COW---2018-PHOTO-TIHIDI

ଗୋ-ଚାଲାଣ କରିଡର୍: ୧୬ ନମ୍ବର ଜାତୀୟ ରାଜପଥ

24

ଭଦ୍ରକ,୨୪ା୮(ଅଭୟ ପତି): ରାଜ୍ୟରେ ବଢ଼ିଚାଲିଛି ବେଆଇନ ଗୋ-ଚାଲାଣ । ଏହି ଚାଲାଣର କରିଡର ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ । ଗୋଚାଲାଣକୁ ନେଇ ପ୍ରତିଦିନ ବ୍ୟବସାୟୀଙ୍କ ସହ ଗୋସୁରକ୍ଷା ସଂଗଠକ ମୁହାଁମୁହିଁ ହେଉଛନ୍ତି । ଏଥିରେ ଧନ ଜୀବନ ନଷ୍ଟ ହେଉଛି । ତଥାପି ଅଟକୁନି ଗୋ ଚାଲାଣ । ୫୦ ବର୍ଷ ତଳେ ଗୋ ଚାଲାଣ ରୋକିବାକୁ କରାଯାଇଥିବା ପ୍ରିଭେନସନ୍ ଅଫ୍ କ୍ରୁଏଲଟି ଆକ୍ଟ – ୧୯୬୦ ବ୍ୟର୍ଥ ହୋଇଛି । ତେଣୁ ପ୍ରତିମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨ଲକ୍ଷ ୫୩ ହଜାରରୁ ଅଧିକ ଗୋରୁ ଚାଲାଣ ହେଉଛନ୍ତି ବୋଲି ପିପୁଲସ୍ ଫର ଆନିମଲ ରିପୋର୍ଟରୁ ଜଣାପଡିଛି ।
ଜଣାପଡିଛି ଯେ ପ୍ରତିମାସରେ ୧୦୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୋ ଚାଲାଣ ବ୍ୟବସାୟ ହେଉଛି । ଗୋଟିଏ ଗୋରୁର ବ୍ୟବସାୟୀଙ୍କୁ ମିଳୁଛି ପାଖାପାଖି ୧ ଲକ୍ଷରୁ ଅଧିକ ଲାଭ । କେନ୍ଦ୍ରାପଡା ଜିଲ୍ଲାରୁ ସିଧା ସଳଖ ୯ନଂ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଭଦ୍ରକକୁ ଆସୁଛି ଗୋରୁ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋରୁ କିଣାଯାଇ ପୁରୁଣାବଜାର ଏବଂ ବୁଧୁବାରିଆ ହାଟ ପଡିଆରେ ଗଚ୍ଛିତ ରଖାଯାଉଛି । ଏଠାରୁ ଗୋରୁ ଚାଲାଣ ହେଉଛନ୍ତି ପଶ୍ଚିମବଙ୍ଗ ଓ ବାଂଲାଦେଶକୁ । ଗୋରୁ ଚାଲାଣର ମୁଖ୍ୟ ପେଣ୍ଠସ୍ଥଳୀ ସାଜିଛି ଭଦ୍ରକ । ଏଥିପାଇଁ ୧୦୦ରୁ ଅଧିକ ଟ୍ରକ ନିୟୋଜିତ ହୋଇଛନ୍ତି । ଚାଲଣ ଗୋରୁର ଲାଭ ସମ୍ପର୍କରେ ମିଳିଥିବା ସୂଚନା ବଡ ଚାଞ୍ଚଲ୍ୟକର । ଗୋଟିଏ ଗୋରୁ କ୍ରୟ କରିବାରେ ଖର୍ଚ୍ଚ ହୋଇଥାଏ ୧୦ରୁ ୨୦ ହଜାର ଟଙ୍କା । ଏହା ପରେ କଂସେଇ ଖାନାରେ ଗୋରୁ ପହଞ୍ଚିବାକୁ ଗାଡି ଖର୍ଚ୍ଚ ସହ ପୁଲିସ ଓ ଅସାମାଜିକ ଯୁବକଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟବସାୟୀଙ୍କୁ ପାଖାପାଖି ୨୨ ହଜାର ଟଙ୍କା ଗୋଟିଏ ଗୋଟିଏ ଗୋରୁ ପାଇଁ ଖର୍ଚ୍ଚ କରିବାକୁ ପଡିଥାଏ । ଦୋଳସାହି ଗୋରୁ ହାଟରେ ଜଣେ ବ୍ୟବସାୟୀ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗୋଟିଏ ଗୋରୁର ମାଂସର ବଜାର ମୂଲ୍ୟ ୨୦ ହଜାର ଟଙ୍କା । ଏଥିସହ ମିଳିଥାଏ ୧୫୦ କିଲୋ ହାଡ । କିଲୋ ୨୦୦ ଟଙ୍କାର ବିକ୍ରି କରାଗଲେ ୩୦ ହଜାର ଟଙ୍କା । ଗୋଟିଏ ଗୋରୁର ଚମଡା ୨୦ ହଜାରରୁ ୨୮ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ । ଏଥି ସହିତ ଖୁରା ଓ ଶିଙ୍ଘର ମୂଲ୍ୟ ଏକ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ । ଲାଭକୁ ହିସାବ କଲେ ଗୋଟିଏ ଗୋରୁରୁ ପାଖାପାଖି ୧ ଲକ୍ଷ ଟଙ୍କା ଗୋରୁ ବେପାରୀଙ୍କୁ ମିଳିଥାଏ ।
ହତ୍ୟାପରେ ଗୋଟିଏ ଗାଈରୁ ମିଳିଥାଏ ଗୋଚିନା, ସାତପତରି, ନର୍ଭ ଏବଂ ଅନ୍ତ । ଯାହାର ମୂଲ୍ୟକୁ ଆକଳନ କରାଯାଇ ପାରିବ ନାହିଁ । କାରଣ ଗାଈର ଖାଦ୍ୟସ୍ଥଳିରୁ ଏହା ମିଳିଥାଏ । ଏକ ପ୍ରକାର ସାମଗ୍ରୀ ଯାହାକୁ କଂସେଇ କୁହନ୍ତି ସାତ ପତରି । ଯାହା ବିଦେଶକୁ ଚାଲାଣ ହୋଇଥାଏ । ତାହା ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇ ରୋଗର ଔଷଧ ଭାବେ ଆମ ଦେଶରେ ବହୁ ମୂଲ୍ୟରେ ବିକ୍ରି କରାଯାଇଥାଏ । ଏଥିସହ ଗାଈ ପେଟରେ ଅମୂଲମୂଲ ହୋଇ ରହିଥାଏ ଗୋଚିନା । ଏହି ଗୋଚିନା ତାନ୍ତ୍ରିକ ଓ ପୁଟୁଳି ବଣିଆ ସମେତ ବହୁ ପୂଜା ସାମଗ୍ରୀ ପାଇଁ ଅତି ଜରୁରୀ ହୋଇପଡିଛି । ଏହା ମଧ୍ୟ ବିଦେଶରେ ଚାହିଦା ରହିଛି । ମିଳୁଥିବା ଅନ୍ତ ଓ ନର୍ଭରୁ ମଣିଷ ଦେହରେ ହେଉଥିବା ଅସ୍ତ୍ରୋପଚାରରେ ସୂତା ଆକାରରେ ବ୍ୟବହାର କରାଯାଇଥାଏ । ଗୋରୁର ଏହି ସବୁ ଅଂଶର ମୂଲ୍ୟକୁ ଆକଳନ କରାଯାଇ ପାରିବ ନାହିଁ । ବିଶ୍ୱରେ ବ୍ୟବହାର ହେଉଥିବା ସାବୁନ ଚର୍ବିରୁ ପ୍ରସ୍ତୁତ ହୋଇଥାଏ । ଗୋରୁ ଚାଲାଣ ହେଉଥିବା ବେଳେ ଗୋପାଳନର ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ ରାଜ୍ୟରେ ଗୋମାତାଙ୍କ ସଂଖ୍ୟା କମୁଛି । ଗୋ ସୁରକ୍ଷା ପାଇଁ ଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ସରକାରୀ କ୍ଷେତ୍ରରେ ଉଦ୍ୟମ ହେବା ଆବଶ୍ୟକ ।
ଟିଟୋ ଲିଙ୍କ ଖୋଳତାଡ଼ ପରେ ଭଦ୍ରକ ଜିଲ୍ଲାର ପୁଲିସ ବାବୁ ଛାନିଆ: ଭଦ୍ରକ ଜିଲ୍ଲା ଗୋରୁ ଚାଲାଣର ହବ ପାଲଟିଛି । ଗୋରୁ ଚାଲାଣ ବେଳେ ଜିଲ୍ଲାର ପୁଲିସ ବାବୁମାନେ ନେଉଛନ୍ତି ବଟି । ବିଶେଷ କରି ଭଣ୍ଡାରିପୋଖରୀ ଥାନା, ଚାନ୍ଦବାଲି ଥାନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସର କର୍ମ·ରୀ ଏହି ବଟି ନେବାରେ ଅଭ୍ୟସ୍ତ ହୋଇଗଲେଣି । ଗୋରୁ ଚାଲାଣ କାରବାରରେ ଟିଟୋ ଲିଙ୍କ ଥିବା ଏସଟିଏଫ ପୁଲିସ ଧରପଗଡ କରିବା ପରେ ଭଦ୍ରକ ଜିଲ୍ଲାର ପୁଲିସ ବାବୁମାନେ ଛାନିଆ ହୋଇପଡିଲେଣି । କାରଣ ଖୋଲି ଯିବକି ସେମାନଙ୍କର ମୁଖା ।




Powered by odothemes.com