ଆଜି ଗୁରୁପ୍ରିୟାର ଲୋକାର୍ପଣ

32

ଭୁବନେଶ୍ୱର, ୨୫ା୭(ବୁ୍ୟରୋ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମାଲକାନାଗିରି ଗସ୍ତରେ ଯାଇ ଜିଲ୍ଲାବାସୀଙ୍କ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁର ଲୋକାର୍ପଣ କରିବେ । ଏହାଛଡା ମାଲକାନାଗିରି ଜିଲ୍ଲା ସଦରମହକୁମାରେ ନୂତନଭାବେ ନିର୍ମିତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଦ୍ଘାଟନ କରିବେ । ଏହି ଅବସରରେ ଏକ ବିଶାଳ ଜନସମାବେଶକୁ ସେ ସମ୍ବୋଧିତ କରିବେ । ଅପରପକ୍ଷରେ ଗୁରୁପ୍ରିୟା ସେତୁର ଗୁଣାତ୍ମକ ମାନ ନେଇ କେନ୍ଦ୍ର ସଡକ ଗବେଷଣା ପ୍ରତିଷ୍ଠାନ (ସିଆର୍ଆର୍ଆଇ) ସନ୍ତୋଷବ୍ୟକ୍ତ କରିବା ସହ ବ୍ୟାପକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟ ସରକାର ଏହାକୁ ନିର୍ମାଣ କରିଥିବାରୁ ପ୍ରଶଂସା କରିଛନ୍ତି ।
ଗୁରୁପ୍ରିୟା ସେତୁର ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ସେତୁର ଅପରପାଶ୍ୱର୍ରେ ଥିବା ବଡପଡା ଗ୍ରାମର ପାଖାପାଖି ୫ ହଜାର ଓ ମାଓ ପ୍ରବଣ ଯନ୍ତାପାଇର ୧ ହଜାର ଆଦିବାସୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଡିଆର୍ଜି ଓ ଏସ୍ଓଜି ଯବାନମାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ କରାଯାଇଛି । କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯାଇ ଚିତ୍ରକୋଣ୍ଡା ଅଞ୍ଚଳରେ ଗାଡିମୋଟର ଚଳାଚଳ ବନ୍ଦ କରିବା ଲାଗି ଡାକରା ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଆଜି ପୁଲିସ୍ ୫ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସେପଟେ ସୀମାନ୍ତରେ ୨୮ରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ବିଭିନ୍ନ ପୋଷ୍ଟର ଲଗାଯାଇଛି । ବିଗତ ଦିନରେ ପୁଲିସ୍ ଦ୍ୱାରା ନିହତ ହୋଇଥିବା ମାଓବାଦୀ ସାଥୀଙ୍କ ପ୍ରତିଶୋଧ ନିଆଯିବ ବୋଲି କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏସ୍ପି ଜଗମୋହନ ମୀନା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।
ସେତୁ ଉଦ୍‌ଘାଟନ ପୂର୍ବରୁ ଏହାର ଗୁଣବତ୍ତା ସଂକ୍ରାନ୍ତରେ ସିଆର୍‌ଆର୍‌ଆଇ ପକ୍ଷରୁ ଏକ ୭ ଜଣିଆ ବିଶେଷଜ୍ଞ ଦଳ ନୂଆଦିଲ୍ଲୀରୁ ଆସି ବ୍ୟାପକ ଅନୁଧ୍ୟାନ କରିଥିଲେ । ରାଜ୍ୟ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଐକାନ୍ତିକ ଉଦ୍ୟମ ଫଳରେ ସମସ୍ତ ପ୍ରତିକୂଳ ଆହ୍ୱାନର ମୁକାବିଲା କରି ଯେଉଁମାନେ ଏହି ସେତୁ ନିର୍ମାଣ କାର୍ଯ୍ୟକୁ ସଫଳ କରିଛନ୍ତି ସେମାନଙ୍କୁ ସିଆର୍‌ଆର୍‌ଆଇ ଧନ୍ୟବାଦ ଅର୍ପଣ କରିଛି ।
