7---------MADHAYAN-BHOJN-RICE---2018-PHOTO-TIHIDI

ମଧ୍ୟାହ୍ନଭୋଜନ କେଳେଙ୍କାରୀ: ଉପରେ ତାଲା, ଭିତରେ ମେଲା

25

ଭଦ୍ରକ (ଅଭୟ ପତି): ୨୦୧୮-୧୯ ଶିକ୍ଷାୀବର୍ଷରେ ୧ ଲକ୍ଷ ୭୨ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଖାଦ୍ୟ ଦେବା ପାଇଁ ବିନା ଟେଣ୍ଡରରେ ଚାଉଳ ପରିବହନ କାର୍ଯ୍ୟ ଜିଲ୍ଲା ପ୍ରଶାସନ ସ୍କୁଲ ଖୋଲିବାର ମାସକ ପରେ ଅଭୟ ଜେନା ପରିବହନ ସଂସ୍ଥା ହାତରେ ଟେକିଦେଇଛି । ପୂର୍ବରୁ ଏହି ସଂସ୍ଥା ନାଁରେ ବିଭିନ୍ନ ମାଲି ମୋକଦ୍ଦମା ଚାଲିଥିବା ଅଭିଯୋଗ ହୋଇଛି । ୨୦୧୮ ଜୁନ ୨୬ ତାରିଖରେ ବିଦ୍ୟାଳୟ ଖୋଲି ଥିଲେ ମଧ୍ୟ ସାରା ଜିଲ୍ଲାର ୧୯୧୯ ଗୋଟି ବିଦ୍ୟାଳୟର ୧ ଲକ୍ଷ ୭୨ ହଜାର ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ଉପାସରେ ରହିଥିଲେ । ଶେଷରେ ଜୁଲାଇ ୨୫ ତାରିଖ ଦିନ ଚିଠି ନଂ ୭୬୪୨ ବଳରେ ପୂର୍ବ ଟେଣ୍ଡରଧାରୀ ଅଭୟ ଜେନାଙ୍କ ହାତରେ ୯.୪୩୭ କୁଇଣ୍ଟାଲ ୧୩ କେଜି ଚାଉଳ ବାଣ୍ଟିବାକୁ ଆଦେଶ ଦିଆଯାଇଥିଲା । ଜୁଲାଇ ୨୫ରୁ ଆଦେଶ ମିଳିଥିଲେ ମଧ୍ୟ ଜୁଲାଇ ୩୧ ଓ ଅଗଷ୍ଟ ୧ ରେ ଚାଉଳ ଉଠିଥିବା ଜଣାଯାଇଛି । ଏହି ଚାଉଳ ଅଭୟ ଜେନା ନିଜେ ଉଠାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ନିଜ ମନ ପସନ୍ଦର ଲୋକଙ୍କ ହାତରେ ବ୍ଲକୱାରୀ ଚାଉଳ ବାଣ୍ଟିବା ଦାୟିତ୍ୱ ଦେଲେ । ତେବେ ବିଡମ୍ବନାର ବିଷୟ ହେଉଛି ମାତ୍ର ୫ ଦିନ ମଧ୍ୟରେ ଏହି ୯.