ଭଦ୍ରେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବ କେବେ?

27

ମାହାଙ୍ଗା, ୧୯ା୬(ଆପ୍ର): ମାହାଙ୍ଗା ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଭଦ୍ରେଶ୍ୱର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲୁଥିବା ଅଭିଯୋଗ ହୋଇଛି । ମାହାଙ୍ଗା ବ୍ଲକର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୧୯୭୭ରେ କୁରୁଜଙ୍ଗା, ଗୋପାଳପୁର, ଭଦ୍ରେଶ୍ୱର, ନାହାଙ୍ଗ, ଗୋତରା, ଉମର ଓ ହଳଦିଆ ପଞ୍ଚାୟତର ମଧ୍ୟସ୍ଥଳୀ ଭଦ୍ରେଶ୍ୱରଠାରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ସ୍ଥାପନ ପରଠାରୁ ଏହା ଭଡ଼ା ଘରେ ଚାଲୁଥିଲା ବେଳେ ୧୯୯୮ରେ ତକ୍ରାଳୀନ ବିଧାୟକଙ୍କ ଦ୍ୱାରା ନୂତନ ଗୃହ ଉଦ୍ଘାଟିତ ହୋଇ ଡାକ୍ତରଖାନାଟି ଚାଲୁଛି । ଏହି ଡାକ୍ତରଖାନା ଅଧିନରେ ୬ଟି ଏଏନ୍ଏମ୍ କେନ୍ଦ୍ର ଥିବା ବେଳେ ଏହା ଉପରେ ମାହାଙ୍ଗାର ବିଭିନ୍ନ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ନିର୍ଭର କରୁଛନ୍ତି । ଏଥିସହ ଡେରାବିଶ ବ୍ଲକ୍ର କେତେକ ପଞ୍ଚାୟତର ଜନସାଧାରଣ ମଧ୍ୟ ସ୍ୱାସ୍ଥ୍ୟସେବା ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଠାକୁ ସପ୍ତାହରେ ତିନିଦିନ ଡାକ୍ତର ଆସିଥାନ୍ତି । ଅନ୍ୟ ଦିନ ମାନଙ୍କରେ କମ୍ପାଉଣ୍ଡର ହିଁ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ପୂର୍ବରୁ ଏଠାରେ ୪ଟି ଶଯ୍ୟା ଥିଲା ବେଳେ ଏବେ ଜରୁରୀ ଚିକିତ୍ସା ପାଇଁ ୪ଟି ବଦଳରେ ଗୋଟିଏ ମାତ୍ର ଶଯ୍ୟା ରହିଛି । ଏଠାରେ କୌଣସି ମହିଳା ସହାୟିକା କିମ୍ବା ନର୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ମହିଳା ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ସୁବିଧା ଦିଆଯାଇପାରୁନାହିଁ । ୨୦୦୪ରୁ ଏକ ଦୁଇ ମହଲା କୋଠାଘର ନିର୍ମିତ ହୋଇଥିଲେ ମଧ୍ୟ ତାହା ଡାକ୍ତରଖାନାକୁ ହସ୍ତାନ୍ତର ନ ହୋଇ ଅଦରକାରୀ ଭାବେ ପଡିରହିଛି । ଡାକ୍ତରଖାନା ପରିସରରେ ଥିବା କର୍ମଚାରୀ ମାନଙ୍କ କ୍ୱାଟର୍ସ ଗୁଡିକ ଭୂତକୋଠି ହୋଇଗଲାଣି । ବର୍ତ୍ତମାନ ସରକାରଙ୍କର ତରଫରୁ ଦୁଇଟି ନୂଆ କ୍ୱାଟର୍ ନିର୍ମାଣ କରାଯାଇଛି । ସେଠାରେ ଡାକ୍ତର ଓ କର୍ମଚାରୀ କେହି ରହୁନଥିଲା ବେଳେ ଏତେ ସଂଖ୍ୟକ ଘର ନିର୍ମାଣ କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ଡାକ୍ତରଖାନା ଏ ଅଞ୍ଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିଲେ ମଧ୍ୟ ଏହାର ସମସ୍ୟା ସମ୍ପର୍କରେ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା ଜଣାପଡ଼ିଛି । ଏଠାରେ ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ବିଭିନ୍ନ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ପାଇଁ ସ୍ଥାନୀୟ ଜନତା ଚେତାବନୀ ଦେଇଛନ୍ତି ।




Powered by odothemes.com