indoor-stadium-thare-biju-juba-bahini-pakhyaru--MU-HERO-..

ଓଡ଼ିଶା ବୀରମାଟି

35

ଘରେଘରେ ଗୋପବନ୍ଧୁ, ମଧୁବାବୁ, ବିଜୁବାବୁ ଓ ଧର୍ମପଦ ଅଛନ୍ତି
କଟକ,୨୭ା୮(ବୁ୍ୟରୋ): ଓଡିଶାର ପ୍ରତି ଗାଁ, ସହର ଓ ଘରେ ଗୋପବନ୍ଧୁ, ମଧୁବାବୁ, ବିଜୁବାବୁ ଓ ଧର୍ମପଦ ଅଛନ୍ତି । ଓଡିଶା ହେଉଛି ବୀର ମାଟି । ଏ ମାଟିର ସନ୍ତାନମାନେ ଓଡିଆ ସ୍ୱାଭିମାନ ଓ ଗୋ÷÷ରବ ପାଇଁ ସର୍ବଦା ସଂଗ୍ରାମ କରିଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଅପରାହ୍ଣରେ ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ଶ୍ରୀ ପଟ୍ଟନାୟକ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ମୁଁ ହିରୋ-ମୁଁ ଓଡିଶା’ ଅଭିଯାନର ଆରମ୍ଭ କରି ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭ କରାଯାଇଥିବା ‘ମୁଁ ହିରୋ-ମୁଁ ଓଡିଶା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଓ ସ୍ୱୀକୃତି ଦେବା ଉଚିତ । ସେ ଡାକ୍ତର ହୁଅନ୍ତୁ ବା ସାଧାରଣ ଚାଷୀ, ସମାଜ ପ୍ରତି ଏମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଆମର ଲକ୍ଷ୍ୟ । ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ କାମ କରିଥାଏ । ସେମାନେ ସମାଜର ପ୍ରକୃତ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ମହମ୍ମଦ ଜାଫର ଇକବାଲ, ମୁନି ଟିଗା, ନୀଳମାଧବ ବେହେରା, ସ୍ୱର୍ଣ୍ଣଲତା ଦଳାଇ, ମମତା ଦଳାଇ ଓ ଝିଲି ଦଳବେହେରା ଆଦି ୬ ଜଣ ପ୍ରତିଭାଙ୍କୁ ସେ ସମ୍ମାନିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ବାହିନୀର ୱେବସାଇଟ www.bijuyuvavahini.com ଓ ‘ମୁଁ ହିରୋ’ ଭ୍ରାମ୍ୟମାଣ ଗାଡିର ଆରମ୍ଭ କରିଥିଲେ । ବିଜୁ ଯୁବ ବାହିନୀର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନେକ ଯୁବ ପ୍ରତିଭାଙ୍କୁ ସୃଷ୍ଟି କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବକଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଭା ଖୋଜିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ହିରୋ ବ୍ୟାଚ୍ ପ୍ରଦାନ କରିଥିଲେ । ଏହା ସହ ମୁଁ ହିରୋ ସ୍ୱାକ୍ଷର ସଙ୍ଗୀତର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ କୁମାର ତ୍ରିପାଠୀ, ପ୍ରମୋଦ କୁମାର ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ସାଂସଦ ଅନୁଭବ ମହାନ୍ତି, ନରେନ୍ଦ୍ର କୁମାର ସ୍ୱାଇଁ, ମେୟର ମିନାକ୍ଷୀ ବେହେରା, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ପୂର୍ବତନ ସାଂସଦ ଦିଲିପ ତିର୍କୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫ ହଜାରରୁ ଅଧିକ ‘ବିଜୁ ଯୁବ ବାହିନୀ’ର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ବିଶାଳ କୁମାର ଦେବ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ଯୁବ କଲ୍ୟାଣ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com