GIRLS-HIGH-SCHOOL---2018-PHTOO-TIHIDI

କୋଟି କୋଟି ଟଙ୍କାର ନବନିର୍ମିତ କୋଠା କାହା ପାଇଁ?

79

ତିହିଡ଼ି ବାଳିକା ହାଇସ୍କୁଲର ଦୟନୀୟ ସ୍ଥିିତି
ତିହିଡି(ଆପ୍ର): କୋଟି କୋଟି ଟଙ୍କାର କୋଠା ଛିଡା ହୋଇଛି ଭୂତକୋଠି ଭଳି,କିନ୍ତୁ ବ୍ୟବହାର ହେଉନାହିଁ । କେବଳ ଠିକାଦାର ପୋଷିବାରେ ଚାଲିଗଲା ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା । ବର୍ଷବର୍ଷ ହେଲା ଏହି କୋଠା ଅବ୍ୟବହୃତ ଅବସ୍ଥାରେ ଛିଡ଼ା ହୋଇଥିଲେ ବି ଏହାକୁ ଉପଯୋଗ କରିବାରେ ଶିକ୍ଷାବିଭାଗ ମନ ଦେଉନି । ଅନ୍ୟପକ୍ଷରେ ପୂର୍ବରୁ ଥିବା ବିଶାଳକାୟ ବିଲଡିଂରେ ୧୭୮ ପିଲାଙ୍କୁ ନେଇ ପାଠପଢା ଚାଲିଛି । ବିଦ୍ୟାଳୟରେ କେତେକ ଶିକ୍ଷକ ୧୫ ବର୍ଷ ହେଲା ଗାଦି ମାଡି ବସିଛନ୍ତି ବଦଳି ବି ହେଉନାହିଁ । ପାଠପଢା ହେଉନଥିବା ଅନୁଭବ କରି ନିକଟସ୍ଥ ବାଳକ ହାଇସ୍କୁଲରେ ୩ ବର୍ଷ ହେଲା ଲାଇନ ଲଗାଉଛନ୍ତି ଛାତ୍ରୀ ।
ବାଳିକା ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ତିହିଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ । ଏହା ପ୍ରଥମେ ତିହିଡ଼ି ହାଇସ୍କୁଲର ଥିବା ଏକ ଚାଳ ଘରେ ବହୁଦିନ ଚାଲିବା ପରେ ୧୯୮୨ ରେ ନବନିର୍ମିତ କୋଠାକୁ ସ୍ଥାନାନ୍ତରିତ ହେଲା । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାଶ୍ୱର୍ ଓ ତିହିଡ଼ି ବଜାର ନିକଟରେ ପ୍ରାୟ ୫ଏକର ଜମିରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ କ୍ରମଶଃ ଗୁରୁତ୍ୱ ହରାଉଛି । ଆଉ କିଛି ବର୍ଷ ପରେ ବିଦ୍ୟାଳୟର ଭବିଷ୍ୟତ କଣ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ନବନିର୍ମିତ ଛାତ୍ରୀ ନିବାସରେ କେହି ରହୁ ନଥିବାରୁ ଏହା ଭୂତକୋଠି ପାଲିଟିଛି । ମାତ୍ର କେଇଶହ ମିଟର ବ୍ୟବଧାନରେ ଥିବା ଚନ୍ଦ୍ରଶେଖର ରତ୍ନାକର ସହଯୋଗ (ସିଆର୍ଏସ୍) ହାଇସ୍କୁଲ କେବଳ ବାଳକଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ବାଳିକା ହାଇସ୍କୁଲର ପ୍ରଗତି ଓ ସ୍ଥାୟିତ୍ୱ ପାଇଁ କର୍ତ୍ତୃପକ୍ଷ ମଧ୍ୟ ସେତେବେଳେ ଏକ ଚିଠିରେ ସିଆର୍ଏସ୍ ହାଇସ୍କୁଲରେ ଛାତ୍ରୀଙ୍କ ନାମଲୋଖା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ୨୦୧୧-୧୨ ଶିକ୍ଷାବର୍ଷରେ ତକ୍ରାଳୀନ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ବିଚାର ବିମର୍ଷ କରି ଛାତ୍ରୀଙ୍କୁ ଆଡ୍ମିଶନ ଲାଗି ଅନୁମତି ଦେଇଥିଲେ । ସେହିଦିନରୁ ଆରମ୍ଭ ହେଲା ବାଳିକା ଉଚ୍ଚ ବିଦ୍ୟାଳୟ ଅବନତିର ଯାତ୍ରା ।