୪୩୭ କୁଇଣ୍ଟାଲ ଚାଉଳ ମଧ୍ୟରୁ ହଜାର ହଜାର କୁଇଣ୍ଟାଲ ଚାଉଳ ମଝି ବାଟରୁ ଗାଏବ ହୋଇଯାଇଥିଲା । ସାରା ଜିଲ୍ଲାରେ ଏ ନେଇ ଅବସ୍ଥା ଉଦ୍ବେଗଜନକ ହେବାରୁ ଜିଲ୍ଲାପାଳଙ୍କ ଆଦେଶକ୍ରମେ ସବୁ ସରକାରୀ ବ୍ଲକ ଗୋଦାମ ଉପରେ ବ୍ଲକ ଶିକ୍ଷାବିଭାଗର ମଧ୍ୟାହ୍ନ ଭୋଜନ ନୋଡାଲ ଅଧିକାରୀମାନେ ଚଢ଼ଉ କରି ସିଲ୍ କରିଥିଲେ । ତେବେ ଏହି ଚଢଉ ନାମକୁ ମାତ୍ର ହୋଇଥିବା ବେଳେ ଗୋଦାମରେ ତାଲା ପକାଇବା ମଧ୍ୟ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି । ବାସ୍ତବରେ ଚାଉଳ ଘୋଟାଲା ଧରିବାକୁ ହାତ ସଫେଇ ପାଇଁ ଏବିଇଓମାନେ ଚୁପ ରହିଥିବା ଶୁଣିବାକୁ ମିଳୁଛି । ତେବେ ଉଠା ଯାଇଥିବା ୫.୭୮୭ କୁଇଣ୍ଟାଲ ଚାଉଳ ୪୫ ଦିନ ପରେ ମଧ୍ୟ ଏଯାଏଁ ସ୍କୁଲରେ ପହଞ୍ଚô ପାରିନାହିଁ । ୧୧୪୨ ଟି ବିଦ୍ୟାଳୟର ୧ ଲକ୍ଷ ଛାତ୍ରଛାତ୍ରୀ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଭଦ୍ରକ ଜିଲ୍ଲା ପାଇଁ ଜୁଲାଇ ଓ ଅଗଷ୍ଟ ମାସକୁ ମିଶାଇ ମୋଟ ୯.୪୩୭ କୁଇଣ୍ଟାଲ ଚାଉଳ ଆଲର୍ଟମେଣ୍ଟ ହୋଇଛି । କିନ୍ତୁ ୭ଟି ବ୍ଲକ ପାଇଁ ୫.୭୮୭ କୁଇଣ୍ଟାଲ ୨୩ କେଜି ଚାଉଳ ଉଠାଯାଇଛି । ଏ ଯାଏଁ ୧୯୧୯ଟି ସ୍କୁଲ ମଧ୍ୟରୁ ମାତ୍ର ୭୭୭ଟି ସ୍କୁଲରେ ୩.୭୨୯ କୁଇଣ୍ଟାଲ ୬୦ କେଜି ଚାଉଳ ବଣ୍ଟାଯାଇଛି । ପ୍ରତ୍ୟେକ ବ୍ଲକରେ ଶିକ୍ଷା ବିଭାଗରେ ଥିବା ଏବିଇଓଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟାହ୍ନ ଭୋଜନର ନୋଡାଲ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ଏବିଇଓମାନେ କେବେ କେତେ ଚାଉଳ ଆସିଲା, କେତେ ବଣ୍ଟାଗଲା, ବସ୍ତା କମ୍ ଅଛି କି ନାହିଁ, କେଉଁଠି ଚାଉଳ ରହୁଛି ସେ ବିଷୟରେ ବୁଝନ୍ତି ନାହିଁ । କେବଳ ମାସ ଶେଷରେ ଏନଓସି ଦେବା ବେଳକୁ ଠିକାଦାରଙ୍କ ଚିଠାରେ ଦସ୍ତଖତ କରିଥାନ୍ତି ।
