DHARANA-RE-BAURIPADA-PANCHAYET,KJR

ରାସ୍ତା ମରାମତି ଦାବି: ବାଉରିପଦା ପଞ୍ଚାୟତରେ ତାଲା ଓ ଧାରଣା

189

କେନ୍ଦୁଝର,୭ା୮(ଆପ୍ର): ସଦର ବ୍ଲକ ଅଞ୍ଚଳରେ ଥିବା ବାଉରିପଦା ଗ୍ରାମପଞ୍ଚାୟତର କେମ୍ପସଢା ଗ୍ରାମବାସୀଙ୍କ ଦ୍ୱାରା ସାତଦଫା ଦାବି ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଗେଟ୍ରେ ତାଲା ପକାଯିବା ସହ ଗେଟ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ରାଜ୍ୟ ତଥା କେନ୍ଦ୍ରସରକାର ଗ୍ରାମାଞ୍ଚଳର ବିକାଶ ଓ ଗମନାଗମନର ସୁବିଧା ପାଇଁ ସବୁ ଗାଁର କଚା ରାସ୍ତାକୁ କଂକ୍ରିଟ କରଣ କରୁଥିବା ବେଳେ ଜିଲ୍ଲା ହେଡ୍କ୍ୟାର୍ଟର ଠାରୁ ମାତ୍ର ୫ କି.ମି. ଦୂର ବାଉରିପଦା ପଞ୍ଚାୟତ କେମ୍ପସଢା ଗାଁ ରାସ୍ତା ଆଜି ସୁଦ୍ଧା କଂକ୍ରିଟ୍କରଣ ହେବା ଦୂରର କଥା ମାଟି ମୁଠାଏ ହେଲେ ପଡିନାହିିଁ । ଏନେଇ ଅଞ୍ଚଳବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ବିବରଣୀ ଅନୁସାରେ କେମ୍ପସଢା ଗ୍ରାମର ସାହିରାସ୍ତା ଏବଂ ମୁଖ୍ୟରାସ୍ତା ପର୍ଯ୍ୟନ୍ତ କଂକ୍ରିଟ୍ କରାଯାଇ ନଥିବା ବେଳେ ଗାଁ ମଝି ରାସ୍ତାରେ ଡ୍ରେନ୍ ତିଆରି ହୋଇନାହିଁ । ଫଳରେ ବର୍ଷା ସମୟରେ ଗାଁ ମାହାରିଆରୁ ଦୂଷିତ ପାଣି ଘରେ ପଶି ଅତ୍ୟନ୍ତ କଦର୍ଯ୍ୟ ପରିସ୍ଥିତି ସୃଷ୍ଟି କରୁଛି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ପରେ ମଧ୍ୟ କୌଣସି ସରକାରୀ ଅଧିକାରୀ, କର୍ମଚାରୀ ଏ ସମ୍ପର୍କରେ ବୁଝିବା ପାଇଁ ଘଟଣା ସ୍ଥଳକୁ ଯାଇନାହାଁନ୍ତି । ଆର୍ଡିରୋଡ, ଲକ୍ଷ୍ମୀମଣ୍ଡପ, ମହାରଣା ସାହି, କେମ୍ପସଢା ହୁଡି, ରଜାବନ୍ଧ ହୁଡା, ଶିଶୁମନ୍ଦିର, ମୁଣ୍ଡା ସାହି ଆଦି ମୁଖ୍ୟସ୍ଥାନକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ପର୍ଯ୍ୟନ୍ତ ମୁଠାଏ ହେଲେ ମାଟି ମଧ୍ୟ ପଡିନାହିଁ । ଫଳରେ ସାମନ୍ୟ ବର୍ଷାରେ ଗାଁ ଦାଣ୍ଡ କେନାଲର ଭ୍ରମ ସୃଷ୍ଟି କରୁଛି । ସେହିଭଳି ସାହାଡାପୁର ଏବଂ କେମ୍ପସଢା ଗାଁରେ ଖେଳପଡିଆ ନଥିବାରୁ ଗ୍ରାମାଞ୍ଚଳ କ୍ରୀଡାର ବିକାଶ ହୋଇ ପାରୁନାହିଁ । ଏ ସମସ୍ତ ଅଭାବ ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଗ୍ରାମବାସୀ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟ ଗେଟ୍ରେ ତାଲା ପକାଇବା ସହ ବାପୁଜୀ ଯୁବକ ସଂଘ ସଦସ୍ୟଙ୍କ ସହ ମିଶି ଧାରଣାରେ ବସିଛନ୍ତି ଏବଂ ଦାବିପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com