badamba-re-bhatarika-mandira--pani-gherare--(2)

ବଢୁଛି ମହାନଦୀ, ବନ୍ୟା ଆଶଙ୍କା

36

ଭୁବନେଶ୍ୱର, ୨୩ା୭(ବୁ୍ୟରୋ): ଲଘୁଚାପ ଯୋଗୁଁ ଦୁଇଦିନ ଧରି ଲଗାଣ ବର୍ଷା ହେବା ଫଳରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀ ଓ ଏହାର ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଛି । ମହାନଦୀରେ ସମ୍ଭାବ୍ୟ ବନ୍ୟା ଆଶଙ୍କା କରି ୫ ଜିଲ୍ଲାକୁ ସତର୍କ କରାଇଦିଆଯାଇଛି । ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୫ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଆସନ୍ତାକାଲି ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ । ପ୍ରାୟ ୧୨ରୁ ୧୫ ଗେଟ୍ ଖୋଲିବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୬.୪୫ ଫୁଟ୍ ରହିଛି । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରରେ ୧ ଲକ୍ଷ ୫୪ ହଜାର ୩୭୯ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହିଭଳି ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ ମଧ୍ୟ ଓଡିଶା ଉପରେ ଦାଉ ସାଧିଛି । ଖରାଦିନେ କଲମା ବ୍ୟାରେଜ୍ର ସମସ୍ତ ଫାଟକକୁ ବନ୍ଦ କରି ମହାନଦୀକୁ ଶୁଖାଇଥିବା ଛତିଶଗଡ ବର୍ଷା ଦିନରେ ୬୬ ଗେଟ୍ ଖୋଲିଛି । ଫଳରେ ଓଡିଶାରେ ବନ୍ୟା ଆଶଙ୍କା ଆହୁରି ଘନୀଭୂତ ହେଉଛି । ସପ୍ତାହ ଭିତରେ ହୀରାକୁଦର ଜଳପତନ ପାଖାପାଖି ୨୦ ଫୁଟ୍ ବଢିଯାଇଛି ।
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନରାଜଠାରେ ଜଳସ୍ତର ୩ ଫୁଟ୍ ବୃଦ୍ଧି ପାଇଥିବାବେଳେ ଦେବୀ, ଇବ୍ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ହେଲ କୁଶଭଦ୍ରା ନଦୀରେ ଜଳସ୍ତର ହ୍ରାସ ପାଉଛି । ସୁବର୍ଣ୍ଣରେଖାର ଜଳସ୍ତର ରାଜଘାଟଠାରେ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦରୁ ଗତକାଲି ଛଡାହେବାକୁ ଥିବା ବନ୍ୟା ଜଳ ନରାଜଠାରେ ପହଞ୍ଚôବା ପାଇଁ ୩୬ ଘଣ୍ଟା ସମୟ ଲାଗି ଫଳରେ ତଳ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇପାରେ । ହୀରାକୁଦର ପାଣି ମହାନଦୀ ତଳମୁଣ୍ଡରେ ପହଞ୍ଚôଲାବେଳକୁ ବିନିକା, ସୋନପୁର, ବାଉଁଶୁଣୀ, ବୌଦ୍ଧ, ଆଠମଲ୍ଲିକ, ସାତକୋଶିଆ, ଖୋର୍ଦ୍ଧା, କଟକ, ଜଗତପୁର, ଉରାଳି, ସାଲେପୁର, ମାର୍ଶାଘାଇ, ପାଟକୁରା, ମହାକାଳପଡା, କୁଜଙ୍ଗ ଓ ପାରାଦୀପର ତଳମୁଣ୍ଡ ବିଶେଷ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଆଖୁଆପଦାଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୧୭.୯୬ ମିଟର ଜଳ ଏଠାରେ ପ୍ରବାହିତ ହେଉଛି । ଜଳସ୍ତର ୧୮ ମିଟର ଅତିକ୍ରମ କଲେ ଧାମନଗର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ସହ ବୈତରଣୀର ଶାଖା ନଦୀ ରେବ, କୋଚିଳା, ଗେଙ୍ଗୁଟି, ସାଳନ୍ଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବ ।
ଦୁଇଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ୧୪ ଜିଲ୍ଲାର ୬୨ ବ୍ଲକ୍, ୯ ଏନ୍ଏସି ଏବଂ ଭୁବନେଶ୍ୱର, କଟକ, ସମ୍ବଲପୁର ମହାନଗର ନିଗମ କ୍ଷତିଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ ୧୨ ଜଣ ମୃତାହତ ହୋଇଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ଅନୁଗୁଳ ଜିଲ୍ଲାରେ ୩୯୦ ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ବୌଦ୍ଧ ଜିଲ୍ଲାରେ ୧୧,୨୪୧, ବରଗଡ ଜିଲ୍ଲାରେ ୯୧୭୦, ଦେବଗଡ ଜିଲ୍ଲାରେ ୮୧, ଯାଜପୁର ଜିଲ୍ଲାରେ ୨୪୦, କଳାହାଣ୍ଡିରେ ୧,୨୨,୮୨୧, କୋରାପୁଟରେ ୮୫୦, ସମ୍ବଲପୁରରେ ଦେଢ ଲକ୍ଷ, ସୁବର୍ଣ୍ଣପୁରରେ ୩୫୦, ପୁରୀରେ ୧୨,୮୫୯ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିଭଳି ବୌଦ୍ଧ ଜିଲ୍ଲାରେ ୩୨୪୨ ଘର ଭାଙ୍ଗିଥିଲାବେଳେ ବରଗଡରେ ୪୧, ଦେବଗଡରେ ୨୪, ଯାଜପୁରରେ ୧୫, କଳାହାଣ୍ଡିରେ ୬୪୬, କନ୍ଧମାଳରେ ୧୨, କୋରାପୁଟରେ ୧୩୪, ରାୟଗଡାରେ ୩୫, ସମ୍ବଲପୁରରେ ୮୨୨, ପୁରୀରେ ୩୮୯ ଘର ଭାଙ୍ଗିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।




Powered by odothemes.com