ତିହିଡି ବ୍ଲକ ପାଇଁ ଜୁଲାଇ ଓ ଅଗଷ୍ଟ ଦୁଇ ମାସର ଚାଉଳ ୧୫୮୯ କୁଇଣ୍ଟାଲ ୫୦ କେଜି ଆଲର୍ଟମେଣ୍ଟ ହୋଇଥିଲା । ସେଥିରୁ ପରିବହନ ଠିକାଦାର ୧୨୧୧ କୁଇଣ୍ଟାଲ ୯୧ କେଜି ଉଠାଇଥିବା ବେଳେ ୧୭୦ଟି ବିଦ୍ୟାଳୟରେ ୧୧୨୦ କୁଇଣ୍ଟାଲ ୯୧ କେଜି ବାଣ୍ଟିଛନ୍ତି । ଆହୁରି ୮୦ ଟି ସ୍କୁଲରେ ଏଯାଏଁ ଚାଉଳ ବଣ୍ଟାଯାଇନାହିଁ । ବ୍ଲକ ଗୋଦାମରେ ତାଲା ପଡିବା ପୂର୍ବରୁ ଗଣାଯାଇଛି ୯୧ କୁଇଣ୍ଟାଲ ଚାଉଳ ଏହି ଗୋଦାମରେ ଅଛି ଏବଂ ଆହୁରି ୩୭୭ କୁଇଣ୍ଟାଲ ୫୯ କେଜି ତିହିଡି ବ୍ଲକ ପାଇଁ ଏଫସିଆଇ ଗୋଦାମରୁ ଉଠାଯିବାକୁ ବାକି ରହିଛି । ତିହିଡି ବ୍ଲକରେ ମୋଟ ୨୫୦ଟି ବିଦ୍ୟାଳୟ ମଧ୍ୟରୁ ୧୭୦ ଟି ବିଦ୍ୟାଳୟରେ ଚାଉଳ ବଣ୍ଟାଯାଇଛି । ସେହିପରି ବାସୁଦେବପୁର ବ୍ଲକରେ ଦୁଇ ମାସର ଚାଉଳ ୧୬୬୦ କୁଇଣ୍ଟାଲ ୫୮ କେଜି ଆଲର୍ଟମେଣ୍ଟ ହୋଇଥିଲା ବେଳେ ଉଠାଯାଇଛି ୭୩୭ କୁଇଣ୍ଟାଲ ୯୮ କେଜି । ତେବେ ଏହି ବ୍ଲକରେ ମୋଟ ୩୩୫ଟି ବିଦ୍ୟାଳୟ ଥିଲେ ମଧ୍ୟ ମାତ୍ର ୫୭ଟି ବିଦ୍ୟାଳୟରେ ୨୯୧ କୁଇଣ୍ଟାଲ ୯୮ କେଜି ଚାଉଳ ବଣ୍ଟାଯାଇଛି । ଆହୁରି ୨୭୮ ଟି ବିଦ୍ୟାଳୟର ପିଲା ଉପାସରେ ରହିଛନ୍ତି । ଏହି ବ୍ଲକରେ ଉଠାଯାଇଥିବା ୭୩୭ କୁଇଣ୍ଟାଲ ଚାଉଳ ମଧ୍ୟରୁ ୨୯୧ କୁଇଣ୍ଟାଲ ବଣ୍ଟା ଯାଇଥିବା ବେଳେ ବାକି ଚାଉଳ କେଉଁଠି ଅଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ଚାନ୍ଦବାଲି ବ୍ଲକରେ ୧୮୯୯ କୁଇଣ୍ଟାଲ ୯୦ କେଜି ଚାଉଳ ଆଲର୍ଟମେଣ୍ଟ ହୋଇଥିଲା ବେଳେ ୧୨୧ ଟି ବିଦ୍ୟାଳୟରେ ୫୮୫ କୁଇଣ୍ଟାଲ ୪୨ କେଜି ଚାଉଳ ବଣ୍ଟାଯାଇଛି । ତେବେ ଏହି ବ୍ଲକ ପାଇଁ ଆଲର୍ଟମେଣ୍ଟ ୧୮୯୯ କୁଇଣ୍ଟାଲରୁ ୧୧୮୪ କୁଇଣ୍ଟାଲ ୪୦ କେଜି ଚାଉଳ ଉଠାଯାଇଛି । ବ୍ଲକର ୩୨୪ ଟି ବିଦ୍ୟାଳୟ ମଧ୍ୟରୁ ୧୨୧ ଟି ସ୍କୁଲରେ ଚାଉଳ ବଣ୍ଟା ଯାଇଥିବା