ପୁଞ୍ଜି ନିବେଶ ଲାଗି ଶିଳ୍ପପତିଙ୍କୁ ଆହ୍ୱାନ | ସର୍ବସାଧାରଣ ଖବରକାଗଜ
cm-mumbai

ପୁଞ୍ଜି ନିବେଶ ଲାଗି ଶିଳ୍ପପତିଙ୍କୁ ଆହ୍ୱାନ

55

ମୁମ୍ବାଇରେ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍’
ମୁମ୍ବାଇ, ୮ ।୮: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ଓ ବ୍ୟାପକ ସୁବିଧା ରହିଛି । ଏହି ପରିପ୍ରେକ୍ଷୀରେ ପୁଞ୍ଜି ନିବେଶ ପାଇଁ ନିବେଶକାରୀମାନେ ଓଡ଼ିଶା ଆସି ଏହାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇରେ ‘ମେକ୍ ଇନ୍ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ କନ୍କ୍ଲେଭ’ରେ ଯୋଗ ଦେଇ ଆହ୍ୱାନ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ୩୦୦ରୁ ଊଦ୍ଧ୍ୱର୍ କମ୍ପାନୀ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହେନ୍ଦ୍ରା, ମୁକୁନ୍ଦ, ଗୋଦରେଜ୍, ରିଲାଏନ୍ସ ଓ ଦୀପକ ନାଇଟ୍ରେଟ୍ ଭଳି ୧୦ରୁ ଊଦ୍ଧ୍ୱର୍ ବୃହତ କମ୍ପାନୀର ଅଧ୍ୟକ୍ଷ ଓ ନିଦେ୍ର୍ଦଶକମାନଙ୍କ ସହିତ ଆଲୋଚନା କରିଛନ୍ତି । ସେମାନେ ଓଡିଶାରେ ପୁଞ୍ଜି ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆସନ୍ତା ନଭେମ୍ବର ୧୧ରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବାପାଇଁ ନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାକୁ ପୂର୍ବାଞ୍ଚଳ ଭାରତର ପ୍ରବେଶ ପଥ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଥିବା ବିପୁଳ ପ୍ର୍ରାକୃତିକ ସମ୍ପଦ, ସୁଦୀର୍ଘ ବେଳାଭୂମି, ବିଦୁ୍ୟତ୍ ଶକ୍ତି ଓ ଜଳ ସମେତ ବନ୍ଦର ଉତ୍ତମ ସଡ଼କ ଯୋଗାଯୋଗ ଏବଂ କୁଶଳୀ ଯୁବଶକ୍ତିର ଭରପୁର ସୁଯୋଗର ସୁବିନିଯୋଗ କରାଯିବା ଆବଶ୍ୟକ । ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରାଯାଇଥିଲା । ସେଥିମଧ୍ୟରୁ ପ୍ରାୟ ୬୫% ପ୍ରକଳ୍ପ ପ୍ରତିଷ୍ଠାରେ ଅଗ୍ରଗତି ଘଟିଛି । ଅଧିକାଂଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାବେଳେ ଆଉ କେତେକ କାର୍ଯ୍ୟକାରୀ ହୋଇଛି । ମାନବ ସମ୍ବଳ ବୃଦ୍ଧି ଦିଗରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାର ଯେଉଁ ‘ସ୍କିଲ୍ଡ ଇନ୍ ଓଡିଶା’ କାର୍ଯ୍ୟକ୍ରମ କରୁଛନ୍ତି, ତାହା ବିଶ୍ୱସ୍ତରୀୟ । ସେହିଭଳି ଭୁବନେଶ୍ୱରରେ ୧୮ ମହଲା ବିଶିଷ୍ଟ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି । ଏଥିରେ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବ । ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏପରି ଉଦ୍ୟମ ନିବେଶକାରୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ଆଶା କରାଯାଉଛି । ଏଥିପୂର୍ବରୁ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ରୋଡ୍ ଶୋ କାର୍ଯ୍ୟକ୍ରମ କରି ସଫଳତା ପାଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୦ଟି ଷ୍ଟାଟ୍ଅପ୍ ପଞ୍ଜିକୃତ ହୋଇଛି । ସେ କହିଛନ୍ତି ଯେ ତାଙ୍କ ସରକାର ମାନବ ପୁଞ୍ଜିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବାସହ ସରକାର ସ୍କିଲ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ବିଶ୍ୱର ୫୦ଟି ସ୍ମାର୍ଟ ସିଟି ସରକାରରେ ଭୁବନେଶ୍ୱର ସ୍ଥାନ ପାଇଛି । ଏଥିସହ ୨୦୧୬ର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ୧ନଂ ତାଲିକାରେ ଥିବା ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ସମସ୍ତ ପୁଞ୍ଜି