1

ତଳି ରୋଇ ପ୍ରତିବାଦ କଲା କଂଗ୍ରେସ

498

୫୩ନଂ ଜାତୀୟ ରାଜପଥ ମରାମତି ଦାବି
ଭୁବନ,୧୭ା୮(ଆପ୍ର): ଭୁବନ ଏନ୍ଏସି ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ୫୩ଟି ପ୍ରଶାସନର ଅବହେଳା ଓ ରାଜନେତାମାନଙ୍କ ଇଚ୍ଛା ଶକ୍ତିର ଅଭାବ କାରଣରୁ ଶିଶୁ ମନ୍ଦିର ଛକ ଠାରୁ ବାଜିରାଉତ୍ କଲେଜ ପର୍ଯ୍ୟନ୍ତ ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇ ଯାଇଥିବା ଦେଖାଯାଇଛି । ଦୈନିକ ଶହ ଶହ ମାଲବାହି ଗାଡ଼ି ଏହି ରାଜପଥ ଦେଇ ଯାତାୟାତ କରୁଥିବା ବେଳେ ଲଗାଣ ବର୍ଷା ପରେ ଖାଲଖମାରେ ରାସ୍ତା ସମସ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ତେବେ ଏହି ସମସ୍ୟାକୁ ନେଇ ପ୍ରଶାସନ ତଥା ସରକାରଙ୍କ ବିରୋଧରେ ଭୁବନ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜପଥ ଉପରେ ଧାନତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଥିବା ଦେଖାଯାଇଛି । ସରକାରୀ ବିରୋଧି ସ୍ଲୋଗାନ ଦେଇ ରାଜପଥର ମରାମତି ଦାବି କରାଯାଇଥିଲା । ପ୍ରକାଶଥାଉକି ଦୈନିକ ଖବରକାଗଜ ସର୍ବସାଧାରଣରେ ଦୁର୍ଘଟଣା ଅପେକ୍ଷାରେ ଜାତୀୟ ରାଜପଥ ୫୩ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବା ପରେ ଅଗଷ୍ଟ ୯ ତାରିଖରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ରାଜପଥର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ପରେ ଲଗାଣ ବର୍ଷା ଯୋଗୁଁ ପଡ଼ିଥିବା ବଜୁରି ଓ ଚିପ୍ସ ପଥର ଧୋଇ ହୋଇଯାଇ ପୂର୍ବ ଅବସ୍ଥାକୁ ଫେରି ଆସିଲା । ତେବେ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରତିବାଦ ସଭାରେ ନଗର ସଭାପତି ମନୋଜ କୁମାର ସାହୁ, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିନୋଦ ମହାରଣା, ନଗର ଉପସଭାପତି ତ୍ରିଲୋଚନ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତୁରନ୍ତ ଜାତୀୟ ରାଜପଥ ମରାମତି କରାନଗଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଜଣାଯାଇଛି ।




Powered by odothemes.com