ବେଳେ ବାକି ଚାଉଳ କେଉଁଠି ଅଛି ତାହା ପତ୍ତା ମିଳୁନି । ସେହିପରି ଚର୍ଚ୍ଚିତ ଧାମନଗର ବ୍ଲକ ପାଇଁ ୬୨୭ କୁଇଣ୍ଟାଲ ୮୦ କେଜି ଚାଉଳ ଉଠାଯାଇଥିବା ବେଳେ ୧୦୩ ଟି ବିଦ୍ୟାଳୟରେ ୪୩୨ କୁଇଣ୍ଟାଲ ବଣ୍ଟାଯାଇଛି । ଏହି ବ୍ଲକର ମୋଟ ୨୬୧ ଟି ବିଦ୍ୟାଳୟ ମଧ୍ୟରୁ ଆହୁରି ୧୨୮ଟି ବିଦ୍ୟାଳୟର ପିଲା ଏବେ ବି ଉପାସ ରହିଛନ୍ତି । ଉଠାଯାଇଥିବା ଚାଉଳ ମଧ୍ୟରୁ ୩ ଟ୍ରକ ଚାଉଳ ଗାଏବ ହେଉଥିଲା ବେଳେ ପୁଲିସ ହାତରେ ଧରାପଡିଛି । ସେହିପରି ଭଦ୍ରକ ବ୍ଲକ ପାଇଁ ଉଠାଯାଇଛି ୯୮୨ କୁଇଣ୍ଟାଲ ୭୭ କେଜି ଚାଉଳ । ସେଥିମଧ୍ୟରୁ ୧୨୫ ଟି ସ୍କୁଲରେ ୫୬୫ କୁଇଣ୍ଟାଲ ଚାଉଳ ବଣ୍ଟାଯାଇଛି । ଏହି ବ୍ଲକରେ ୨୯୬ ଟି ବିଦ୍ୟାଳୟ ମଧ୍ୟରୁ ଆହୁରି ୧୭୧ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଉପାସରେ ରହିଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକ ପାଇଁ ୭୬୬ କୁଇଣ୍ଟାଲ ୪୩ କେଜି ଚାଉଳ ଆଲର୍ଟମେଣ୍ଟ ହୋଇଥିବା ବେଳେ ସେଥିରୁ ୪୫୮ କୁଇଣ୍ଟାଲ ୩୬ କେଜି ଚାଉଳ ଉଠାଯାଇଥିଲା ବେଳେ ୩୪୧ କୁଇଣ୍ଟାଲ ବଣ୍ଟାଯାଇଛି । ବ୍ଲକ ଗୋଦାମରେ ସିଲ ହେବା ବେଳକୁ ୧୧୭ କୁଇଣ୍ଟାଲ ଚାଉଳ ଥିବା ଜଣାଯାଇଛି । ବନ୍ତ ବ୍ଲକ ପାଇଁ ୧୦୩୮ କୁଇଣ୍ଟାଲ ୬୭ କେଜି ଚାଉଳ ଆଲର୍ଟମେଣ୍ଟ ହୋଇଥିଲା । ସେଥିରୁ ୫୮୪ କୁଇଣ୍ଟାଲ ଉଠାଯାଇଥିବା ବେଳେ ବଣ୍ଟାଯାଇଛି ୩୯୩ କୁଇଣ୍ଟାଲ ୨୯ କେଜି । ବ୍ଲକରେ ଥିବା ୨୪୬ ଟି ବିଦ୍ୟାଳୟରୁ ମାତ୍ର ୯୯ ଟି ସ୍କୁଲରେ ଚାଉଳ ବଣ୍ଟା ଯାଇଥିବା ବେଳେ ଉଠାଯାଇଥିବା ଚାଉଳ କେଉଁଠି ଅଛି ନୋଡାଲ ଅଧିକାରୀ ଏବିଇଓ ଜାଣି ନାହାନ୍ତି ବୋଲି କହିଛନ୍ତି ।




Powered by odothemes.com