ହସ୍ତାନ୍ତର କରାଯାଇଛି ।
ଆସନ୍ତା ୩ମାସ ମଧ୍ୟରେ ପୁନର୍ବାସ ଓ ଆନୁସଙ୍ଗିକ ଯନ୍ତ୍ରପାତି କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଅଁଳାବେରେଣୀ ଗ୍ରାମ ଠାରେ ଓଟିପିସିଏଲର ମୁଖ୍ୟ ଫାଟକ କରାଯିବା ଉପରେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନୁଗୁଳ-ଢେଙ୍କାନାଳ ଲୋକସଭା ସାଂସଦ ତଥାଗତ ସତପଥୀ ଯୋଗଦେଇ ଥଇଥାନ ଉପରେ ଗୁରୁତ୍ୱ ଦେବାସହ କ୍ଷତିଗ୍ରସ୍ତ ପ୍ରଜାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଉପରେ କହିଥିଲେ । ଏହି ପ୍ରକଳ୍ପ ଅଞ୍ଚଳର ଅନ୍ନପୂର୍ଣ୍ଣାପୁର (ଖ)ରେ ଥିବା ପଡ଼ାଗ୍ରା ମରିଚାକଣ ଓ ନୂଆଗାଁ ବିଲର ୧୩୩ଟି ପରିବାର ବିସ୍ଥାପିତ ହୋଇଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପର ମୁଖ୍ୟ କାରଖାନା ଉକ୍ତ ସ୍ଥାନରେ ନିର୍ମାଣ କରାଯାଉଛି । ରାଜ୍ୟ ସରକାରଙ୍କର ପୁନର୍ବାସ ଓ ପୁନଃ ଥଇଥାନ ନୀତି ୨୦୦୬ ଅନୁଯାୟୀ ପ୍ରତ୍ୟେକ ମୂଳ ପରିବାରର ଜଣକୁ ନିଯୁକ୍ତି ଦିଆଯିବ । ଉକ୍ତ ପରିବାରର ଜଣଙ୍କୁ ଏକ ବର୍ଷ ପାଇଁ ଭୁବନେଶ୍ୱରସ୍ଥ ସେଣ୍ଟ୍ରାଲ ଟୁଲରୁମ୍ ଏଣ୍ଡ ଟ୍ରେନିଂ ଇନିଷ୍ଟିଚୁ୍ୟଟରେ ତାଲିମ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ଏଲ୍ଏ ଆର ଆଣ୍ଡ ଆର ଆକ୍ଟ ୨୦୧୩ର ଦ୍ୱିତୀୟ ତାଲିକା ଅନୁଯାୟୀ ପୁନଃ ଥଇଥାନ ପାଇଁ ଏକ କାଳୀନ ୫୦ହଜାର ଟଙ୍କା ବୃତ୍ତି ଆକାରରେ ଦିଆଯିବ । ପ୍ରତ୍ୟେକ ବିସ୍ଥାପିତ ପରିବାର ସଦସ୍ୟଙ୍କ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ ରାଜ୍ୟ ସରକାରଙ୍କ ଆର ଆଣ୍ଡ ଆର ପଲିସି ୨୦୦୬ ଅନୁଯାୟୀ ପ୍ରକଳ୍ପ ଅଧିକାରୀ ପ୍ରକଳ୍ପ ଖର୍ଚ୍ଚରୁ ଏକ ଯୋଗ୍ୟସ୍ଥାନରେ ଦୋକାନ ଗୃହ ଓ ସେବାକେନ୍ଦ୍ର ନିର୍ମାଣ କରି ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାୟୀ ଯୋଗାଇଦେବେ । ଏହି କ୍ଷେତ୍ରରେ ଶରିରୀକ ଅକ୍ଷମ, ଆଦିବାସୀ, ହରିଜନଙ୍କୁ ଅଗ୍ରାଧିକାର ଦିଆଯିବ । ବୈଠକରେ ମରିଚାକଣ ଓ ନୂଆଗାଁ ବିଲ ଗ୍ରାମର କେତେକ ପରିବାର ପୁନଃ ଥଇଥାନ କଲୋନୀରେ ଘର ବଦଳରେ ଅନ୍ୟ ସ୍ଥାନରେ ରହିବା ପାଇଁ ଅର୍ଥ ଦାବି କରୁଥିବାର ବିଚାରଧିନ ରହିଛି ବୋଲି ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଥିଲେ । ଉକ୍ତ ସ୍ଥାନରେ ନମୁନା ଘରର ମୂଲ୍ୟ ୧୨.୭୩ ଲକ୍ଷ ରହିଥିବା ବେଳେ ଗୃହ ନିର୍ମାଣ ସମୟରେ ଏହାର ମୂଲ୍ୟ ପରିବର୍ତ୍ତନ କରାଯାଇପାରିବ ବୋଲି ପ୍ରକାଶ ପାଇଛି । ଏହି ବୈଠକରେ ପୁନର୍ବାସ ଓ ଥଇଥାନ ବାବଦରେ ୫ କୋଟି ୫ ଲକ୍ଷ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସଂଶୋଧନ ପରବର୍ତ୍ତୀ ସମୟରେ କରାଯିବାର ରହିଛି ବୋଲି ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଥିଲେ । ବୈଠକରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସ୍ପି ସନ୍ତୋଷ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ, କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସରୋଜ କୁମାର ସ୍ୱାଇଁଙ୍କ ସମେତ ଓଟିପିସିଏଲର କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com