IMG-20180731-WA0035

ସଡ଼କ ଦୁର୍ଘଟଣାରେ ୪ ମୃତ

53

କେନ୍ଦୁଝର,୩୧ା୭(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସଦରଥାନା ଅନ୍ତର୍ଗତ ମୈଦାନକେଲା ନିକଟସ୍ଥ ସରାଦପୁର ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସୁଇପ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ କାର୍ ଯୋଗେ ମୟୂରଭଞ୍ଜ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୨୫ତମ ଜନ୍ମ ଶତବାର୍ଷିକ ସତସଙ୍ଗ ସାରି ଓଡ଼ି୦୨-ଏକୁ୍ୟ-୦୩୨୪ ନମ୍ବର ମାରୁତି ସୁଇଫ୍ଟ କାର୍ରେ ଫେରୁଥିବା ବେଳେ ରାତ୍ର ପ୍ରାୟ ୨ଟା ସମୟରେ ପାଟଣା-କେନ୍ଦୁଝର ରାସ୍ତାର ସଦର ଥାନା ଅନ୍ତର୍ଗତ ମଇଦାନକେଲା ଶରଧାପୁର ଛକ ନିକଟରେ ଚାଳକ କମଳାକ୍ଷ(୨୬)ଙ୍କ ଆଖି ଲାଗିଯାଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ଏକ ଶାଳଗଛକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗଛରେ ଚାପି ହୋଇ କଳ୍ପତରୁ ତୀର୍ଥବାସୀ ପରିଡା, ଚୈତନ୍ୟ ବିକାଶ ସାହୁ, ପ୍ରଶାନ୍ତ ପାତ୍ର ଓ ରାଜେଶ ଗୁରୁ୍ଙ୍କର ମୃତୁ୍ୟ ହୋଇଯାଇଥିଲା । ଗାଡି ଚଳାଉଥିବା କଳ୍ପତରୁଙ୍କ ପୁଅ କମଳାକ୍ଷ ଡ୍ରାଇଭର ସିଟ୍ ସମ୍ମୁଖରେ ଲାଗିଥିବା ଏୟାରବ୍ୟାଗ ଯୋଗୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପରେ ସେ ଧୈର୍ଯ୍ୟ ସହକାରେ ଘଟଣା ସମ୍ପର୍କରେ ତାଙ୍କ ସଂପର୍କୀୟଙ୍କୁ ଫୋନରେ ଜଣାଇଥିଲେ । ଅପରପକ୍ଷରେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ସଦର ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗ୍ୟାସ୍କଟର ସାହାଯ୍ୟରେ ଗାଡିର କବାଟ କାଟି ମୃତକଙ୍କର ଶବ ଉଦ୍ଧାର କରିଥିଲେ ଏବଂ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଆହତଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସଦର ପୁଲିସ ଏକ ମାମଲା ରୁଜ୍ଜୁ କରି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ୍ କରିଥିବା ବେଳେ ମୃତକଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଘଟଣାରେ ସମଗ୍ର ଜିଲ୍ଲାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାରେ ସହର ତଥା ଜିଲ୍ଲାର ବିଭିନ୍ନ ବର୍ଗରୁ ଶୋକବ୍ୟକ୍ତ କରାଯାଇଛି । ମୃତକମାନେ ହେଉଛନ୍ତି ସରକାରୀ ଖଣି ଓ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡା, ଗାୟତ୍ରୀ କଲେଜର ଉପାଧ୍ୟକ୍ଷ ଚୈତନ୍ୟ ବିକାଶ ସାହୁ ଓ କଟକର ପ୍ରଶାନ୍ତ କୁମାର ପାତ୍ର ଓ ରାଜେଶ କୁମାର ଗୁରୁ । ତେବେ ଅଧ୍ୟକ୍ଷଙ୍କ ବିୟୋଗରେ ଓଏସ୍ଏମ୍ଇ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଶୋକସଭା କରାଯାଇଥିଲା । ପରେ ପରେ ଅଧ୍ୟକ୍ଷଙ୍କର ଶବକୁ ଏକ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com