Bjd-RA-KAJYKARINI-BAITHAK,-KJR-2

କୁଶଙ୍କୁ ଦଳରେ ପୁନଃ ସାମିଲ ପ୍ରାୟୋଜିତ: ସପକ୍ଷବାଦୀଙ୍କ ହୋହାଲ୍ଲା

39

କେନ୍ଦୁଝର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ
କେନ୍ଦୁଝର, ୨୧ା୭(ଆପ୍ର): କେନ୍ଦୁଝର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶନିବାର ସ୍ଥାନୀୟ ନଗରଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ହେବା କ୍ଷଣି ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଜଗନ୍ନାଥ ସିଂ ବହିଷ୍କୃତ ବିଜେଡି ନେତା କୁଶ ଆପଟ୍ଟଙ୍କୁ ଦଳକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ ବୋଲି କହିବା ପରେ ପୂର୍ବ ପ୍ରାୟୋଜିତ ସପକ୍ଷବାଦୀ କେତେକ କର୍ମୀ ସେଠାରେ ହୋ ହାଲ୍ଲା କରି ଦଳ ତୁରନ୍ତ କୁଶଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେଉ ବୋଲି କହିଥିଲେ । କୁଶ ଆପଟ୍ଟ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଗତଥର ଦଳୀୟ ନିଷ୍ପତ୍ତି ନମାନି ସ୍ୱାଧୀନଭାବେ ଛିଡା ହୋଇଥିଲେ । ଏହି କାରଣରୁ ରାଜ୍ୟ ସଭାପତି କୁଶ ଆପଟ୍ଟଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ ଦଳରୁ ବହିଷ୍କାର କରିଥିଲେ । ଏହାପରେ ଗୋଟିଏ ନିଦ୍ଦିଷ୍ଟ ଗୋଷ୍ଠୀ କୁଶଙ୍କୁ ଦଳରେ ଫେରାଇ ଆଣିବା ପାଇଁ ଦଳୀୟ ବୈଠକରେ ପାଟିତୁଣ୍ଡ କରି ପର୍ଯ୍ୟବେକ୍ଷକଙ୍କ ଉପରେ ଚାପ ସୃଷ୍ଟି କରି ଆସୁଛନ୍ତି ।
ଗତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କର୍ମୀ କୁଶଙ୍କୁ ଦଳରେ ଫେରାଇ ଆଣିବା ପାଇଁ ଦାବୀ ଜଣାଇବା ପରେ କୁଶ ଆପଟ୍ଟ ନିଲମ୍ବିତ ନୁହଁନ୍ତି ବରଂ ବହିଷ୍କୃତ ହୋଇଥିବା କହିଥିଲେ । ଦଳରେ ପୁନଃ ସାମିଲ ଆମ ହାତ କଥା ନୁହେଁ ବରଂ ଏହି ନିଷ୍ପତ୍ତି ରାଜ୍ୟ ସଭାପତିଙ୍କର ବୋଲି କହିଥିଲେ । କୁଶ ଆପଟ୍ଟ ଦଳୀୟ ନିଷ୍ପତ୍ତି ନମାନି ଦୁଇ ଦୁଇ ଥର ସ୍ୱାଧିନଭାବେ ଛିଡା ହୋଇ ଦଳୀୟ ବିଶୃଙ୍ଖଳା ଆଚରଣ କରୁଥିଲେ ମଧ୍ୟ ତାଙ୍କୁ ଦଳରେ ଆଣିବା ପାଇଁ ଗୋଟିଏ ଗୋଷ୍ଠି ରାଜ୍ୟ ନେତାଙ୍କ ପାଖରେ ଚାପ ସୃଷ୍ଟି କରୁଥିଲେ ମଧ୍ୟ ରାଜ୍ୟ ସଭାପତି ଏହି ନେତାଙ୍କୁ ସାମିଲ କରୁନାହାଁନ୍ତି ।
ଆଜି ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଦଶଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ, ରାଜ୍ୟ ସାଧାରଣ ସଂପାଦକ ତଥା କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଦୀର୍ଘବର୍ଷ ହେଲା ସୁଦୃଢ ରହିଛି ଏବଂ ଏହାକୁ ଅଧିକ ସୁଦୃଢ କରିବା ପାଇଁ କର୍ମୀମାନେ ଉସôର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଅନେକ ଦୁର୍ଦ୍ଦିନ ସମୟରେ ଦଳ ସହ ଠିଆ ହୋଇଥିବାବେଳେ ଏବେ ପୁଣି ଆଉଥରେ ସଫଳତା ପାଇଁ କର୍ମୀମାନେ ସଂଗଠିତ ହୋଇ କାମ କରିବାକୁ ଶ୍ରୀ ସାମନ୍ତରାୟ ଆହ୍ୱାନ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ କର୍ମୀମାନେ ଗାଁ ଗଣ୍ଡାରେ ଲୋକମାନଙ୍କୁ ବୁଝାଇବା ସହିତ ଏହାର ସୁଫଳ କିପରି ସମସ୍ତେ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ଆହ୍ୱାନ ଜଣାଇଥିଲେ ।
କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦି୍ରନାରାୟଣ ପାତ୍ର ନିଜ ବକ୍ତବ୍ୟରେ ଦଳ ଅନେକ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରିଛି ଏବଂ ଏବେ ଦଳର ସୁଦିନ ସମୟରେ କିଛି ସୁବିଧାବାଦୀ ଲୋକ ଦଳ ମଧ୍ୟକୁ ପଶି ଆସି ଫାଇଦା ନେବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ କର୍ମୀମାନେ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନ ସମସ୍ତ କର୍ମୀଙ୍କ ପାଇଁ ପରୀକ୍ଷାର ବେଳ ବୋଲି ସେ ପ୍ରକାଶ କରିଥିଲେ । ଦଳୀୟ ଯୋଜନା ସଂପର୍କରେ କର୍ମୀମାନେ ହିଁ ଏକମାତ୍ର ମାଧ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିମ୍ବାଧର କୁଅଁର ଦଳୀୟ ନେତା ଏବଂ କର୍ମୀ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ସରକାରଙ୍କ ସମସ୍ତ ଯୋଜନା କିପରି ଲୋକଙ୍କ ପାଖରେ ପହଁଚିପାରିବ ସେ ନେଇ କର୍ମୀମାନେ ଆନ୍ତରିକତାର ସହ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ନିଜ ବକ୍ତବ୍ୟରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ ବୈଠକ ଅନୁଷ୍ଠିତ ହେବା ସହ ସମସ୍ତେ ଏକ ମନ ଏକପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ନିଜ ବକ୍ତବ୍ୟରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଦଳୀୟ ସାଂଗଠନିକ ସ୍ଥିତି ସଂପର୍କରେ ଅବତାରଣା କରିଥିବାବେଳେ ଦଳକୁ କିପରି ଅଧିକ ସୁଦୃଢ କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ସଦର ବିଧାୟକ ଅଭିରାମ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା,ଉପାଧ୍ୟକ୍ଷା ମୀନା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି, ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର,ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ସଞ୍ଜୟ ମିଶ୍ର,ଯୋଡା ବ୍ଲକ ସାଧାରଣ ସଂପାଦକ ଦୀପକ ଶତପଥି,ହାଟଡିହି ବ୍ଲକ ସଭାପତି ବିକ୍ରମ ବିଶ୍ୱାଳ ଓ ସୁକାନ୍ତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଶୋକ ବଳ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ଜିଲ୍ଲା ମିଡିଆ ସେଲ ସଂଯୋଜକ ନିର୍ମଳ ଚନ୍ଦ୍ର ନାୟକ,ମହିଳା ବିଜେଡି ସଭାପତି ଆରତୀ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକାରିଣୀ ବୈଠକ ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।




Powered by odothemes.com