ଖଣିଜ ସମ୍ପଦ ସମୃଦ୍ଧ ୮ ଜିଲ୍ଲାରେ ବିକାଶ ପାଇଁ ୮୬୯ କୋଟି ଟଙ୍କା

35

ଭୁବନେଶ୍ୱର,୧୮ା୬(ବୁ୍ୟରୋ): ରାଜ୍ୟର ଖଣିଜ ସମ୍ପଦ ସମୃଦ୍ଧି ଆଠଗୋଟି ଜିଲ୍ଲା ଅନୁଗୁଳ, ଯାଜପୁର, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ର ସମନ୍ୱିତ ବିକାଶ ପାଇଁ ୮୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି । ୨୦୦୩ ବର୍ଷ କେନ୍ଦୁପତ୍ର ଲାଭାଂଶ ବାବଦରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ୩୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨୦୧୪ ବର୍ଷର ଲାଭାଂଶ ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଛି, ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବ । ଏହି କାର୍ଯ୍ୟକ୍ରମରେ ୨୧୬୧ଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ୨୦୧୪-୧୫ ସ୍ଥାନର ସଂରକ୍ଷଣ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୩ ବର୍ଷରେ ଏହି କାର୍ଯ୍ୟକ୍ରମ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଗୋଷ୍ଠି ସହାୟତାରେ ପତିତ ଜଙ୍ଗଲର ବିକାଶ ପାଇଁ ଆରମ୍ଭ କରାଯାଇଥିବା ଆମ ଜଙ୍ଗଲ ଯୋଜନାରେ ଅଧିକ ବନ ସୁରକ୍ଷା ସମିତିକୁ ସାମିଲ୍ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତି ବନ ସୁରକ୍ଷା ସମିତିକୁ ୫୦ ହେକ୍ଟର ଜମିର ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।
କାମ୍ପା ପାଣ୍ଠିରୁ ଓଡ଼ିଶା ୩ ହଜାରରୁ ୪ ହଜାର କୋଟି ଟଙ୍କା ପାଇବାର ହକ୍ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୦୬୮ କୋଟି ଟଙ୍କା ପାଇଛି । ତେଣୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସହିତ ଏ ବିଷୟରେ ସମନ୍ୱୟ ରକ୍ଷା କରି ଓଡ଼ିଶା ପାଇଁ ତା’ର ନ୍ୟାର୍ଯ୍ୟ ପ୍ରାପ୍ୟ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ୍ କରିବା, ସବୁଜ ଓଡ଼ିଶା ମିଶନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା, ଜଗନ୍ନାଥ ବନ ପ୍ରକଳ୍ପ, ଓଡ଼ିଶା ଜଙ୍ଗଲ କ୍ଷେତ୍ର ବିକାଶ ପ୍ରକଳ୍ପ, ବନ୍ୟଜନ୍ତୁ ସଂରକ୍ଷଣ ଓ ପାଣିପାଗ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଆଦି ଜଙ୍ଗଲ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com