ନବୀନଙ୍କୁ ଧନ୍ୟବାଦ ଦେଲେ ମୋଦି, ନୀତିଶ

23

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର, ୧୦ା୮: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ସମର୍ଥôତ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ କରିବା ଓ ସେ ବିଜୟୀ ହେବା ଘଟଣା ନେଇ ଏବେ ଜାତୀୟ ଓ ରାଜ୍ୟସ୍ତରରେ ଆଲୋଚନା ଜୋର୍ ଧରିଛି । ହରିବଂଶଙ୍କ ବିଜୟୀ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ହିଁ ଅସଲ ଚାବିକାଠି ଏକଥା ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦ ମର୍ମେମର୍ମେ ଅନୁଭବ କରିଛନ୍ତି । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଧନ୍ୟବାଦ୍ ଜଣାଇଛନ୍ତି । ଏକଦା ବିଜେପି ରାଷ୍ଟ୍ରୀୟ ନେତୃବର୍ଗଙ୍କ ଆକ୍ରୋଶ ଓ ବିଦ୍ୱେଷର ଶିକାର ହୋଇଥିବା ନବୀନ ସେମାନଙ୍କ ଆବଶ୍ୟକତା ବେଳେ କରିଥିବା ଅନୁରୋଧକୁ ରକ୍ଷା କରିଥିବାରୁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଗତକାଲି ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନର ବିଜେଡିର ୯ ସାଂସଦ ଜେଡିୟୁ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଫଳରେ ତାଙ୍କ ବିଜୟ ସହଜସାଧ୍ୟ ହୋଇଥିଲା । ନବୀନଙ୍କ ସମର୍ଥନ ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍ ଯୋଗେ ଅନୁରୋଧ କରିଥିଲେ । ଏହାପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅନୁରୂପ ପ୍ରସ୍ତାବ ଦେଇ ତାଙ୍କ ସହଯୋଗ ଲୋଡିଥିଲେ । ଅତୀତରେ ଓଡିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ନେତାମାନେ ବ୍ୟକ୍ତିଗତ ସ୍ତରକୁ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ସମାଲୋଚନା କରିବାରେ କଠୋର ଶବ୍ଦ ବ୍ୟବହାରରେ ସବୁଠୁ ଆଗରେ ଥିଲେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ମାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ଭଳି ଏକ ସାମ୍ବିଧାନିକ ପଦବୀ ଲାଗି ନବୀନ ରାଜନୀତିରୁ ଊଦ୍ଧ୍ୱର୍ରେ ଉଠି ସମର୍ଥନର ହାତ ବଢାଇଥିଲେ । କାରଣ ଏହି ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ନୁହେଁ, ସହମତି ହୋଇଥାଏ । ରାଜ୍ୟସଭା ଉପାଧ୍ୟକ୍ଷ ହେଲାପରେ ସମ୍ପୃକ୍ତ ସାଂସଦ କୌଣସି ଦଳର ହୋଇନଥାନ୍ତି । ସେ ଦେଶର ହୋଇଥାନ୍ତି । ସବୁ ଦଳକୁ ନିରପେକ୍ଷଭାବେ ସେ ରାଜ୍ୟସଭାରେ ପକ୍ଷ ରଖିବାର ସୁଯୋଗ ଦେଇଥାନ୍ତି । ତେଣୁ ଏହି ପଦବୀର ଗାରିମା ବଜାୟ ରଖିବା ଲାଗି ନବୀନ ଯେଉଁ ସମର୍ଥନର ହାତ ବଢାଇଛନ୍ତି, ତାହାକୁ ପ୍ରଶଂସା କରିବାକୁ ତିଳେ ହେଲେ ପ୍ରଧାନମନ୍ତ୍ରୀ କୁଣ୍ଠାବୋଧ କରିନାହାନ୍ତି । ବିଶେଷକରି କ୍ଷମତାରେ ଥିବା ଦଳର ସାଂସଦମାନେ ବାଚସ୍ପତି, ଉପବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ଭଳି ପଦବୀ ଅଳଙ୍କୃତ କରିଥାନ୍ତି । ଏହା ଏକ ପରମ୍ପରା ବୋଲି କୁହାଯାଏ । ସଂସଦୀୟ ଗଣତନ୍ତ୍ରର ଏହି ପରମ୍ପରାକୁ ବଜାୟ ରଖିବାରେ ନବୀନ ସଂକୀର୍ଣ୍ଣ ରାଜନୀତିରୁ ଊଦ୍ଧ୍ୱର୍କୁ ଉଠିଛନ୍ତି । ଯଦିଓ ଏଥିଲାଗି ତାଙ୍କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତୃବର୍ଗ ସମାଲୋଚନା କରିଛନ୍ତି । ହେଲେ ବାସ୍ତବରେ ପରମ୍ପରା ଓ ବିଧି ବ୍ୟବସ୍ଥାର ସୁରକ୍ଷା ଲାଗି ନବୀନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅପରପକ୍ଷରେ ବିଜେପି-କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖିବା ଲାଗି ବିଜେଡି ରଖିଥିବା ଆଭିମୁଖ୍ୟରୁ ସେ ବିଚୁ୍ୟତ ହୋଇନାହାନ୍ତି । ଉପାଧ୍ୟକ୍ଷ ପଦ ଲାଗି ଯିଏ ପାର୍ଥୀ ହୋଇଥିଲେ, ସେ ବିଜେପିର ସାଂସଦ ନୁହନ୍ତି । ସେ ଜେଡିୟୁର । ଅଣକଂଗ୍ରେସ ପ୍ଲାଟ୍ଫର୍ମରୁ ଉଭୟ ଜେଡିୟୁ ଓ ବିଜେଡିର ସୃଷ୍ଟି । ଅବିଭକ୍ତ ଜନତା ଦଳ ଓ ଜୟ ପ୍ରକାଶ ଆନେ୍ଦାଳନରେ ଏହି ଦଳର ନେତାମାନେ ଥିଲେ ମୁଖ୍ୟ ପୁରୋଧା । ଆଦର୍ଶଗତଭାବେ ଉଭୟଙ୍କ ମଧ୍ୟରେ ରହିଛି ଅନେକ ସମାନତା । ଅପରପକ୍ଷରେ ବିରୋଧୀ ମେଣ୍ଟରୁ ଯିଏ ପ୍ରାର୍ଥୀ ହୋଇଥିଲେ ସେ ହେଉଛନ୍ତି କଂଗ୍ରେସର ସାଂସଦ । ଓଡିଶାରେ କଂଗ୍ରେସର ଦୁର୍ନୀତି ଓ କୁଶାସନ ବିରୋଧରେ ଲଢେଇ କରି ବିଜେଡି କ୍ଷମତାସୀନ ହୋଇଛି । ଯିଏ ପ୍ରାର୍ଥୀ ହୋଇଥିଲେ, ସିଏ ଓଡିଶା କଂଗ୍ରେସର ପ୍ରଭାରୀ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାରକୁ ସମାଲୋଚନା କରି ଏଠାରେ କଂଗ୍ରେସର ସ୍ଥିତି ସଜାଡିବାକୁ ବହୁବର୍ଷ ଧରି ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ଯୋଜନାରେ ସେ ସଫଳ ହୋଇନଥିଲେ । ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିପାରିବନାହିଁ ବୋଲି ବିଜେଡି ନିଷ୍ପତ୍ତି ନେବା ସହ ମୂଳ ଜନତା ଦଳ ଆଦର୍ଶରୁ ଏବେବି ବିଜେଡି ବିଚୁ୍ୟତ ହୋଇନାହିଁ, ତାହାର ପ୍ରମାଣ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com