ପରିସଂଖ୍ୟାନ ଅନୁଯାୟୀ, ୨୦୦୮-୦୯ ଶିକ୍ଷା ବର୍ଷରେ ବାଳିକା ହାଇସ୍କୁଲରେ ଛାତ୍ରୀ ସଂଖ୍ୟା ୪୦୩ ଥିବା ବେଳେ ୨୦୦୯-୧୦ରେ ୩୮୮, ୨୦୧୦-୧୧ ରେ ୩୭୧ ରହିଥିଲା । ୨୦୧୧-୧୨ ରେ ଏହା ୩୦୯କୁ ଖସି ଆସିଥିଲା । ୨୦୧୨-୧୩ରେ ୨୭୭, ୨୦୧୩-୧୪ରେ ୨୬୩, ୨୦୧୪-୧୫ ରେ ୨୫୧, ୨୦୧୫-୧୬ ରେ ୨୪୩ , ୨୦୧୬-୧୭ରେ ୨୩୬, ୨୦୧୭-୧୮ରେ ୨୪୧ ଏବଂ ୨୦୧୮-୧୯ରେ ଏହା ୧୭୮ କୁ ଖସି ଆସିଛି । ଅଷ୍ଟମ ଶ୍ରେଣୀରେ ନାମଲେଖା ଦେଖିଲେ ୨୦୧୨-୧୩ ରେ ୬୮ ଓ ୨୦୧୬-୧୭ ବର୍ଷରେ ମାତ୍ର ୪୮ ଛାତ୍ରୀ ନାମ ଲେଖାଇଥିଲେ । ଗତ ଶିକ୍ଷାବର୍ଷରୁ ଏଠାରୁ ଅଷ୍ଟମ ଶ୍ରେଣୀ ଉଠିଯିବା ପରେ ପିଲାସଂଖ୍ୟା ଆହୁରି କମି ଯାଇଛି । ଗତବର୍ଷ ନବମ ଓ ଦଶମ ଶ୍ରେଣୀର ପିଲା ସଂଖ୍ୟାକୁ ମିଶାଇ ୧୫୬ ଥିଲା । ତେବେ ଚଳିତ ବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ତିହିଡିର ବୁଦ୍ଧିଜୀବି ଓ ଲୋକ ପ୍ରତିନିଧି ମିଳିତ ହୋଇ ଅଭିଭାବକମାନଙ୍କ ଘରକୁ ଯିବା ପରେ ନବମ ଶ୍ରେଣୀରେ ୧୦୪ ଜଣ ଛାତ୍ରୀ ଆଡମିଶନ ନେଇଛନ୍ତି ।
ଅନ୍ୟପକ୍ଷରେ ବାଳିକା ହାଇସ୍କୁଲ ଗୃହ ସଂଖ୍ୟା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଘର ପରେ ଘର ନିର୍ମାଣ ଚାଲିଛି । ୫୦ ଲକ୍ଷ ଟଙ୍କା ବ୍ୟୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି । ଏହା ସେମିତି ପଡି ରହିଛି । ରମ୍ସା ଅନୁଦାନରେ ବହୁ କୋଠରୀ ବିଶିଷ୍ଟ ଏକ ଦ୍ୱିତଳ କୋଠା ନିର୍ମାଣ ହୋଇଛି । ଏହା ମଧ୍ୟ କାମରେ ଲାଗୁନି । ଅନ୍ୟ କେତେକ ଗୃହ ନିର୍ମାଣ ହୋଇଛି । ଶିକ୍ଷକ ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣ ହେଉଛି । ତେବେ କୌଣସି ଗୃହ କାମରେ ଆସୁନାହିଁ । ଏହି ବିଦ୍ୟାଳୟର ଉତ୍ତମ ଶିକ୍ଷାଦାନ କରିବା ପାଇଁ କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଅଛନ୍ତି । ତେବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ତରଫରୁ ଏହି ବିଦ୍ୟାଳୟ ପ୍ରତି ଅଧିକ ଦୃଷ୍ଟି ଦିଆଗଲେ ଅନୁଷ୍ଠାନ ପ୍ରତି ଛାତ୍ରୀଙ୍କର ଆକର୍ଷଣ ବୃଦ୍ଧି ପାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।




Powered by odothemes.com