ସଂରକ୍ଷଣ ହେବ ଭୂତଳ ଜଳ | ସର୍ବସାଧାରଣ ଖବରକାଗଜ
Signing--of-MoU-in-between-Department-of-Water-Recourses-&-NABARD-on-Green-Climate-Fund-in-presence-of-Hon’ble-Chief-Minister-Shri-Naveen-Patnaik-at-Secretariat=-(2)

ସଂରକ୍ଷଣ ହେବ ଭୂତଳ ଜଳ

8

ଜଳ ସମ୍ପଦ ବିଭାଗ-ନାବାର୍ଡ ଏମ୍ଓୟୁ
ଭୁବନେଶ୍ୱର(ବୁ୍ୟରୋ): ରାଜ୍ୟରେ ଭୂତଳ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏହାର ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଦେଶରେ ପ୍ରଥମ ଥର ଲାଗି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଦକ୍ଷିଣ କୋରିଆର ଗ୍ରୀନ୍ କ୍ଲାଇମେଟ୍ ପାଣ୍ଠି ଜରିଆରେ ରାଜ୍ୟର ୧୫ଟି ଜିଲ୍ଲାରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ । ଏନେଇ ଶକ୍ରବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳ ସମ୍ପଦ ବିଭାଗ ଓ ନାବାର୍ଡ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।
ମୋଟ୍ ୧୧୧୫ କୋଟି ଟଙ୍କା ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯିବା ସହ ୧ ହଜାରଟି ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପ୍ରେ ଜଳ ଉତ୍ତୋଳନ କରି ଅଣୁ ଜଳ ସେଚନ ପାଇପ୍ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୂତଳ ଜଳ ସଂରକ୍ଷଣ ଦିଗରେ ଜଳ ସମ୍ପଦ ବିଭାର ଦେଶରେ ପ୍ରଥମ ଥର ଲାଗି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛି । ଏନେଇ ନାବାର୍ଡ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବାରୁ ସେ ଅତ୍ୟନ୍ତ ଖୁସିପ୍ରକଟ କରିଛନ୍ତି । ମୋଟ୍ ୧୧୧୫ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ନିମନ୍ତେ ଦକ୍ଷିଣ କୋରିଆର ଗ୍ରୀନ କ୍ଲାଇମେଟ୍ ପାଣ୍ଠିରୁ ୨୪୦ କୋଟି ଟଙ୍କାର ସହାୟତା ମିଳିବ । ସେହିଭଳି ଜିଲ୍ଲା ମିନେରାଲ୍ ପାଣ୍ଠିରୁ ୨୪୦ କୋଟି ଟଙ୍କା, ନରେଗା ଯୋଜନାରୁ ୮ ଶହ କୋଟି ଟଙ୍କା ଏବଂ ବିଶ୍ୱବ୍ୟାଙ୍କରୁ ୬୦ କୋଟି ଟଙ୍କାର ସହାୟତା ଲୋଡ଼ାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯିବ । ଏଥିସହିତ ଏକଲକ୍ଷ ପାଞ୍ଚ ହଜାର ଏକର ଫୁଟ ଭୂତଳ ଜଳ ସଂରକ୍ଷଣ କରି ରଖିବା ନିମନ୍ତେ ୧ ହଜାର ଗଭୀର ନଳକୂପ ଖନନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜଳ ସମ୍ପଦ ସଚିବ ପ୍ରଦୀପ କୁମାର ଜେନା ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ଓ ଅଣୁ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ବେଳେ ପ୍ରଥମ ଥର ଲାଗି ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ୍ ଉକ୍ତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟୟରେ ଏହି ପ୍ରକଳ୍ପକୁ ରାଜ୍ୟର ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ସେଗୁଡିକ ମଧ୍ୟରେ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଅନୁରୂପ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାକୁ ଆଧାର କରି ରାଜ୍ୟ ସରକାର ଏହି ଯୋଜନାକୁ ବ୍ୟାପକ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଆଧାରରେ ରାଜ୍ୟ ସରକାର ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ର ସରକାରଙ୍କ ୮ଟି ମନ୍ତ୍ରାଳୟର ଅନୁମୋଦନ ପରେ ଦେଶରେ ପ୍ରଥମ ଥର ଲାଗି ଗ୍ରୀନ କ୍ଲାଇମେଟ୍ ଫଣ୍ଡ୍ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦ ହଜାର ହେକ୍ଟର ମିଟର ଭୂତଳ ଜଳ ସଂରକ୍ଷିତ ହୋଇପାରିବ । ଭୂତଳ ଜଳ ସଂରକ୍ଷଣର ତଦାରଖ କରିବା ନିମନ୍ତେ ପଞ୍ଚାୟତସ୍ତରରେ ଜଳସାଥୀଙ୍କୁ ନିଯୁକ୍ତ କରାଯିବ ବୋଲି ଶ୍ରୀ ଜେନା ସୂଚନା ପ୍ରଦାନ କରିଛନ୍ତି ।




Powered by odothemes.com