soro-24

ଦଶ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ କୋଇଲା ଜବତ

19

ସରଶଙ୍ଖ ଚୋରା କୋଇଲା ଡିପୋ ସିଲ୍
ସୋର, ୨୪ ।୮(ଆପ୍ର): ଗତକାଲି ସୋର ପୁଲିସ୍ ଦ୍ୱାରା ଦୁଇଟି ଚୋରା କୋଇଲା ବୋଝେଇ ପିକ୍ଅପ୍ ଜବତ କରାଯିବା ପରେ କୋଇଲା ଚୋରା ଚାଳାଣର ଗୁମର ଫିଟିବାରେ ଲାଗିଛି । ଗତ କିଛିଦିନ ହେଲା ଚୋରା କୋଇଲା ଚାଲାଣର ପେଣ୍ଠସ୍ଥଳୀ ପାଲଟିଥିବା ସୋରର ସରଂଶଖ ଗ୍ରାମ ନିକଟରେ ଥିବା ଏକ ପିଚୁଫ୍ୟାକ୍ଟ୍ରୀ ଓ ମହାଲକ୍ଷ୍ମୀ ଟ୍ରେଡିଙ୍ଗକୁ ଗତକାଲି ରାତିରୁ ପୁଲିସ୍ ସିଲ୍ କରିଦେବା ପରେ ଆଜି ବାରିପଦାରୁ ମାଇନିଂ ବିଭାଗ ତରଫରୁ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ପାଖପାଖି ୧୦ ଲକ୍ଷ ଟଙ୍କାର କୋଇଲାକୁ ଜବତ କରାଯାଇଛି ।
ଗତକାଲି ସୋର ଆଇଆଇସି କ୍ଷମାସାଗର ପଣ୍ଡା ଓଡି୨୨ଏମ୍୧୮୫୭ ଏବଂ ଓଡି୨୨ଏଚ୍୪୩୨୭ ପିକ୍ଅପ୍ କୋଇଲା ଚାଲାଣ କରୁଥିବା ବେଳେ ଜବତ କରିବା ପରେ ଏହାର ରହସ୍ୟ ପ୍ରକାଶ ପାଇଥିଲା । ଗତ କିଛି ବର୍ଷ ହେଲା ଭଦ୍ରକ ଧାମରା ପୋର୍ଟରୁ ଆସୁଥିବା ଅଷ୍ଟ୍ରେଲିଆ କୋଇଲା ରେଳଯୋଗେ ବାହାରକୁ ଆସୁଥିବା ବେଳେ ଏଥିରୁ କିଛି ଅଂଶ ଚୋରାରେ ଚାଲାଣ ହୋଇ ସୋରରେ ସରଶଂଖର ଏହି ଫ୍ୟାକ୍ଟ୍ରୀ ଡିପୋରେ ଗଚ୍ଛିତ ରହିବା ପରେ ସୁବିଧା ସୁଯୋଗ ଦେଖି କଲିକତା, ପୁରଲିଆ ଏବଂ ଧାନବାଦକୁ ଚାଲାଣ କରାଯାଉଥିଲା । ଆଜି ମାଇନିଂ ସିନିୟର ଅଫିସର ସୁରେନ୍ଦ୍ର ନାଥ ସଂକୋ ଏବଂ ସିନିୟର ଇନ୍ସପେକ୍ଟର କେଦାରନାଥ ରାଉତରାୟ ଏବଂ ତାଙ୍କ ଟିମ୍ ପହଞ୍ଚ ଏହି ଚୋରା ଡିପୋରେ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଛି । ଏଥିରେ ସୋର ଆଡ଼ିସନାଲ ତହସିଲଦାର ଶତ୍ରୁଘ୍ନ ସେଠୀ ଏବଂ ପୁଲିସ୍ ଏସ୍ଆଇ ମଧୁସୂଦନ ଦତ୍ତ ପ୍ରମୁଖ ସହଯୋଗ କରିଛନ୍ତି । ପ୍ରାଥମିକ ତଦନ୍ତରୁ ପ୍ରାୟ ୧୦ଲକ୍ଷ ଟଙ୍କାର କୋଇଲା ଏଠାରେ ଗଚ୍ଛିତ ଥିବା ଆକଳନ କରାଯାଇଛି । ଏହା ବ୍ୟତୀତ ଗୁଣ୍ଡ କୋଇଲା ଏଠାରେ ବିପୁଳ ପରିମାଣରେ ଥିବା ଜଣାଯାଇଛି । ସମସ୍ତ କୋଇଲାକୁ ଜବତ କରାଯାଇଛି । ପ୍ରକାଶ ଯେ ଗତ ୫ ଦିନ ତଳେ ଖନ୍ତାପଡ଼ା ଆଇଆଇସି ଶ୍ରୀବଲ୍ଲଭ ସାହୁ ସୋରରୁ କଲିକତା ଚାଲାଣ ହେଉଥିବା ଏକ କୋଇଲା ଟ୍ରକ ଜବତ କରିବା ପରେ ଏଥିରେ ସଂପୃକ୍ତ ସରଶଂଖର ଅରବିନ୍ଦ ଘୋଷଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିଲେ ।




Powered by odothemes.com