ନିବେଶକାରୀଙ୍କୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହଯୋଗରେ ମୁମ୍ବାଇରେ ଆୟୋଜିତ ଏହି ନିବେଶକ ରୋଡ୍ ଶୋ’ ବେଶ୍ ସଫଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ବହୁ ଶିଳ୍ପପତିଙ୍କୁ ସାକ୍ଷାତ୍ କରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ସିଏମ୍ଡି ମୁକେଶ ଅମ୍ବାନୀ, ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ଗୋଦ୍ରେଜ୍ ଗ୍ରୁପ୍ ଅଧ୍ୟକ୍ଷ ଆଦି ଗୋଦ୍ରେଜ୍, ରେମଣ୍ଡ ଗ୍ରୁପ୍ ସିଏମ୍ଡି ଗୌତମ ସିଘାଂନିୟା, ଫୁ୍ୟଚର୍ ଗ୍ରୁପ୍ ସିଇଓ ତଥା ପ୍ରତିଷ୍ଠାତା କିଶୋର ବିୟାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କମ୍ପାନୀ ଯୋଗଦେଇ ଓଡ଼ିଶାର ଫୋକସ୍ ସେକ୍ଟରରେ ନିବେଶ ପାଇଁ ସକାରାତ୍ମକ ମତପୋଷଣ କରିଛନ୍ତି । ବିଭିନ୍ନ ଫୋକସ୍ ସେକ୍ଟର ମଧ୍ୟରେ ଖାଦ୍ୟ ପ୍ରକିୟାକରଣ ଏବଂ ସମୁଦ୍ରଜାତ ଖାଦ୍ୟ, ଧାତୁ ସେକ୍ଟରର ଆନ୍ସିଲାରି ଏବଂ ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ବୟନ ଶିଳ୍ପ, ଇଏସ୍ଡିଏମ୍ ମାନୁଫାକଚରିଂ, କେମିକାଲ୍ସ୍, ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ୍ସ୍ ତଥା ପର୍ଯ୍ୟଟନ ଆଦି ସେକ୍ଟରରେ ନିବେଶ ପାଇଁ ବିସ୍ତୃତ ଆଲୋଚନା ହୋଇଛି । ଏହି ରୋଡ୍ ଶୋ’ ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ ଅନ୍ତର୍ଗତ ‘ଆଇ ଆମ୍ ଓଡ଼ିଶା’ ନାମକ ଏକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ‘ଆଇ ଆମ୍ ଓଡ଼ିଶା’ ରାଜ୍ୟରେ ସଫଳତା ହାସଲ କରିଥିବା ଶିଳ୍ପସଂସ୍ଥାଙ୍କ ପାଇଁ ଉପଯୋଗୀ ପ୍ଳାଟଫର୍ମ ଭାବେ କାର୍ଯ୍ୟ କରିଥିଲା । ସେମାନଙ୍କର ସଫଳତା କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲା ।
ନିବେଶକଙ୍କ ସହିତ ଆଲୋଚନା ସମୟରେ ରାଜ୍ୟରେ ଯୋଜନାବଦ୍ଧ ନିବେଶର ସକାରାତ୍ମକ ପ୍ରଭାବ, ବ୍ୟବସାୟ ଆରମ୍ଭ ପାଇଁ କମ୍ ପରିମାଣ ନିବେଶ, ନିର୍ଦ୍ଦିଷ୍ଟ ସେକ୍ଟର ଉପଯୋଗୀ କ୍ଷେତ୍ର ତଥା ଶିଳ୍ପ ବିକାଶ ପାଇଁ ୧,୨୫,୦୦୦ ଏକର ଲ୍ୟାଣ୍ଡ୍ ବ୍ୟାଙ୍କ ଥିବା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ନଗର ଇଣ୍ଡଷ୍ଟି୍ରଆଲ ଇନ୍ଫ୍ରାଷ୍ଟକଚର ନ୍ୟାସନାଲ ମାନୁଫାକଚରିଂ ଜୋନ୍(ଏନ୍ଆଇଏମ୍ଜେଡ୍) ଖୋର୍ଦ୍ଧା ଓ ଛତାବର ଖାଦ୍ୟ ପ୍ରକିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ଥିବା ଟେକ୍ସଟାଇଲ୍ସ୍ ତଥା ଆପେରାଲ୍ ପାର୍କ, ଅନୁଗୁଳର ଅଲୁମିନିୟମ୍ ପାର୍କ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ପ୍ରତିନିଧି ଉପସ୍ଥିତ ଥିଲେ । ରାଜ୍ୟରେ ଅଧିକ ନିବେଶ ପାଇଁ ଏହି ଅବସରରେ ପ୍ରୟାସ କରାଯାଇଥିଲା ।
୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପରେ ୨୦୧୭ ନଭେମ୍ବରରେ ହୋଇଥିବା ସମ୍ମିଳନୀରେ ୧୫ ମାନୁଫାକଚରିଂ ୟୁନିଟ୍ ୧୧,୬୯୦ କୋଟି ଟଙ୍କାର ନିବେଶ କରିଥିବା ବେଳେ ୮,୧୮୭ ନିୟୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିଲା । ସେହିପରି ୨୦୧୮ ଜୁନ୍ରେ ୭ଟି ମାନୁଫାକଚରିଂ ୟୁନିଟ୍ ଏବଂ ୧୨ଟି ସହଯୋଗୀ ୟୁନିଟ୍ ସକାରାତ୍ମକ ମନୋଭାବ ପ୍ରକାଶ କରିଥିବାବେଳେ ୨,୬୭୫ କୋଟି ଟଙ୍କାର ନିବେଶ କରିବାକୁ ସହମତି ଦେଇଛନ୍ତି । ଏହାଦ୍ୱାରା ୮,୯୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସୂଚନାଥାଉକି, ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଭୁବନେଶ୍ୱରରେ ନଭେମ୍ବର ୧୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।




Powered by odothemes.com