ଷ୍ଟେଟ୍‍ ବ୍ୟାଙ୍କ୍ରେ ଠକେଇ: ଜମା ଟଙ୍କା ଗାଏବ

20

କଟକ, ୧୯ା୬ (ବୁ୍ୟରୋ): ଦେଶର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଅଭିନବ ଠକେଇ ହୋଇଥିବା ସମ୍ପର୍କରେ ଏକ ଅଭିଯୋଗ ପୁରୀଘାଟ ଥାନାରେ ଦାଏର କରାଯାଇଛି । ଅଭିଯୋଗ ଆଧାରରେ ପୁରୀଘାଟ ଥାନାଧିକାରୀ ମାମଲା ରୁଜୁ କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଚୌଧୁରୀବଜାର ବ୍ରାଞ୍ଚର ପରିଚାଳକଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ତଳତେଲେଙ୍ଗା ବଜାର ହଜାରିଗଳିର ଆଡଭୋକେଟ ସୌମ୍ୟା ପ୍ରିୟଦର୍ଶିନୀଙ୍କ ନାମରେ ଏସବିଆଇ ମୁଖ୍ୟବ୍ରାଞ୍ଚରେ ଏସବି ୧୦୮୬୧୭୫୪୭୪୮ ନମ୍ବରର ଏକ ଜମାଖାତା ରହିଛି । ସେ ମେ ୨୮ରେ ଏସବିଆଇ ଚୌଧୁରୀବଜାର ବ୍ରାଞ୍ଚ(କୋଡ୍ ନଂ ୦୧୨୦୩୯)ର କ୍ୟାସ୍ ଡିପୋଜିଟ୍ ମେସିନ (ଆଇଡି ନଂ ଏସ୧୦ଡି୦୧୨୦୩୯୦୦୧) ରେ ୨୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜମା କରିଥିଲେ । କିନ୍ତୁ ସେଥିମଧ୍ୟରୁ ଗୋଟିଏ ୫୦୦ ଟଙ୍କିଆ ଫେରିଆସିଥିଲା । ସେ ପୁନର୍ବାର ସେହି ୫୦୦ ଟଙ୍କିଆକୁ ଜମା ଦେବାକୁ ଚେଷ୍ଟା କଲା ବେଳେ ୫୦୦ ଟଙ୍କିଆଟି ଫେରି ଆସିବା ସହ କମ୍ପୁ୍ୟଟରର ମନିଟରରେ ‘ହାର୍ଡୱେର ଏରର୍ ଏନକାଉଣ୍ଟେଡ୍’ ଓ ‘ଲାଷ୍ଟ ଟ୍ରାଞ୍ଜାକ୍ସନ କ୍ୟାନସଲଡ୍’ ଭଳି ଦୁଇଟି ମେସେଜ୍ ଦେଖାଦେଇଥିଲା । ସେ ତାଙ୍କ ଏକାଉଣ୍ଟରେ ୧୯ ହଜାର ୫୦୦ ଟଙ୍କା ଜମା ହୋଇଛି କି ନାହିଁ ଜାଣିବା ପାଇଁ ବାଲାନ୍ସ ଚେକ୍ କରିବାରୁ ସେହି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇନଥିବ ଜାଣିଥିଲେ । ଏ ସମ୍ପର୍କରେ ସେ ସେଙ୍ଗସେଙ୍ଗ ଏସବିଆଇ ଶାଖା ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଶାଖା ପରିଚାଳକ ଶିବାନନ୍ଦ ଦାସ ଓ କ୍ୟାସ୍ ଇନଚାର୍ଜ ଅଶୋକ ରାମ ଏହା ଏକ ସାଧାରଣ ସମସ୍ୟା, ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଲେ । ସେ ସେଠାରେ ଅପେକ୍ଷା କରି କ୍ୟାସ ଡିପୋଜିଟ ମେସିନ ପରୀକ୍ଷା କରିବା ଓ ଭୁଲ ସୁଧାରିବା ନିମନ୍ତେ ରହିବାକୁ ଚାହିଁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଦିନ ୧୨ଟା ପରେ ଆସିବାକୁ କହିଥିଲେ । ଦିନ ୧୨ଟା ପରେ ସେ ବ୍ୟାଙ୍କକୁ ଯିବାରୁ ଅଶୋକ ରାମ ଏବଂ ଆକାଉଣ୍ଟ ଅଫିସର ବିକେ ଲେଙ୍କା ମେସିନରେ ତାଙ୍କ କହିବା ମୁତାବକ ଡିପୋଜିଟ କରାଯାଇଥିବା ୧୯ହଜାର ୫୦୦ ଟଙ୍କା ନଥିବା ଜଣାଇଥିଲେ । ସେ ଜଣେ ଆଇନଜୀବୀ ବୋଲି ପରିଚୟ ଦେବା ପରେ ମଧ୍ୟ ସେମାନେ ତାଙ୍କ ନିବେଦନକୁ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ଯୁକ୍ତି ଅମୂଳକ ବୋଲି କହିଥିଲେ । ସେ ତାଙ୍କୁ ସିସିଟିଭି ଫୁଟେଜ୍କୁ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ ତାହାକୁ ଭୃକ୍ଷେପ କରିନଥିଲେ । ଆକାଉଣ୍ଟ ଅଫିସର ଶ୍ରୀ ଲେଙ୍କା ତାଙ୍କ ଏଟିଏମ ଚ୍ୟାନେଲ ଲିଙ୍କ ମ୍ୟାନେଜର ମନୋରଞ୍ଜନ ଦାସଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ସେ ମନୋରଞ୍ଜନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏହାକୁ ହାଲ୍କା ଭାବେ ଗ୍ରହଣ କରି ଶାଖା ପରିଚାଳକଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ସୌମ୍ୟା ପ୍ରିୟଦର୍ଶିନୀ ଏସବିଆଇ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ, କଷ୍ଟମର କେୟାର ଓ କଟକ ଏସବିଆଇ ମୁଖ୍ୟ ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିବା ସହ ନୂଆଦିଲ୍ଲୀରେ ମଧ୍ୟ ଅଭିଯୋଗ(ସିଏସ ୧୨୦୩୯୧୮୫୩୧୯୩୮)ରେ ଦାଖଲ କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ କୈାଣସି ସହଯୋଗ ନ ପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com