telkoi-sulava-souchalya,-kjr

ପଠାଣିସାମନ୍ତ ସ୍ମୃତି ମନ୍ଦିର ଅବହେଳିତ

198

ଖଣ୍ଡପଡା(ଆପ୍ର): ବିଶ୍ୱବିଖ୍ୟାତ୍ ଜ୍ୟୋର୍ତିବିଦ୍, ଓଡ଼ିଶାର ଗର୍ବ ଓ ଗୌରବ ପଠାଣି ସାମନ୍ତ (ସାମନ୍ତ ଚନ୍ଦ୍ରଶେଖର)ଙ୍କ ସ୍ମୃତିରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ପ୍ରତିମୂର୍ତି ସ୍ଥାପନ କରାଯାଇଛି । କିନ୍ତୁ ଆନ୍ତରିକତାର ଅଭାବ ଯୋଗୁଁ ଏଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ନୟାଗଡ଼ ସମେତ ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାଠାରେ ବହୁ ପୂର୍ବରୁ ପ୍ରତିଷ୍ଠିତ ସାମନ୍ତଙ୍କ ପ୍ରତିମୂର୍ତ୍ତି, ପାଠାଗାର, ସୂର୍ଯ୍ୟଘଡ଼ି, ପଠାଣିସାମନ୍ତ ସ୍ମୃତିମନ୍ଦିର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ । ଏଥିପ୍ରତି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ନତୁବା ଲୋକ ପ୍ରତିନିଧିମାନଙ୍କର ଆନ୍ତରିକତା ନଥିବା ଭଳି ମନେହେଉଛି । ଏନେଇ ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ା ଅଂଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି ।
ସେହିଭଳି ପଠାଣିସାମନ୍ତ ଟାଉନ ହଲ୍ ନିର୍ମାଣ କେବଳ ଭିତ୍ତିପ୍ରସ୍ତର ସ୍ଥାପନରେ ସୀମିତ ଅଛି । ପଠାଣିସାମନ୍ତଙ୍କ ସ୍ମୃତିରକ୍ଷା ଉଦେ୍ଦଶ୍ୟରେ ସରକାର ଯେତିକି ଆନ୍ତରିକତା ପ୍ରକାଶ କରିବା କଥା ତାହା କରି ନାହାନ୍ତି ବୋଲି ସାମନ୍ତ ଚନ୍ଦ୍ରଶେଖର ଟ୍ରଷ୍ଟର ସଂପାଦକ ଗୌତମ ବୁଦ୍ଧ ସିଂହସାମନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏ ସଂପର୍କରେ ବାରମ୍ବାର ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସାମନ୍ତ ଚନ୍ଦ୍ରଶେଖର ଟ୍ରଷ୍ଟର ସଂପାଦକ ଶ୍ରୀ ସିଂହସାମନ୍ତ ପଠାଣି ସାମନ୍ତଙ୍କ ସ୍ମୃତିରକ୍ଷା ଉଦେ୍ଦଶ୍ୟରେ ଗଢି ଉଠିଥିବା ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।୧୯୯୩ ମସିହାରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ବି.ସତ୍ୟନାରାୟଣ ରେଡ୍ଡÿୀଙ୍କ ଦ୍ୱାରା ଖଣ୍ଡପଡ଼ା ନୂଆପୋଖରୀ ଠାରେ ପଠାଣିସାମନ୍ତଙ୍କ ସ୍ମୃତି ରକ୍ଷା ଉଦେ୍ଦଶ୍ୟରେ ଏକ ଟାଉନ ହଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଏ ନେଇ ଅନୁଦାନ ମଞ୍ଜୁର ହୋଇଥିଲା । ମାତ୍ର ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷ ଏ ବାବଦରେ ମଞ୍ଜୁର ଅନୁଦାନ ଅର୍ଥକୁ ବିଭିନ୍ନ ବାଟରେ ଖର୍ଚ୍ଚ କରିଥିବାରୁ ଟାଉନ୍ହଲ ନିର୍ମାଣ କେବଳ ସ୍ୱପ୍ନରେ ରହିଗଲା । ସେହିପରି ଖଣ୍ଡପଡ଼ା ବଜାରରେ ଅବସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ପାଠାଗାର ମଦ୍ୟପ ଓ ନିଶାଚରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି । ସାମନ୍ତଙ୍କ ସ୍ମୃତିରକ୍ଷା ନିମନ୍ତେ ସରକାର ଯେତିକି ଆନ୍ତରିକତା ପ୍ରକାଶ କରିବା କଥା ତାହା କରିନଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ସୂର୍ଯ୍ୟଘଡ଼ି ଏକ ପରିତ୍ୟକ୍ତ ସ୍ଥାନରେ ଅବହେଳିତ ଅବସ୍ଥାରେ ମୂକସାକ୍ଷୀ ରୁପେ ପଡ଼ିରହିଛି । ଖଣ୍ଡପଡ଼ା ଅଂଚଳରେ ଜନ୍ମଲାଭ କରି ସାରା ବିଶ୍ୱକୁ ଦିଗଦର୍ଶନ ଦେଇଥିବା ଏହି ମହାମନୀଷୀଙ୍କୁ ରାଜ୍ୟ ସରକାର ଯେତିକି ସମ୍ମାନ ପ୍ରଦର୍ଶନ କରିବା କଥା ତାହା କରି ନଥିବାରୁ ଖଣ୍ଡପଡ଼ା ଅଂଚଳବାସୀ କ୍ଷୋଭବ୍ୟକ୍ତ କରିଛନ୍ତି । ସାମନ୍ତ ଚନ୍ଦ୍ରଶେଖରଙ୍କ ସ୍ମୃତିରକ୍ଷା ନିମନ୍ତେ ଗଢି ଉଠିଥିବା ବିଭିନ୍ନ ଅନୁଷ୍ଠାନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com