NAMA-FALOKA-RE-SIMITA-,-JHUMPURA-(1)

ନାମ ଫଳକରେ ସୀମିତ ରାଣୀପୁର ପ୍ରଧାନମନ୍ତ୍ରୀ ରାସ୍ତା: ଲକ୍ଷାଧିକ ଟଙ୍କା ଚଳୁ!

76

ଝୁମ୍ପୁରା,୩୦ା୮(ଆପ୍ର): ଗାଁ ର ବିକାଶ ହେଲେ ଦେଶର ବିକାଶ ବୋଲି ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନକୁ ସୁଗମ କରିବାକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଏବଂ ମୁଖ୍ୟ ମନ୍ତ୍ରୀ ଗ୍ରାମ ସଡକ ଯୋଜନା କରାଯାଇଛି । ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା କାରଣରୁ ଅଧିକାଂଶ ସମୟରେ ଏହା କେବଳ ନାମ ଫଳକରେ ସୀମିତ ରହିଯାଉଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ପଞ୍ଚାୟତର ରାଣୀପୁର ଗାଁକୁ ଗମନା ଗମନ ସୁବିଧା ଏବଂ ଗାଁର ଦୁଇ ସାହି ମଧ୍ୟରେ ସଂଯୋଗୀକରଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା-(୨)ରୁ ବ୍ୟୟ ବରାଦ କରି ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ରାସ୍ତା ଏହାର ଜ୍ୱଳନ୍ତ ଉଦାହରଣ ।
ଖବରରୁ ପ୍ରକାଶ ଯେ, ୪ଶହରୁ ଊଦ୍ଧ୍ୱର୍ଲୋକ ରାଣୀପୁର ଗ୍ରାମରେ ରହୁଥିବା ବେଳେ ମାଟି ରାସ୍ତା କାରଣରୁ ଗାଁରୁ ମୁଖ୍ୟ ରାସ୍ତାକୁ ଯିବା ଆସିବା ପାଇଁ ବର୍ଷା ଦିନେ ପାଣି କାଦୁଅରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତା ନଥିବାରୁ ଏଠାରେ ରହିଥିବା ପୁରୁଣା ସାହି ଏବଂ ନୂଆ ସାହି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଉଥିଲା । ଗାଁକୁ ୪ ଚକିଆ ଗାଡି ଖଣ୍ଡେ ଯାଇପାରୁ ନଥିଲା । ଫଳରେ ଗର୍ଭବତୀ, ପ୍ରସୂତୀ ମା’ ଓ ରୋଗୀଙ୍କୁ ବହୁ କଷ୍ଟରେ ମୁଖ୍ୟରାସ୍ତା ନିକଟକୁ ବୋହିଆଣି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଉଥିଲା । ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ପ୍ୟାକେଜ ନଂ ଓ.ଆର.୧୭.ଏଡି.ବି.-୪୨/ଟି୩ ଅନୁଯାୟୀ ୧କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ପିଏସ୍ ମୁଖ୍ୟ ରାସ୍ତା ଠାରୁ ରାଣୀପୁର ପୁରୁଣାସାହି ଏବଂ ନୂଆସାହି ପର୍ଯ୍ୟନ୍ତ ୩.୧କିମି ରାସ୍ତାର ନିର୍ମାଣ କାର୍ଯ୍ୟ ୧୭ଜୁନ୍୨୦୧୫ରେ ଆରମ୍ଭ କରାଯାଇଥିଲା । ନିର୍ମାଣ ଅବଧିର ଶେଷ ତାରିଖ ରହିଥିଲା ୧୬ଜୁନ୍୨୦୧୬ । ଯୋଜନାନୁଯାୟୀ ମୋଟ ୩.୧ କି.ମି ରାସ୍ତାର ୫ ଶହ ମିଟର ରାସ୍ତା କଂକ୍ରିଟ ଏବଂ ୨.୬ କି.ମି ରାସ୍ତା ପିଚୁ ହେବ ସହ ମୋଟ ୧୦ଟି କଲଭର୍ଟ ନିର୍ମାଣ କରାଯିବା କଥା । ହେଲେ ନିର୍ମାଣ ଅବଧି ସରିବାର ଦୀର୍ଘ ୨ବର୍ଷରୁ ଅଧିକ ବିତିଯାଇଥିଲେ ବି ଅଦ୍ୟାବଧି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । କେବଳ କଂକ୍ରିଟ କାମ ଏବଂ ଅଳ୍ପ କିଛି ରାସ୍ତାରେ ମୋରମ ମେଟାଲ ପକାଇ ଠିକାଦାର କାମ ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ରାଣୀପୁର ଗ୍ରାମବାସୀ । ତେବେ ସମୁଦାୟ ରାସ୍ତାରେ ୩/୪ ଟି କଲଭର୍ଟ ନିର୍ମାଣ କରାଯାଇଛି । ବିଲ ହୁଡା ଉପରେ ସଂକୀର୍ଣ୍ଣ ରାସ୍ତାରେ ଯିବା ଆସିବା କରିବାକୁ ଅସୁବିଧା ଭୋଗୁଛନ୍ତି । ଅଧା ନିର୍ମାଣ କରି କଂକ୍ରିଟ ରାସ୍ତା ଛାଡି ଦିଆଯାଇଥିବାରୁ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନପାରି ଦାଣ୍ଡରେ ପାଣି ଜମା ହୋଇ ରହୁଛି । ଫଳରେ ୧୫ ରୁ ଅଧିକ ଲୋକଙ୍କ ଘରେ ପାଣି ପଶି ଯାଉଛି । ରାସ୍ତା ଧୋଇ ହୋଇ ମେଟାଲ ଗୁଡିକ ବାହାରି ଯାଇଥିବାରୁ ଦୁଇ ଚକିଆ ଏପରିକି ପାଦରେ ଯିବା ଆସିବା କରିବା କଷ୍ଟକର ହୋଇ ପଡିଛି । ଠିକାଦାରଙ୍କୁ ଅଭିଯୋଗ କଲେ ଓଲଟି ଧମକ ମିଳୁଥିବା କହିଛନ୍ତି ରାଣୀପୁର ଗ୍ରାମବାସୀ । କଂକ୍ରିଟ ରାସ୍ତାର ଦୁଇ ପାଶ୍ୱର୍ରେ ମାଟି ନପକାଇ ଛାଡି ଦେଇଥିବାରୁ ଘରୁ ବାହାରିବା ଆମ୍ଭ ମାନଙ୍କ ପାଇଁ କଷ୍ଟକର ହେଉଥିଲା । ବାଧ୍ୟ ହୋଇ ନିଜ ପଇସାରେ ମୋରମ ଢାଳିଲୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ରାଣୀପୁର ନୂଆସାହିର ଲୋକେ । ଏ ସମ୍ବନ୍ଧରେ ଝୁମ୍ପୁରା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡୀ ରାସ୍ତା ବିଷୟରେ ଆମ୍ଭେ ଅବଗତ ଅଛୁ, ସେପ୍ଟେମ୍ବର ସୁଦ୍ଧା ଯଦି ଠିକାସଂସ୍ଥା ରାସ୍ତା ନିର୍ମାଣ ଶେଷ ନ କରେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ କେନ୍ଦୁଝର-(୨) ଅନନ୍ତ ଗୋପାଳ ଶତପଥୀଙ୍କୁ ଫୋନ ଯୋଗାଯୋଗ କରିବାରୁ ଦେହ ଅସୁସ୍ଥତା କରାଣରୁ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା ।




Powered by odothemes.com