ବଙ୍ଗୋପସାଗରରେ ଘନଉଛି ଲଘୁଚାପ

31

ଭୁବନେଶ୍ୱର, ୨୮ା୮(ବୁ୍ୟରୋ): ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସମୁଦ୍ର ପତ୍ତନ ଠାରୁ ୪.୫ କିମି ଉଚ୍ଛରେ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଉତ୍ତର ବଙ୍ଗୋପସାଗରେ ପୁଣି ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୩୧ ତାରିଖରୁ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଏଚ୍ଆର ବିଶ୍ୱାସ କହିଛନ୍ତି । ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହେବ । ୧ତାରିଖ ଭିତରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ତିନିଦିନ ଧରି ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧ତାରିଖ ସକାଳୁ ବହୁ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିବ । ୩୧ ତାରିଖ (ଶୁକ୍ରବାର) ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ ଏବଂ ମାଲାକାନଗିରିରେ ସ୍ଥାନେ ଦୁଇସ୍ଥାନେ ପ୍ରବଳ ବର୍ଷିବ । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୩୫ ମିମି, ଝାରସୁଗୁଡ଼ାରେ ୩୦ ମିମି, କୋରାପୁଟରେ ୧୮.୯ ମିମି, ବାରିପଦା ଓ ସୁନ୍ଦରଗଡ଼ରେ ୧୬ ମିମି, ପୁରୀ ଓ ମାଲକାନଗିରିରେ ୧୧ ମିମି ବର୍ଷା ହୋଇଛି । ସେହିଭଳି ମଙ୍ଗଳବାର ସକାଳ ୮.୩୦ରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ କଟକରେ ୧୩ ମିମି, ଅନୁଗୁଳରେ ୫ ମିମି, କୋରପୁଟରେ ୩ ମିମି ଓ ଭୁବନେଶ୍ୱରରେ ୦.୯ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com