prv_1533051411

ଆଜିଠୁ ବିରାଟ ଟେଷ୍ଟ

47

ବର୍ମିଂହାମ୍, ୩୧ା୭ (ଏଜେନ୍ସି): ବୁଧବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଭାରତୀୟ ଦଳ ବିଦେଶ ଗସ୍ତରେ ଦୁର୍ବଳ ପ୍ରଦର୍ଶନର କଳଙ୍କ ମିଟାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅନ୍ୟପଟେ ଆୟୋଜକ ଦଳ ନିଜ ମାଟିରେ ଟେଷ୍ଟ କ୍ରିକେଟ୍ରେ ହଜିଲା ଫର୍ମ ହାସଲ ପାଇଁ ପ୍ରୟାସ କରିବ । ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ ହେବ । ଆଇସିସି ଟିମ୍ ମାନ୍ୟତାରେ ଉଭୟ ଦଳ ମଧ୍ୟରେ ଲମ୍ବା ପାର୍ଥକ୍ୟ ଅଛି । ଭାରତ ବିଶ୍ୱର ଏକ ନମ୍ବର ଟେଷ୍ଟ ଦଳ ହୋଇଥିବା ବେଳେ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି । ଇଂଲଣ୍ଡ ଆଗରେ ଏଥିରେ ସୁଧାର ଆଣିବାର ଆହ୍ୱାନ ରହିଛି ଅଥଚ ଭାରତ ଶୀର୍ଷରେ ନିଜ ସ୍ଥିତି ମଜଭୁତ କରିବାକୁ ଚାହିଁବ ।
ରେକର୍ଡକୁ ଦେଖିଲେ, ଇଂଲଣ୍ଡ ଦଳ ଭାରତ ଠାରୁ ଆଗରେ ରହିଛି । ଭାରତ ଶେଷ ଥର ରାହୁଲ୍ ଦ୍ରାବିଡ଼ଙ୍କ ନେତୃତ୍ୱରେ ୨୦୦୭ରେ ଇଂଲଣ୍ଡ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା । ଅବଶ୍ୟ ବିରାଟ କୋହଲିଙ୍କ ପାଖରେ ଏହି ସଫଳତାକୁ ଦୋହରାଇବା ସହଜ ହେବନାହିଁ । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୧୧ ଓ ୨୦୧୪ରେ ଯଥାକ୍ରମେ ୦-୪ ଓ ୧-୩ରେ ପରାଜିତ ହୋଇଥିଲା । ଇଂଲଣ୍ଡରେ ଭାରତ ୫୭ଟି ଟେଷ୍ଟ ଖେଳିଥିବା ବେଳେ ମାତ୍ର ଛଅଟିରେ ବିଜୟ ହାସଲ କରିଛି । ଏଥିରୁ ତିନିଟି ବିଜୟ ୨୦୦୨ ପରେ ହାସଲ ହୋଇଛି । ଭାରତର ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ସେହି ଟେଷ୍ଟ ଦଳର ସଦସ୍ୟ ଥିଲେ, ଯେଉଁ ଦଳ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଲିଡ୍ସରେ ବିଜୟୀ ହୋଇଥିଲା । ୱିକେଟ୍ରକ୍ଷକ ଦିନେଶ କାର୍ତ୍ତିକ ୨୦୦୭ ଦଳରେ ଥିଲେ । ଅଧିନାୟକ କୋହଲି ଓ ପେସର୍ ଈଶାନ୍ତ ଶର୍ମା ୨୦୧୪ରେ ଏଠାକୁ ଗସ୍ତରେ ଆସିଥିଲେ ।ÿଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତ ସମୟର ତ୍ରୁଟିରୁ ବର୍ତ୍ତିବାକୁ ହେବ । ସେହି ସମୟରେ ଟିମ୍ ମ୍ୟାନେଜ୍ମେଣ୍ଟ ଅଜିଙ୍କ୍ୟ ରାହାଣେଙ୍କ ପରିବର୍ତ୍ତେ ରୋହିତ୍ ଶର୍ମାଙ୍କୁ ଅଗ୍ରାଧିକାର ଦେଇଥିଲା । ଏଥର ଲୋକେଶ ରାହୁଲ୍ ଚୟନର ଦାବିଦାର ଅଛନ୍ତି