ଗୁରୁପ୍ରିୟା ନଦୀ ଉପରେ ନିର୍ମିତ ହୋଇଥିବା ୯୧୦ ମିଟର ଦୈର୍ଘ୍ୟର ସେତୁ ଲାଗି ୧୯୮୬ ମସିହାରୁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଚଳାଇ ଆସିଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ବାରମ୍ବାର ବିଫଳ ହେଉଥିଲା । ଗୋଟିଏ ପଟେ ମାଓବାଦୀମାନଙ୍କ ଚରାଭୂଇଁ ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳରେ ଏହି ସେତୁ ନିର୍ମାଣ ଲାଗି ଉଭୟ ଯନ୍ତ୍ରୀ ଓ ଠିକାଦାରମାନେ ଅନେକଥର ପଛଘୁଞ୍ଚା ଦେଇଥିବା ବେଳେ ୭୦ରୁ ୯୦ ଫୁଟ ଗଭୀର ଜଳରାଶି ଉପରେ ଏହି ସେତୁ ନିର୍ମାଣ କରିବା ମଧ୍ୟ କାଠକର ପାଠ ଥିଲା ।
ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ସମେତ କେନ୍ଦ୍ର ସରକାରଙ୍କ ପରିବହନ ଓ ରାଜପଥ ମନ୍ତ୍ରାଳୟ କିନ୍ତୁ ଏହି ସେତୁ ନିର୍ମାଣକୁ ଆହ୍ୱାନ ଭାବେ ଗ୍ରହଣ କରିଥିଲେ । ୨୦୦୬ ମସିହାରେ ମୁମ୍ବାଇର ଗେମନ୍‌ ଇଣ୍ଡିଆ ଏହି ସେତୁ ନିର୍ମାଣର ଠିକା ନେଇଥିଲା । ତେବେ ମାଓବାଦୀଙ୍କ ଭୟ ଓ ବୈଷୟିକ କାରଣ ଦୃଷ୍ଟିରୁ ଏହି ପ୍ରତିଷ୍ଠିତ ସଂସ୍ଥା ବି କାର୍ଯ୍ୟ ସମ୍ପାଦନ କରିପାରିନଥିଲା । ଏମିତିକି ଭାରତ ସରକାରଙ୍କ ଗାର୍ଡେନ୍‌ ରିଚ୍‌ ସିପ୍‌ ବିଲ୍ଡର୍‌ ସଂସ୍ଥାକୁ ଏହି ସେତୁ ନିର୍ମାଣ ଦାୟିତ୍ୱ ଦେବାକୁ ଉଦ୍ୟମ ହୋଇଥିଲେ ବି ତାହା ସଫଳ ହୋଇନଥିଲା । ଏଠାରେ ଉଲ୍ଲେଖନୀୟ ଯେ ଏହି ସଂସ୍ଥା ସୀମାନ୍ତ ଅଞ୍ଚଳରେ ଅନେକ ବଡ଼ ବଡ଼ ସେତୁ ନିର୍ମାଣ କରିଛି ।
୬ ଥର ପାଇଁ ଟେଣ୍ଡର ପ୍ରକ୍ରିୟାରୁ ବିଶେଷ ସୁଫଳ ମିଳିନଥିବା ବେଳେ ଶେଷରେ ୨୦୧୪ରେ କୋଲକାତାର ରୟାଲ୍‌ ଇନ୍‌ଫ୍ରା କନ୍‌ଷ୍ଟ୍ରକ୍ସନ୍‌ ଲିମିଟେଡ୍‌ ଗୁରୁପ୍ରିୟା ସେତୁର ଟେଣ୍ଡର ହାତେଇଥିଲା । ମାତ୍ର ସାଢ଼େ ୩ ବର୍ଷ ସମୟ ମଧ୍ୟରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ମାଲକାନଗିରି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ କେନ୍ଦ୍ରୀୟ ସହାୟତା ବଳଙ୍କ ସହଯୋଗରେ ଗୁରୁପ୍ରିୟା ସେତୁ ନିର୍ମାଣ ଆହ୍ୱାନକୁ ସଫଳ କରିଛି ।
ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା-ଯାନବାଈ-ପେପର୍‌ମେଟ୍‌ଲା ଭଳି ଦୁର୍ଗମ ଅଞ୍ଚଳର ୧୫୧ଟି ଗାଁ ପାଇଁ ଗୁରୁପ୍ରିୟା ସେତୁ ବିକାଶର ଅନେକ ସମ୍ଭାବନା ନେଇ ଆସିଛି ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ଗାଁଗୁଡ଼ିକ ଚିକିତ୍ସା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ପାଇଁ ଡଙ୍ଗା ଉପରେ ନିର୍ଭର କରିଆସୁଥିଲେ । ତେବେ ଚିତ୍ରକୋଣ୍ଡାରେ ଗୁରୁପ୍ରିୟା ନଦୀର ଗଭୀରତା ପ୍ରାୟ ୯୦ ଫୁଟ ପର୍ଯ୍ୟନ୍ତ ରହୁଥିବାରୁ ଏଠାରେ ନୌଯାତ୍ରା ଅତ୍ୟନ୍ତ ବିପଦସଙ୍କୁଳ । ଏହାର ସୁବିଧା ନେଇ ଚିତ୍ରକୋଣ୍ଡାର ବିଚ୍ଛନ୍ନାଞ୍ଚଳକୁ ମାଓବାଦୀମାନେ ସେମାନଙ୍କ ଅଭେଦ୍ୟ ଦୁର୍ଗ କରିଥିବା ବେଳେ ପ୍ରଶାସନ ପାଇଁ ଏହା ଏକ ପ୍ରକାର ଅପହଞ୍ଚ ଇଲାକା ହୋଇ ରହୁଥିଲା ।




Powered by odothemes.com