ସମ୍ପତ୍ତି ପାଇଁ ୫୩% ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର

59

ଭୁବନେଶ୍ୱର,୧୫ା୬(ବୁ୍ୟରୋ): ୭୩% ଭାରତୀୟ ଯୁବବର୍ଗଙ୍କ ମତ ଅନୁସାରେ ଅଧିକାଂଶ ବୟସ୍କ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଦ୍ୱାରା ଦୁର୍ବ୍ୟବହାର ଓ ନିର୍ଯାତନାର ଶିକାର ହେଉଛନ୍ତି । ଦେଶର ୫୩ % ବୟୋଜ୍ୟେଷ୍ଠଙ୍କୁ ସଂପତ୍ତି ପାଇଁ ଦୁର୍ବ୍ୟବହାର କରାଯାଉଥିବା ବେଳେ ୩୬ ପ୍ରତିଶତ କେବଳ ବ୍ୟକ୍ତିଗତ ବ୍ୟବହାର ଓ ପାରସ୍ପରିକ ସଂପର୍କରେ ସମସ୍ୟା ଯୋଗୁଁ ଉପିନ୍ନ ହୋଇଥାଏ । ଏକ ସର୍ବଭାରତୀୟ ସର୍ଭେ ତଥ୍ୟ ଅନୁଯାୟୀ ଘରର ବୋହୁ ଏହି ଦୁର୍ବ୍ୟବହାର ପାଇଁ ମୁଖ୍ୟତଃ ଦାୟୀ । ସେହିପରି ଯୁବବର୍ଗଙ୍କ ମତ ଅନୁସାରେ ୨୪% କ୍ଷେତ୍ରରେ ଏଭଳି କାରଣ ପାଇଁ ପୁଅ ହିଁ ଦାୟୀ । ସର୍ଭେ ସମୟରେ ୮୭% ଯୁବବର୍ଗଙ୍କ ମନ୍ତବ୍ୟ ହେଲା, ଯୁଗ୍ମ ପରିବାରରେ ରହିଲେ ଏପରି ଦୁର୍ବ୍ୟବହାରର ପରିମାଣ କମ୍ ହୋଇପାରିବ । କିନ୍ତୁ ୬୭% କହନ୍ତି ଯେ ବୟସ୍କ ବ୍ୟୟୋଜ୍ୟେଷ୍ଠଙ୍କ ସାମାଜିକ ଚଳଣି ତଥା ନିଜର ସଞ୍ଚିତ ଅର୍ଥର ସୁପରିଚାଳନା ସେମାନଙ୍କୁ ଏକ ସୁସ୍ଥ ବାତାବରଣରେ ରହିବାର ସୁଯୋଗ ଦେବ । ମୁଖ୍ୟତଃ ଅର୍ଥିକ, ଜୀବନଶୈଳୀ, ଜେନେରେସନ ଫେକ୍ଟର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ବୟୋଜ୍ୟେଷ୍ଠଙ୍କ ପ୍ରତି ଦୁର୍ବ୍ୟବହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।
ଏଠି ପ୍ରଶ୍ନଉଠେ ଯେ ଯଦି ଯୁବବର୍ଗ ଏହି ସମସ୍ୟା ବାବଦରେ ଏତେ ସଚେତନ ତାହେଲେ ୫୦% ବୟସ୍କ ବ୍ୟକ୍ତି କାହିଁକି କୌଣସି ନା କୌଣସି ପ୍ରକାରର ନିର୍ଯ୍ୟାତନାର ଶିକାର ହେଉଛନ୍ତି? ଏହା ଆଶ୍ଚର୍ଯ୍ୟଜନକ ଯେ ଆଜିର ଯୁବବର୍ଗ ଏହି ସମସ୍ୟା ବାବଦରେ ଜାଣନ୍ତି ଓ ଏହା ମଧ୍ୟ୍ୟ ବୁଝନ୍ତି ଯେ ଏଭଳି ବ୍ୟବହାର ବଢିବାର କାରଣ କଣ । ସେମାନଙ୍କ ପାଖରେ ଏହାର ସମାଧାନର ପନ୍ଥା ମଧ୍ୟ ରହିଛି ହେଲେ ସେମାନେ କୌଣସି ପଦକ୍ଷେପ ନେବାକୁ ଚାହାନ୍ତିନାହିଁ । କେବଳ ଦିଲ୍ଲୀରେ ୮୫% ଯୁବଗୋଷ୍ଠୀ ମାନନ୍ତି ଯେ ବୟସ୍କ ବ୍ୟକ୍ତି ଦୁର୍ବ୍ୟବହାରର ଶିକାର ହେଉଛନ୍ତି କିନ୍ତୁ ତା ମଧ୍ୟରୁ ୯୨% ଏ ବାବଦରେ କୌଣସି ପଦକ୍ଷେପ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ‘ବିଶ୍ୱ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ହେଲ୍ପଏଜ୍ ଇଣ୍ଡିଆ ଏକ ଦେଶବ୍ୟାପି ସର୍ଭେ ରିପୋର୍ଟ ପ୍ରକାଶକରିଛି ।
‘ବରିଷ୍ଠ ନାଗରିକ ଦୁର୍ବ୍ୟବହାର–ଭାରତୀୟ ଯୁବବର୍ଗଙ୍କମୁହଁରୁ’ ଏବଂ ଜନ ସଚେତନତା ବୃଦ୍ଧି ନିମନ୍ତେ ବରିଷ୍ଠ ନାଗରିକଙ୍କ ପ୍ରତି ଦୁର୍ବ୍ୟବହାର ବିରୋଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଭାରତର ଦିଲ୍ଲୀ, କଲିକତା, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ୍, ଅହମଦାବାଦ, ନାଗପୁର, କାନପୁର ଓ ମଦୁରାଇ ଭଳି ୧୦ଟି ସହରରେ ଏହି ସର୍ଭେ ହୋଇଥିଲା । ଏହି ସର୍ଭେରେ ୨୫ ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର ବରିଷ୍ଠ ନାଗରିକଙ୍କ ପ୍ରତି ଦୁର୍ବ୍ୟବହାର ସଂପର୍କରେ ମତାମତ ନିଆ ଯାଇଥିଲା । ଏହି ରିପୋର୍ଟ ଅନୁସାରେ ଉକ୍ତ ଯୁବବର୍ଗଙ୍କୁ ଏଥିପ୍ରତି ସମ୍ବେଦନଶୀଳ କରିବା ସଂସ୍ଥାର ମୂଳ ଉଦ୍ଧେଶ୍ୟ ବୋଲି ହେଲ୍ପଏଜ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର କହିଥିଲେ । ଆହୁରି ମଧ୍ୟ ଆଜିର ଯୁବବର୍ଗ ଏହି ଅପରାଧ ବିରୁଦ୍ଧରେ ସ୍ୱରୋତ୍ତଳନ କରିବାକୁ ସଚେତନ କରାଯାଇଥିଲା । ଆଜି ରେଡକ୍ରସ୍ ଭବନରେ ହେଲ୍ପଏଜ୍ ଇଣ୍ଡିଆର ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ରଙ୍କ ଉପସ୍ଥିତିରେ ଉକ୍ତ ସର୍ଭେ ରିପୋର୍ଟକୁ ଲୋକାର୍ପିତ କରି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ତମ୍ଭକାର କେଦାର ମିଶ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ, ରାଜ୍ୟ ବରିଷ୍ଠ ନାଗରିକ ମଞ୍ଚର ଅଧ୍ୟକ୍ଷ କୃପାସିନ୍ଧୁ ସାହୁ ଓ ସଂପାଦକ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com