ର୍ୟାଗିଂ: ଡାକ୍ତରଖାନାରେ ଇଞ୍ଜିନିୟରିଂ ଛାତ୍ରୀ | ସର୍ବସାଧାରଣ ଖବରକାଗଜ

ର୍ୟାଗିଂ: ଡାକ୍ତରଖାନାରେ ଇଞ୍ଜିନିୟରିଂ ଛାତ୍ରୀ

12

କେନ୍ଦୁଝର (ଆପ୍ର): ର୍ୟାଗିଂ ରୋକିବା ଲାଗି ସରକାର କଡ଼ା ନିଦେ୍ର୍ଦଶ ଦେଇଥିଲେ ବି ଅନେକ କଲେଜ୍ରେ ଏହାର ପ୍ରଭାବ ନଥିବା ପରିଲକ୍ଷିତ ହୋଇଛି । ଏପରି ଏକ ଅମାନବୀୟ ଘଟଣାର ପୁନରାବୃତ୍ତି ଘଟିଛି କେନ୍ଦୁଝର ଜିଲ୍ଲା ହେଡକ୍ୱାର୍ଟରରେ ଥିବା ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ । ଜଣେ ତୃତୀୟବର୍ଷ ଛାତ୍ରୀ ଉପର ଶ୍ରେଣୀ ଛାତ୍ରୀଙ୍କ ର୍ୟାଗିଂର ଶିକାର ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୀଡ଼ିତା ହେଉଛନ୍ତି ବିଟେକ୍ର ତପସ୍ୱିନୀ ସାହୁ । ସେ ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଅଭିଯୋଗରୁ ପ୍ରକାଶ ଯେ ନୁଆଗାଁ ସ୍ଥିତ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ପରିସରରେ ଥିବା ମା’ ତାରିଣୀ ହଲ୍ ଅଫ୍ ରେସିଡେନ୍ସିରେ ରହୁଥିବା ଚତୁର୍ଥବର୍ଷର ଛାତ୍ରୀମାନେ ତୃତୀୟ ବର୍ଷ ଛାତ୍ରୀଙ୍କୁ ନିୟମିତ ଭାବେ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସବୁଦିନ ଭଳି ବୁଧବାର ରାତିରେ ତପସ୍ୱିନୀଙ୍କୁ ଡାକି ଚତୁର୍ଥ ବର୍ଷର ଛାତ୍ରୀମାନେ ଜୁନିୟର ଛାତ୍ରୀଙ୍କ ସହାୟତାରେ ଗାଳି ଗୁଳଜ କରିବା ସହ ଖାଇବାକୁ ଦେଇନଥିଲେ । ୱାର୍ଡେନ୍ ସନ୍ତୋଷୀଙ୍କ ସମ୍ମୁଖରେ ର୍ୟାଗିଂ କରାଯାଇଥିଲେ ବି ସେ ଚୁପ୍ ରହିଥିଲେ । ତୃତୀୟ ବର୍ଷର ଅନ୍ୟ ଛାତ୍ରୀମାନେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ ହେଁ ସେ ସକାଳେ ଯାଇ ବୁଝିବେ ବୋଲି ଉତ୍ତର ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ତପସ୍ୱିନୀ ମାନସିକ ଭାରସାମ୍ୟ ହରାଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ରୁମ୍ମେଟ୍ ରୋଜାଲିନୀ ପଣ୍ଡା ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ ।
ଅନ୍ୟପକ୍ଷରେ ଖବର ପ୍ରଚାରିତ ହେବା ମାତ୍ରେ କଲେଜ ପରିସର ଅଶାନ୍ତ ହୋଇପଡିଥିଲା । ତୃତୀୟ ବର୍ଷ ଛାତ୍ରୀମାନେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଆକାରରେ ଦାବି କରିଥିଲେ । ନିର୍ଯାତନାର ଶିକାର ତପସ୍ୱିନୀଙ୍କ ଘର ରାଉରକେଲା ଓ କଲେଜ କର୍ତ୍ତୃପକ୍ଷ ଫସିିବା ଭୟରେ ତାଙ୍କ ଅଭିଭବାକଙ୍କୁ ଡକାଇ ଘଟଣା ଚପାଇ ଦେବାକୁ ଉଦ୍ୟମ କରୁଥିବା କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଢିଲା ଶାସନ ବ୍ୟବସ୍ଥା ଓ ପକ୍ଷପାତିତା ର୍ୟାଗିଂର କାରଣ ବୋଲି ଛାତ୍ରୀମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । କିଛି ଦିନ ତଳେ କେନ୍ଦୁଝର ସହରସ୍ଥିତ ଓଡ଼ିଶା ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଥିଲା । ଗୋଟିକ ପରେ ଗୋଟିଏ ର୍ୟାଗିଂ ଘଟଣା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ହାତବାନ୍ଧି ବସିବା ବୁଦ୍ଧିଜୀବି ମହଲରେ ଉଦ୍ବେଗ ସୃଷ୍ଟି କରିଛି ।




Powered by odothemes.com