ସେପ୍ଟେମ୍ବର ୧୫ ସୁ୍ଦ୍ଧା ପ୍ଲାଷ୍ଟିକ୍ ନିଷେଧ ବିଜ୍ଞପ୍ତି | ସର୍ବସାଧାରଣ ଖବରକାଗଜ

ସେପ୍ଟେମ୍ବର ୧୫ ସୁ୍ଦ୍ଧା ପ୍ଲାଷ୍ଟିକ୍ ନିଷେଧ ବିଜ୍ଞପ୍ତି

15

ପାଣି ପାଉଚ୍ ସମ୍ପୂର୍ଣ୍ଣ ବ୍ୟାନ୍
ଓମ୍ଫେଡ୍ ଜରି, ଖାଲି ବୋତଲ ବଦଳରେ ଟଙ୍କା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ସାଙ୍ଗକୁ ଭୂତଳଜଳ ସୁପରିଚାଳନାରେ ସଙ୍କଟ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ପ୍ରଚଳନକୁ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରସ୍ତୁତ କରିବା ଲାଗି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ସୁରେଶ କୁମାର ମହାପାତ୍ର ଯୋଗଦେଇ ବିଜ୍ଞପ୍ତିର ବିଭିନ୍ନ ଦିଗ ଉପରେ ଉପସ୍ଥାପନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ମହାନଗର ନିଗମ ସହ ପୁରୀ ସହରରେ ପ୍ଲାଷ୍ଟିକ, ପଲିଥିନ ଓ ଥର୍ମୋକୁଲ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରିବା ଲାଗି ନିଷ୍ପତ୍ତି କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏସମ୍ପର୍କରେ ଜନସାଧାରଣଙ୍କ ମତାମତ, ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ । ମତାମତ ସଂଗ୍ରହ ପରେ ସେପ୍ଟେମ୍ବର ୧୫ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ । ପାଣି ପାଉଚ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିବା ବେଳେ ଓମଫେଡ୍ ଜରି ଓ ଖାଲି ବୋତଲ ଫେରାଇଲେ ଗ୍ରାହକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଲାଗି ସ୍ଥିର କରାଯାଇଛି ।
ସମ୍ପ୍ରତି ରାଜ୍ୟରେ ପ୍ଲାଷ୍ଟିକ, ପଲିଥିନ୍ ଓ ଥର୍ମୋକୁଲ୍ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଏସମ୍ପର୍କରେ ବିଭିନ୍ନ ପୌରାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପୁରୀ ପୌର ପରିଷଦରେ ପ୍ଲାଷ୍ଟିକ ଅଳିଆ ସଂଗ୍ରହ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଇନ ଅମାନ୍ୟ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜରିମାନା କିମ୍ବା ମାମଲା ରୁଜୁ ଲାଗି ଉନ୍ନୟନ କମିଶନ ଆର୍ ବାଲକ୍ରିଷ୍ଣନ୍ ପରାର୍ମଶ ଦେଇଛନ୍ତି । ସେପ୍ଟେମ୍ବର ୧୫ ସୁ୍ଦ୍ଧା ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶିତ କରିବା ଲାଗି ନିଷ୍ପତ୍ତି ହୋଇଥିବାରୁ ଚଳିତ ମାସ ଶେଷ ସୁଦ୍ଧା ଜନସାଧାରଣଙ୍କ ମତାମତ ଅନ୍ଲାଇନ୍ ମାଧ୍ୟମରେ ନିଆଯିବ । ୧୫ ଦିନ ମତାମତ ସଂଗ୍ରହ କରାଯିବା ପରେ ଚୁଡାନ୍ତ ନିୟମ ପ୍ରସ୍ତୁତ କରାଯିବ । ଚୂଡାନ୍ତ ନିୟମ ପୂର୍ବରୁ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦେବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାରର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଅର୍ଥ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ, ମତ୍ସ୍ୟଓ ପଶୁ ସମ୍ପଦ ସଚିବ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com