କଦର୍ଯ୍ୟ ସଡ଼କ, ଓଲଟିଲା ୧୦୮ | ସର୍ବସାଧାରଣ ଖବରକାଗଜ
1-108-Ambulance-Olatila

କଦର୍ଯ୍ୟ ସଡ଼କ, ଓଲଟିଲା ୧୦୮

8

ମାହାଙ୍ଗା(ଆପ୍ର): ମାହାଙ୍ଗା ବ୍ଲକ୍ ବରଅଠା-ହରଗୋବିନ୍ଦପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଶୋଚନୀୟ ପରିସ୍ଥିତି ଯୋଗୁ ଆଜି ଗୋଟିଏ ୧୦୮ ଆମ୍ବୁଲାନ୍ସ ଓଲଟି ପଡ଼ିଛି । ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଦୀପାଞ୍ଚଳ ମଧ୍ୟକୁ ଜଣେ ରୋଗୀଙ୍କୁ ନେବାପାଇଁ ଆସୁଥିବା ବେଳେ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଚନ୍ଦନପୋଖରୀ ନିକଟରେ ରାସ୍ତାର କଦର୍ଯ୍ୟ ପରିସ୍ଥିତି ଯୋଗୁ ରାସ୍ତା ତଳକୁ ଖସି ପଡ଼ିଥିଲା । ଟ୍ରାକ୍ଟର ଯୋଗେ ସ୍ଥାନୀୟ ଲୋକେ ୧୦୮ ଗାଡ଼ିକୁ ରାସ୍ତା ତଳୁ ଉଠାଇଥିଲେ ମଧ୍ୟ ଗାଡିଟି ରୋଗୀସେବା ଯୋଗାଇ ନପାରି ଫେରିଯିବାକୁ ବାଧ୍ୟ ହୋଇଥିଲା ।
ସୂଚନା ଯେ ସମ୍ପୃକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇଛି । ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟ ହୋଇପଡିଛି ଯେ ଏଥିରେ ବାଇକ୍ କିମ୍ବା ଦୁଇ ଚକିଆ ଯାନ ଯିବା ବି କଷ୍ଟ । ଏପରି ପରିସ୍ଥିତିରେ ଆମ୍ବୁଲାନ୍ସ କିପରି ଯିବ? ଏହି ସଡକରୁ ବାସୁଦେବପୁରଠାରୁ ବରଅଠା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଏ ଯାଏ ଆରମ୍ଭ ହୋଇନାହିଁ । ସେହିପରି କଲ୍ୟାଣପୁର ଚାରିଘରିଆ ସାହିଠାରୁ ଚନ୍ଦନପୋଖରୀ ପର୍ଯ୍ୟନ୍ତ ଘରୋଇ ଜମି ଉପରେ ଯାଇଥିବା ରାସ୍ତା ବିବାଦ ଯୋଗୁ ୫ ବର୍ଷ ହେବ ପୁନଃ ନିର୍ମାଣ କରାଯାଇପାରୁନି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଅଖିଳେଶପଦ ମହାନ୍ତି, ବିଭୂତି ଭୁଷଣ ଦାସ, ଶରତ ଚନ୍ଦ୍ର ଦାସ, ମହେନ୍ଦ୍ର ଦାସ, ଅରକ୍ଷିତ ଦାସ, ସୁଧିର ସାହୁ, ଶରତ ବେହେରା, ଅମୂଲ୍ୟ ପଲେଇଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି ।




Powered by odothemes.com