index

ଏନ୍ଡିଏ ସରକାର ବିରୋଧରେ ଅନାସ୍ଥା

59

ଶୁକ୍ରବାର ଲୋକସଭା, ସୋମବାର ରାଜ୍ୟସଭାରେ ଆଲୋଚନା
ନୂଆଦିଲ୍ଲୀ, ୧୮ ।୭(ଏଜେନ୍ସି): ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଟିଡିପି ଏବଂ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ପକ୍ଷରୁ ଏନ୍ଡିଏ ସରକାର ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି । ଏ ସମ୍ପର୍କରେ ଆସନ୍ତା ଶୁକ୍ରବାର ଲୋକସଭାରେ ଏବଂ ସୋମବାର ଦିନ ରାଜ୍ୟସଭାରେ ଆଲୋଚନା କରାଯିବ । ସଂସଦର ଗତ ଅଧିବେଶନ ସମୟରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବିରୋଧୀ ଦଳ ପକ୍ଷରୁ ଉଦ୍ୟମ ହୋଇଥିଲା । ମାତ୍ର ସଂସଦର ଅଚଳାବସ୍ଥା କାରଣରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିନଥିଲା । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତିି ଯେ, ସରକାର ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ଦ୍ୱାରା କ୍ଷୀର ଓ ପାଣି ଅଲଗା ହୋଇଯିବ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବର୍ତ୍ତମାନ ଲୋକସଭାରେ ସରକାରଙ୍କ ନିକଟରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ରହିଛି । ତେଣୁ ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ସରକାର ଆଦୌ ଚିନ୍ତିତ ନୁହନ୍ତି । ଏହି ଆଲୋଚନା କାଳରେ ଉଭୟ ଶାସକ ଓ ବିଜେଡି ଦଳ ନିଜ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ପାଇବେ । ଦେଶବାସୀ ଉଭୟ ପକ୍ଷର ଯୁକ୍ତି ଶୁଣିବାର ସୁଯୋଗ ପାଇବେ ଏବଂ କିଏ ଭୁଲ ଓ କିଏ ଠିକ୍ ତାହା ସ୍ପଷ୍ଟ ହୋଇଯିବ । କଂଗ୍ରେସ ମଧ୍ୟ ଅନାସ୍ଥା ପ୍ରସ୍ତାବ ଜିତିବା ନେଇ ଦୃଢ ନିଶ୍ଚିତ ରହିଛି । ସୋନିଆ ଗାନ୍ଧି କହିଛନ୍ତି ଯେ ଆମ ପାଖରେ ସଂଖ୍ୟା ନାହିଁ ବୋଲି କିଏ କହୁଛି । ବର୍ତ୍ତମାନ ବିରୋଧୀମାନେ ଏକାଠି ହୋଇ ବିଜୟୀ ହେବାର ଏକ ସୁଯୋଗ ଆସିଛି । ସୂଚନାଯୋଗ୍ୟ, ଲୋକସଭାରେ ବିଜେପିର ଏକାକୀ ୨୭୩ ସଭ୍ୟ ଅଛନ୍ତି । ସହଯୋଗୀ ଦଳଙ୍କୁ ହିସାବକୁ ନନେଲେ ବି ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । ଅପରପକ୍ଷରେ ଅନାସ୍ଥାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ବିଜେପି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ୫୪୫ ସଦସ୍ୟ ବିଶିଷ୍ଟ ଲୋକସଭାରେ ବର୍ତ୍ତମାନ ୫୩୫ ଜଣ ସଦସ୍ୟ ଅଛନ୍ତି । ବର୍ତ୍ତମାନ ସ୍ଥିତିରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ବିଜେପିକୁ ୨୬୮ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି । ବିଜେପି ସହଯୋଗୀ ଶିବସେନାର ୧୮, ଏଲ୍ଜିପିର ୬, ଅକାଳୀ ଦଳର ୪ ଓ ଅନ୍ୟାନ୍ୟ ଦଳର ୯ ସଦସ୍ୟ ଅଛନ୍ତି । ଏନ୍ଡିଏ ସରକାର ସପକ୍ଷରେ ୩୧୦ ସଦସ୍ୟଙ୍କ ସମର୍ଥନ ଥିବା ସୂଚନା ମିଳିଛି । ସେହିଭଳି ବିଜେପିରେ ଅନେକ ଅସନ୍ତୁଷ୍ଟ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ଆଗାମୀ ନିର୍ବାଚନରେ କେତେକଙ୍କୁ ଟିକଟ୍ରୁ ବଞ୍ଚôତ କରାଯିବାର ସମ୍ଭାବନା ଥିବାରୁ ଦଳ ବିରୋଧରେ ଭୋଟ୍ ଦେବାର ଆଶଙ୍କା ରହିଛି । ଏଥିଲାଗି ବିଜେପି ହ୍ୱିପ୍ ଜାରି କରିଛି । କଂଗ୍ରେସ ମଧ୍ୟ ନିଜ ଦଳ ସାଂସଦଙ୍କ ଲାଗି ହ୍ୱିପ୍ ଜାରି କରିଛି ।ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରି ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ତେଲୁଗୁ ଦେଶମ୍ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଟିଡିପିର ସଦସ୍ୟମାନେ ଗୃହରେ ପ୍ଲାକାର୍ଡ ଦେଖାଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ସେମାନେ ନ୍ୟାୟ ଚାହୁଛନ୍ତି ବୋଲି ସ୍ଲୋଗାନ ଦେଇଥିଲେ । କଂଗ୍ରେସ ମଧ୍ୟ ଅନୁରୂପ ଭାବେ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ହଟ୍ଟଗୋଳ କରିଥିଲା ।ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କେତେ ଜଣ ସଦସ୍ୟଙ୍କ ସହ କରମର୍ଦ୍ଦନ କରୁଥିବା ଦେଖାଯାଇଥିଲା । ସମାଜପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ସହ ସେ କିଛି ସମୟ ବାର୍ତ୍ତାଳାପ କରିଥିଲେ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ ଦଳ ପକ୍ଷରୁ ଆଗତ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଯେକୌଣସି ପ୍ରସଙ୍ଗ ଆଲୋଚନା ହେବା ଆବଶ୍ୟକ । ସରକାର ସେଥିପାଇଁ ରାଜି । ରାଜନୈତିକ ଦଳଗୁଡିକ ଅଧିକରୁ ଅଧିକ ଏହା ଉତ୍ଥାପନ କରନ୍ତୁ । ଅଗଷ୍ଟ ୧୦ ତାରିଖ ଯାଏଁ ଅଧିବେଶନ ଚାଲିବ । ଅଧିବେଶନଟି ଗଠନମୂଳକ ହେଉ । ଯେଉଁ ଦଳ ଯେଉଁ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚାହିଁବ, ସେଥିପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି । ସଦନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ୪ ଜଣ ନୂତନ ସଦସ୍ୟଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ଶପଥ ପାଠ କରାଇଥିଲେ । ଏଥିସହ ଗୃହର କେତେ ଜଣ ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ।




Powered by odothemes.com