୨୪ ଘଣ୍ଟାରେ ସ୍ଥିତି ନିୟନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର: ବିଜେଡି

38

ମହାବାତ୍ୟା ଓ ଫାଇଲିନ୍‌କୁ ଟପିଲା ବର୍ଷା
ଭୁବନେଶ୍ୱର(ବୁ୍ୟରୋ): ଦୁଇଦିନ ହେଲା ରାଜ୍ୟବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ବଡ଼ଧରଣର ପଦକ୍ଷେପ ଯୋଗୁ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି । ଏଥିଯୋଗୁ ବର୍ଷା ବିତ୍ପାତ ଅଞ୍ଚଳଗୁଡ଼ିକ ସ୍ୱାଭାବିକ ପରିସ୍ଥିତିକୁ ଫେରିଆସିଛି । ଏପରିକି ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏହି ସମୟରେ ନିଆଯାଇଥିବା ସାମୟିକ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ଯୋଗୁ ଭବିଷ୍ୟତରେ ମଧ୍ୟ କୌଣସି ଦୈବଦୁର୍ବିପାକ ହେଲେ ଏଭଳି ଜଳଘେରି ଭଳି ପରିସ୍ଥିତି ଉପୁଜିବ ନାହିଁ । ଲଘୁଚାପ ଯୋଗୁ ହୋଇଥିବା ପ୍ରବଳ ବର୍ଷା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଠାରୁ କମ୍‌ ନୁହେଁ । ଏହି ୨ଦିନରେ ହୋଇଥିବା ବର୍ଷାର ପରିମାଣ ଗତ ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‌ରେ ହୋଇଥିବା ବର୍ଷାର ପରିମାଣ ଠାରୁ ଯଥେଷ୍ଟ ଅଧିକ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି ।
ଶ୍ରୀ ନାୟକ କହିଛନ୍ତି ଯେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ କଟକ ଜିଲ୍ଲାର ବାରଙ୍ଗ ଠାରେ ୬୦ ମିମି ବର୍ଷା ହୋଇଥିବା ବେଳେ ଗତକାଲି ଏଠାରେ ୨୦୫ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ମହାବାତ୍ୟା ଠାରୁ ୪ଗୁଣ ଅଧିକ ବର୍ଷା ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବ୍ଲକରେ ମହାବାତ୍ୟା ବେଳେ ୨୧୩ ମିମି ହୋଇଥିବା ବେଳେ ଗତକାଲି ୨୫୫ ମିମି ବର୍ଷା ହୋଇଛି । ଏଠାରେ ବର୍ଷାର ପରିମାଣ ୪୨ମିମି ଅଧିକ ରହିଥିଲା । ସେହିପରି ପୁରୀ ଜିଲ୍ଲାର ବ୍ରହ୍ମଗିରି, ଡେଲାଙ୍ଗ, ପିପିଲିରେ ମହାବାତ୍ୟା ସମୟରେ ଯଥାକ୍ରମେ ୨୨୮ ମିମି, ୭୫ ମିମି ଓ ୨୪୨ ମିମି ବର୍ଷା ହୋଇଥିବା ବେଳେ ଗତକାଲି ଏହି ଅଞ୍ଚଳଗୁଡିକରେ ଯଥାକ୍ରମେ ୨୯୩ ମିମି, ୨୪୫ମିମି, ୨୪୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗତକାଲିର ବର୍ଷାର ପରିମାଣ ମହାବାତ୍ୟା ଠାରୁ ଦେଢ଼ଗୁଣା ଅଧିକ ବୋଲି ଜଣାଯାଇଛି । ଏଭଳି ସଙ୍ଗୀନ ପରିସ୍ଥିତିକୁ ରାଜ୍ୟ ସରକାର ଦୃଢ଼ତା ଓ ସକ୍ରିୟତାର ସହ ମୁକାବିଲା କରି ବହୁ ଧନଜୀବନ ହାନିକୁ ରୋକି ପାରିଛନ୍ତି । ଭୀଷଣ ବର୍ଷା ସତ୍ତ୍ୱେ ଗମନାଗମନ, ବିଦୁ୍ୟତ ସରବରାହରେ ବାଧାପ୍ରାପ୍ତ ହୋଇନାହିଁ । ଯେଉଁ କେତୋଟି ହାତଗଣତି ସ୍ଥାନରେ ଏପରି ସମସ୍ୟା ଦେଖାଦେଇଥିଲା, ୨୪ ଘଣ୍ଟା ମଧ୍ୟରେ ତାହାର ତ୍ୱରିତ ସମାଧାନ କରାଯାଇଛି । ପୂର୍ବରୁ ଅଧିକ ବର୍ଷା ହେଲେ ହଜାର ହଜାର ଘର ଭୁଶୁଡ଼ି ପଡିବା ନେଇ ଖବର ମିଳୁଥିଲା । କିନ୍ତୁ ଗତକାଲି ଏତେ ବର୍ଷା ପରେ ମଧ୍ୟ କୌଣସି ଗୋଟିଏ ବି ଘର ଭୁଶୁଡ଼ି ନଥିବା ଜଣାଯାଇଛି । ଏହା ରାଜ୍ୟ ସରକାରଙ୍କ କ୍ରମାଗତ ବିକାଶର ଫଳ ବ୍ୟତୀତ ଅନ୍ୟ କିଛି ନୁହେଁ । ସାରା ବିଶ୍ୱ ଜାଣିଛି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିଭଳି ନୂତନ ମାନକ ସୃଷ୍ଟି କରିଛି । କେବଳ ଭାରତ ସରକାର ନୁହନ୍ତି, ୨୦୧୩ ଫାଇଲିନ୍‌ ମହାବାତ୍ୟାରେ ମଧ୍ୟ ରାଜ୍ୟ ସରକାରଙ୍କ ସକ୍ରିୟ ଓ ତ୍ୱରିତ୍‌ ପଦକ୍ଷେପ ଯୋଗୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିତ ଜାତିସଂଘ ରୋଲ୍‌ମଡେଲ୍‌ର ମାନ୍ୟତା ଦେଇଛି । ଏକ ଅସ୍ୱାଭାବିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ଏବଂ ସଫଳ ହେଉଛନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ପ୍ରତିଟି ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଭଳି ସମୟରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରି କୁତ୍ସାରଟନା କରି ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଉଦ୍ୟମ କରିବା ଅବିବେକତାର କାର୍ଯ୍ୟ ଅଟେ । ବିରୋଧୀ ଦଳ ଅଯଥା ବୟାନବାଜିରୁ ନିବୃତ ରହି ଲୋକମାନଙ୍କ ପାଖରେ ପହଞ୍ଚô ସରକାରଙ୍କ ପ୍ରୟାସକୁ ସହଯୋଗ କରିବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com