MAHILA-BJD-RAJYA-KARJYAKARENI-BAITHAK-O-KARMA-SALA-(61)

ଯୋଜନାର ସଫଳତା ଘରେ ଘରେ ପହଞ୍ଚାଅ

21

ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ
ଭୁବନେଶ୍ୱର(ବୁ୍ୟରୋ): ମହିଳାମାନେ ହେଉଛନ୍ତି ବିଜୁ ଜନତା ଦଳର ଗୋଟିଏ ଗୋଟିଏ ସ୍ତମ୍ଭ । ଓଡ଼ିଶାର ଘରେ ଘରେ ମହିଳା ହିଁ ବିଜେଡିର ଆଦର୍ଶ ଓ କାର୍ଯ୍ୟକ୍ରମକୁ ପହଞ୍ଚାଇ ଦଳକୁ ଶକ୍ତିଶାଳୀ କରିଛନ୍ତି । ଆଗାମୀ ଦିନରେ ବିଭିନ୍ନ ଯୋଜନାର ସଫଳତା ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେପ୍ଟେମ୍ବର ୨୪-୩୦ ତାରିଖ ଯାଏ ସମସ୍ତ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହିଳାମାନଙ୍କ କଲ୍ୟାଣ ଓ ବିକାଶ ସବୁ କ୍ଷେତ୍ରରେ ଆମ ଦଳ ହିଁ ଆଗରେ ରହିଛି । ମହିଳାଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ମିଶନଶକ୍ତି ମା’ମାନଙ୍କୁ ୧% ସୁଧରେ ଋଣ ହେଉ ବା ମମତା ଯୋଜନା, ଏସବୁ କାର୍ଯ୍ୟକ୍ରମ ମହିଳାଙ୍କ ଭିତରେ ଏକ ନିରବ ବିପ୍ଳବ ଆଣିପାରିଛି । ଚଳିତ ମାସ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି । ଏଥିସହ ମହିଳାମାନଙ୍କ ପାଇଁ ଏହି ଯୋଜନା ଆଉ ୨ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଯୋଜନାର ସଫଳତା ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ । ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ନିଜ ସ୍ତରରେ କାର୍ଯ୍ୟ ଜାରି ରଖନ୍ତୁ । ଆସନ୍ତା ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ସମାବେଶ କରାଯିବ । ଅକ୍ଟୋବର ମାସରେ ହେବାକୁ ଥିବା ଦଳର ଜନସମ୍ପର୍କ ପଦଯାତ୍ରାରେ ଗୋଟିଏ ଦିନ କେବଳ ମହିଳାଙ୍କୁ ନେଇ ‘ମହିଳା ପଦଯାତ୍ରା’ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିନିକିଆ ଅଧିବେଶନରେ ମହିଳା ବିଜେଡି ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଆଲେଚାନା କରାଯାଇଛି । ଏହି ବୈଠକରେ ୬ଟି ପ୍ରସ୍ତାବ ପାରିତ କରାଯାଇଛି । ସେଗୁଡ଼ିକ ହେଲା, ବିଜୁ ଜନତା ଦଳ ସରକାରଙ୍କ ସଫଳତାର ବାର୍ତ୍ତା, ଅର୍ଥନୈତିକ ସ୍ୱାବଲମ୍ବନଶୀଳତା, କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କୁ ଅଗ୍ରାଧିକାର, ରାଜନୈତିକ ସଶକ୍ତିକରଣ, ସାଂଗଠନିକ ଦୃଢ଼ୀକରଣ ଓ ମହାନଦୀ ବଞ୍ଚାଅ ଆନେ୍ଦାଳନ । ସର୍ବସମ୍ମତିକ୍ରମେ ସମସ୍ତ ପ୍ରସ୍ତାବଗୁଡିକ କାର୍ଯ୍ୟକାରିଣୀରେ ଗୃହୀତ ହୋଇଛି । ରାଜ୍ୟର ମହିଳାଙ୍କ ପାଇଁ ବିଜେଡି ସରକାରଙ୍କ ପ୍ରତିବଦ୍ଧତା ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ମହିଳାଙ୍କ ଭୂମିକା ସମ୍ପର୍କରେ ବିଶଦ ଆଲୋଚନ ହୋଇଛି । ଏଥିସହ ଲୋକାଭିମୁଖି ଯୋଜନାଗୁଡ଼ିକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରସ୍ତାବମାନ ବୈଠକରେ ପାରିତ କରାଯାଇଛି । ବିଶେଷ କରି ମହିଳା ସଶକ୍ତିକରଣ, ମିଶନଶକ୍ତି ଆଦି ବିଷୟରେ ଆଲୋଚନା କରାଯାଇଥିବା ଶ୍ରୀମତୀ ମଲ୍ଲିକ୍ କହିଛନ୍ତି । ଏହି କର୍ମଶାଳାରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଡା. ରାଜଶ୍ରୀ ମଲ୍ଲିକ, ନନ୍ଦିନୀ ଦେବୀ, ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ଡ. ଅରୁଣ କୁମାର ସାହୁ, ବେଦପ୍ରକାଶ ଅଗ୍ରୱାଲ୍‌, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବଳଭଦ୍ର ମାଝୀ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନରେ ମହିଳା ବିଜେଡିର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ ଓ ନଗର କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗ ଦବୋ ସହିତ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ, ବିଧାୟକ, ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com