AITUC-Trade-union-Strike,kjr

ଶ୍ରମିକ ମାରଣ ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

31

କେନ୍ଦୁଝର,୯ା୮(ଆପ୍ର): ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ (ଏ.ଆଇ.ଟି.ୟୁ.ସି) ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ପ୍ରତିବାଦ କରି ଗୁରୁବାର ପବିତ୍ର କ୍ରାନ୍ତିଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଉପଲକ୍ଷେ ୨ହଜାରରୁ ଊଦ୍ଧ୍ୱର୍ ଶ୍ରମିକ ବିରାଟ ର୍ୟାଲିରେ କାଳିପଡିଆ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତିର ଦୃଢ ପ୍ରତିବାଦ କରିଥିଲେ । ମୁଖ୍ୟତଃ ୯ଟି ଦାବି ମଧ୍ୟରେ କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ ବନ୍ଦ, ସର୍ବନିମ୍ନ ମଜୁରୀ ମାସିକ ୧୮ହଜାର ଟଙ୍କା ଧାର୍ଯ୍ୟ, ସର୍ବନିମ୍ନ ପେନ୍ସନ୍ ମାସିକ ୩ ହଜାର ଟଙ୍କା, ଅସଂଗଠିତ ଶ୍ରମିକଙ୍କ ପାଇଁ ଗଠିତ ବୋର୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ବ୍ୟୟବରାଦ, ସ୍କିମ ୱାର୍କରଙ୍କୁ କର୍ମଚାରୀର ମାନ୍ୟତା, ଦରଦାମ ନିୟନ୍ତ୍ରଣ, ହିଂସା ଓ ସମସ୍ତ ପ୍ରକାର ସାମ୍ପ୍ରଦାୟିକ ହିଂସା ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ, ସମ୍ବିଧାନ ଉପରେ ଆକ୍ରମଣ ବନ୍ଦ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବନ୍ଦ କରାଯାଉ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଏ.ଆଇ.ଟି.ୟୁ.ସି କେନ୍ଦ୍ର ଉପ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ କେନ୍ଦ୍ର ସରକାରଙ୍କର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଦେଶରେ ଶ୍ରମିକ ଓ ସାଧାରଣ ଲୋକଙ୍କ ଅବସ୍ଥା ଦିନକୁଦିନ ଶୋଚନୀୟ ହେବା ସହ ବେକାର ସମସ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରକାଶ କରିଥିଲେ । ଦେଶରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ବ୍ୟବସାୟ ବୃଦ୍ଧି କାରଣରୁ ଭାରତରେ ଆର୍ଥିକ ଅସମାନତା ବୃଦ୍ଧି ପାଇଛି । ଅନ୍ୟତମ ଅତିଥି ଭାବେ ଏ.ଆଇ.ଟି.ୟୁ.ସି ଜିଲ୍ଲା ସାଧାରଣ ସଂପାଦକ ମହେଶ୍ୱର ରାଉତ ଯୋଗଦେଇ କେନ୍ଦ୍ର ସରକାର ଖର୍ଚ୍ଚବ୍ୟୟ ରୋକିବା ଆଳରେ ପେନ୍ସନ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଙ୍କୁଶ ଲଗାଇ ବିଭିନ୍ନ ସୁବିଧା ସୁଯୋଗ ଦେଉନାହାଁନ୍ତି । କେନ୍ଦ୍ରରେ ଥିବା ମୋଦୀ ସରକାର ଦେଶୀ ଓ ବିଦେଶୀ କାର୍ପୋରେଟଙ୍କର ସ୍ୱାର୍ଥକୁ ଓ ବିଶ୍ୱସ୍ତରୀୟ ପୁଞ୍ଜିକୁ ପ୍ରତିନିଧିତ୍ୱ କରୁଛନ୍ତି । ଫଳରେ ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପରିଲକ୍ଷିତ ହେଉଛି । ଦେଶରେ ଦରବୃଦ୍ଧି ଅସହ୍ୟ ହୋଇ ପଡିଥିବା ବେଳେ ସାଧାରଣ ଲୋକ ଚଳିବା କଷ୍ଟକର ହୋଇପଡିଛି । ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଟି.ୟୁ.ସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତ, ସହସମ୍ପାଦକ କପିଳ ମହାନ୍ତି, ଉପସଭାପତି ରାଜାରାମ ମୁଣ୍ଡା, ଯତିନ୍ଦ୍ର ବେହେରା, ମହେଶ ନାୟକ, ବିଜିତ୍ ମହାନ୍ତ, ଅର୍ଜୁନ ମହାନ୍ତ, ଏମ୍ଡି ବଦ୍ରୁଦାମା, କ୍ଷିରୋଦ ମହାନ୍ତ, ହୃଦାନନ୍ଦ ପ୍ରଧାନ, କୈଳାଶ ଦାସ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ ।




Powered by odothemes.com