ବର୍ଷା ଆହୁରି ୨୪ ଘଣ୍ଟା

81

ଭୁବନେଶ୍ୱର, ୧୪ା୮(ବୁ୍ୟରୋ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଧସି ଟ୍ରେନ୍ ଲାଇନ୍ ଉପରେ ପଡ଼ିଛି । ମାଟିରେ ଟ୍ରାକ୍ ପୋତି ହୋଇଯିବାରୁ କକିରିଗୁମ୍ମା ଠାରେ ରାଉରକେଲା ଏକ୍ସପ୍ରେସ୍ ଓ ହୀରାଖଣ୍ଡ ଏକ୍ସପ୍ରେସ୍ ବାଇଗୁଡ଼ଶ ନିକଟରେ ଅଟକି ରହିଥିଲା । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ଷା ଲାଗି ରହିଥିବାରୁ କାମରେ ବିଳମ୍ବ ହେଉଥିବା ଜଣାପଡ଼ିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍ ମାର୍କ(ସ୍ପଷ୍ଟ ଚିହ୍ନତା) ଲୋପ୍ରେସରରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଖୋଲାଯିବା ସହ ଓଡ୍ରାଫ ଏବଂ ଏନ୍ଡିଆର୍ଏଫ୍ର ୧୦ଟି ୟୁନିଟ୍କୁ ନିୟୋଜିତ କରାଯାଇଛି । ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ଆସନ୍ତା ୨ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ପରେଡ୍ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ବଡନଦୀଗୁଡିକର ଜଳପତ୍ତନ ବିପଦ ସଙ୍କେତ ତଳେ ରହିଥିବା ବୈଠକରେ ସୂଚନା ଦିଆଯାଇଥିଲା ।
ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆରସି)ର କହିବା ଅନୁଯାୟୀ, ଚଳିତବର୍ଷ ତିନୋଟି ଜିଲ୍ଲାକୁ ବାଦ୍ ଦେଲେ ବାକି ସମସ୍ତ ଜିଲ୍ଲାରେ ଦୀର୍ଘ କାଳୀନ ହାର ଅନୁସାରେ ସ୍ୱାଭାବିକ ଠାର ୬.୫% ଅଧିକ ବୃଷ୍ଟିପାତ ହୋଇଛି । ଏହା କୃଷି କ୍ଷେତ୍ରକୁ ବେଶ୍ ସୁହାଇବ । ସେହିଭଳି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ସତ୍ତ୍ୱେ ସବୁ ବଡ଼ ନଦୀଗୁଡ଼ିକର ଜଳପତ୍ତନ ବିପଦ ସଙ୍କେତ ତଳେ ରହିଛି । ଏବେ ବର୍ଷା ଯୋଗୁ ପରବର୍ତ୍ତୀ ସମୟରେ ନଦୀ ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବା ବେଳେ ନିୟମିତ ତଦାରଖ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ବିଶେଷକରି ୧୨ଟି ବ୍ଲକ୍ରେ ୧୦୦ ମିମିରୁ ଊଦ୍ଧ୍ୱର୍ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲଖ୍ରେ ସର୍ବାଧିକ ୧୮୨.୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି ।
ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ତାରିଖ ପରଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକଲି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ରାୟଗଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଗାମୀ ୪୮ ଘଣ୍ଟା ପାଇଁ ସମୁୂଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନକରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଭାବନୀପାଟଣାରେ ୧୦୩ ମିମି ବର୍ଷା ହୋଇଥିବା ବେଳେ କେରାପୁଟରେ ୪୨ ମିମି, ବାଲେଶ୍ୱରରେ ୨୫ ମିମି, ପୁରୀରେ ୨୩ ମିମି, ସୋନପୁରରେ ୨୦ ମିମି, କେନ୍ଦୁଝରରେ ୧୯ ମିମି, ଫୁଲବାଣୀରେ ୧୭ ମିମି ଓ ଭୁବନେଶ୍ୱରରେ ୩.୪ ମିମି ବର୍ଷା ରେକର୍ଡ କରାଯାଇଛି ।




Powered by odothemes.com