ଛାତ ଫାଟି ଅାଁ କଲାଣି, ପ୍ଲାଷ୍ଟର୍ ଖସି ରଡ୍ ଦିଶୁଛି | ସର୍ବସାଧାରଣ ଖବରକାଗଜ
jajpur--bipada-re-aratha-pur-batyasraya-sthala-photo--1

ଛାତ ଫାଟି ଅାଁ କଲାଣି, ପ୍ଲାଷ୍ଟର୍ ଖସି ରଡ୍ ଦିଶୁଛି

12

ବିପଦସଙ୍କୁଳ ବାତ୍ୟା ଆଶ୍ରୟସ୍ଥଳ
ବରୀ(ଆପ୍ର): ବରୀ ବ୍ଲକ୍ ଅମଠପୁର ପଞ୍ଚାୟତ ଅସଲପୁର ସ୍ଥିତ ଗୋପାଳଚରଣ ନୋଡାଲ ବିଦ୍ୟାଳୟ ପରିସରରେ ଥିବା ବତ୍ୟା ଆଶ୍ରୟ ସ୍ଥଳ ଏବେ ବିପଦସଙ୍କୁଳ । ୧୮ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବତ୍ୟାଶ୍ରୟ ସ୍ଥଳର ଛାତ ଫାଟି ଆଁ କରିଥିବା ଏହି ଫଟା ଛାତ ଦେଇ ବର୍ଷା ପାଣି ଗଳୁଛି । ଏପରିକି ବାତ୍ୟା ଆଶ୍ରୟସ୍ଥଳର ସମସ୍ତ ଗୃହର ଛାତରୁ ସିମେଣ୍ଟ ଓ ଚିପ୍ସ ଖସିଯାଇ ଲୁହାରଡ୍ ଦିଶୁଛି । ଫଳରେ ଭବିଷ୍ୟତରେ ଏହି ବାତ୍ୟାଶ୍ରୟ ସ୍ଥଳଟି ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି । ସେହିପରି ଆଶ୍ରୟ ସ୍ଥଳର ଝରକା ଓ କବାଟ ଭାଙ୍ଗି ଯାଇଛି । ଆଶ୍ରୟସ୍ଥଳର ଏପରି ପରିସ୍ଥିତି ଯୋଗୁ ଏବେ ଗେପାଳଚରଣ ନୋଡାଲ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ।
ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶତାଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ୭ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀକକ୍ଷ ଥିବାବେଳେ ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବାତ୍ୟାଶ୍ରୟ ସ୍ଥଳରେ ଶିକ୍ଷାଦାନ କରି ଆସୁଛନ୍ତି । ହେଲେ ଆଶ୍ରୟସ୍ଥଳ ଦୁର୍ବଳ ହୋଇ ପଡିଥିବାରୁ ଭବିଷ୍ୟତରେ ଶତାଧିକ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ପ୍ରଶାସନକୁ ଅବଗତ କରାଯାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ ବୋଲି ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମହାନ୍ତି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଆଶ୍ରୟସ୍ଥଳର ଏପରି ସମସ୍ୟା ସମ୍ପର୍କରେ ବିଡିଓ ଅଶୋକ ବେହୁରିଆ ଅବଗତ ନଥିବା କହିଛନ୍ତି । ଯଦି ବିପଜ୍ଜନକ ଅବସ୍ଥା ଦେଇ ଏହା ଗତି କରୁଛି ତେବେ ଏହାର ତୁରନ୍ତ ମରାମତି କରାଯିବ ବୋଲି ବିଡିଓ କହିଛନ୍ତି । ସୂଚନା ଯେ ଗତ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି ଆନୁକୂଲ୍ୟରେ ଏମ୍ସିଏଲ୍ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଇଏଫ୍ଏନ୍ ରିବେରିଓ ଆସୋସିଏଟ ଠିକାସଂସ୍ଥା ଏହାକୁ ନିର୍ମାଣ କରିଥିଲା ।




Powered by odothemes.com