konark

ସୂର୍ଯ୍ୟମନ୍ଦିର ଭିତରେ ପୁଣି ଜମିଲା ପାଣି

145

କୋଣାର୍କ (ଆପ୍ର): ସୂର୍ଯ୍ୟମନ୍ଦିର ଭିତରେ ପୁଣି ଜମିଲା ପାଣି । ଶୁକ୍ରବାର ୨ଘଣ୍ଟା ବର୍ଷାରେ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ଜଳାର୍ଣ୍ଣବ ହୋଇଥିଲା । ସୂର୍ଯ୍ୟମନ୍ଦିର ଭିତରେ ବର୍ଷା ପାଣି ଜମି ରହିବା ଫଳରେ ପର୍ଯ୍ୟଟକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ସକାଳ ୬ଟାରୁ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଲଗାଣ ବର୍ଷା ହେବା ଫଳରେ ମନ୍ଦିର ଭିତରେ ପାଣି ଜମି ରହିଥିଲା । ସୂର୍ଯ୍ୟମନ୍ଦିରର ଏଭଳି ଅବସ୍ଥା ଦେଖି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଲଗାଣ ବର୍ଷା ଯୋଗୁଁ ସୂର୍ଯମନ୍ଦିର ଉତ୍ତର ଦ୍ୱାର ଚାରିପାଖରେ ପ୍ରାୟ ଏକ ଫୁଟ ଉଚ୍ଚର ପାଣି ଜମି ରହିଥିଲା । ପର୍ଯ୍ୟଟକନ ପାଣିରେ ଚାଲି ଚାଲି ଓଦା ହୋଇ ମନ୍ଦିରର କାରୁକାର୍ଯ୍ୟ ଦେଖୁଥିଲେ । ପମ୍ପ ସାହାଯ୍ୟରେ ବର୍ଷା ଜଳ ନିଷ୍କାସନ କରାଯାଉଥିଲେ ମଧ୍ୟ ବର୍ଷା ଛାଡିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖାଦେଇଥିଲା । ସୂର୍ଯ୍ୟମନ୍ଦିର ଭିତରୁ ଜଳ ନିଷ୍କାସନ ପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଡ୍ରେନେଜ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ବର୍ଷା ହେଲେ ଏଭଳି ସମସ୍ୟା ଉପୁଜୁଛି । ଡ୍ରେନେଜ ଭିତରେ ଏବେ ବଜାରର ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଡ୍ରେନେଜ ବ୍ୟବସ୍ଥା ଥାଇ ମଧ୍ୟ ସୂର୍ଯ୍ୟମନ୍ଦିର ଭିତରେ ପାଣି ଜମି ରହିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ ବର୍ଷା ହେଲେ ତୁରନ୍ତ ପମ୍ପ ଲଗାଇ ଜଳ ନିଷ୍କାସନ ହୋଇଥିଲା । ସୂର୍ଯ୍ୟମନ୍ଦିରରେ ଫିଲଟର ଡ୍ରେନେଜ ବ୍ୟବସ୍ଥା ହେଲେ ବର୍ଷା ଜଳ ଜମି ରହିବ ନାହିଁ ବୋଲି କହିଥିଲେ । ସୂର୍ଯ୍ୟମନ୍ଦିରରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭିନ୍ନ ସଂଗଠନ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com