ହେଲେ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କହିବାନୁଯାୟୀ ରାହୁଲ୍ଙ୍କୁ ତୃତୀୟ ଓପ୍ନର୍ ସୁଯୋଗ ପାଇଁ ଅପେକ୍ଷା କରିବାକୁ ହେବ । ରାହୁଲ୍ ଅବଶ୍ୟ ଏସେକ୍କ ବିପକ୍ଷ ୱାର୍ମଅପ୍ରେ ୫୮ ଓ ଅପରାଜିତ ୩୬ ରନ୍ର ଇନିଂସ୍ ଖେଳିଥିଲେ । ଅନ୍ୟପଟେ ଧାବନ୍ ଉଭୟ ଇନିଂସ୍ରେ ଖାତା ଖୋଲିପାରି ନ ଥିଲେ ଏବଂ ମାତ୍ର ଚାରିଟି ବଲ୍ ଖେଳିଥିଲେ । ଚାରିବର୍ଷ ପୂର୍ବେ ସେ ବାଉନ୍ସ ହେଉଥିବା ଡୁ୍ୟକ୍ ବଲ୍ର ସାମ୍ନା କରିପାରି ନ ଥିଲେ ଏବଂ ତିନିଟି ଟେଷ୍ଟରେ ମାତ୍ର ୧୨୨ ରନ୍ ସଂଗ୍ରହ କରିଥିଲେ । ଚେତେଶ୍ୱର ପୂଜାରା ମଧ୍ୟ ଏବେ ଫର୍ମରେ ନାହାନ୍ତି । ସେ ୟର୍କସାୟାର ବିପକ୍ଷରେ ଛଅଟି କାଉଣ୍ଟି ମ୍ୟାଚ୍ ଖେଳି ମୋଟ୍ ୧୭୨ ରନ୍ କରିଥିଲେ । ସେ ବେଙ୍ଗାଲୁରୁ ଠାରେ ଆଫଗାନିସ୍ତାନ ବିପକ୍ଷରେ ମାତ୍ର ୩୫ ରନ୍ର ଇନିଂସ୍ ଖେଳିଥିଲେ । ୱାର୍ମଅପ୍ରେ ସେ ୧ ଓ ୨୩ ରନ୍ କରିଥିଲେ । ଶୃଙ୍ଖଳାର ସକାରାତ୍ମକ ଆରମ୍ଭ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଅଧିକ ଚାପ ରହିବା ସ୍ୱାଭାବିକ । କୋହଲିଙ୍କୁ ଭଲ ବ୍ୟାଟିଂ ପ୍ରଦର୍ଶନ ସହ ବିଦେଶରେ ନେତୃତ୍ୱ ଦକ୍ଷତାକୁ ମଧ୍ୟ ପ୍ରମାଣିତ କରିବାକୁ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ୨୦୧୪ରେ ୧୦ଟି ଇନିଂସ୍ରୁ ମାତ୍ର ୧୩୪ ରନ୍ ସଂଗ୍ରହ କରିଥିଲେ । ବୋଲିଂରେ ରବିଚନ୍ଦ୍ରନ୍ ଅଶ୍ୱିନ ଓ ଈଶାନ୍ତଙ୍କ ପାଖରେ କାଉଣ୍ଟି ଅଭିଜ୍ଞତା ରହିଛି । ଅନୁମାନ କରାଯାଉଛି ଯେ ଭାରତୀୟ ବୋଲର୍ ପୂର୍ବାପେକ୍ଷା ଭଲ ପ୍ରସ୍ତୁତି କରିଛନ୍ତି । ତେବେ ଅଶ୍ୱିନ ଓ ଅନ୍ୟ ସ୍ପିନର୍ଙ୍କ ଚୟନ ନେଇ ଦ୍ୱନ୍ଦ୍ୱ ରହିଛି । ଗରମ ପରେ ଏବେ ଏଠାରେ ଥଣ୍ଡା ପବନ ପ୍ରବାହିତ ହେଉଛି । ଶନିବାରରୁ ମଙ୍ଗଳବାର ଯାଏ ଏଠାରେ ପ୍ରବଳ ବର୍ଷା ହୋଇଥିଲା । ବୁଧବାର ମ୍ୟାଚ୍ ସମୟ ବେଳକୁ ପଡ଼ିଆ ଶୁଷ୍କ ହୋଇଯିବଣି ।˜ ସମ୍ଭାବ୍ୟ ଭାରତୀୟ ଏକାଦଶ: ଶିଖର ଧାବନ୍/ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧନାୟକ), ଅଜିଙ୍କ୍ୟ ରାହାଣେ, ଦିନେଶ କାର୍ତ୍ତିକ (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ୍ ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା/ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ ।

ସେଆର କରନ୍ତୁ:



Powered by odothemes.com