adap-abhada-1

ଆଡ଼ପ ମଣ୍ଡପରେ  ଦର୍ଶନ ଦେଲେ ଶ୍ରୀଜିଉ

139

ଆଡ଼ପ ଅବଢ଼ା ଲାଗି ଭକ୍ତଙ୍କ ଭିଡ଼
ପୁରୀ, ୧୭ା୭(ବୁ୍ୟରୋ): ଜନ୍ମବେଦୀରେ ବିରାଜମାନ ହୋଇଥିବା ଚତୁର୍ଦ୍ଧାମୂରତିଙ୍କ ଆଡପ ଦର୍ଶନ ଆଜିଠୁ ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଆଜି ପ୍ରଥମ ଦିନରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ଭକ୍ତିରେ ବିଭୋର ଭକ୍ତମାନେ ଦର୍ଶନ ସାରି ଶରଧାବାଲିର ସେହି ପବିତ୍ର ବାଲିକୁ ମୁଣ୍ଡରେ ସମସ୍ତ ବିପଦରୁ ତାଙ୍କୁ ରକ୍ଷା କରିବା ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗୁଣ୍ଡିଚା ମନ୍ଦିରରୁ ଆଜି ପ୍ରଥମେ ଆଡପ ଅବଢା ବାହାରିଛି । ତିନିଦିନ ଧରି ଶ୍ରୀଜିଉମାନେ ଶୁଖିଲା ଭୋଗ ଖାଇ ରହିଥିଲେ । ଆଜି ମହାପ୍ରଭୁ ଅନ୍ନ ବ୍ୟଞ୍ଜନ ଗ୍ରହଣ କରିଛନ୍ତି ଓ ତାଙ୍କ ଭକ୍ତମାନେ ନୀଳାଚଳ ଅବଢା ପାଇବାର ସୁଯୋଗ ପାଇଛନ୍ତି । ପରମ୍ପରା ଅନୁଯାୟୀ ବର୍ଷକରେ ଥରେ ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ହୋଇଥିବା ଆଡପ ଅବଢା ସେବନ କଲେ ଜୀବନରେ ବହୁ ପୂଣ୍ୟ ମିଳେ । ଏହା ପୁରାଣ ବର୍ଣ୍ଣିତ । ଆଡପ ଅବଢା ପାଇବା ପାଇଁ ଭକ୍ତମାନେ ଆଜି ଶରଧାବାଲିକୁ ଛୁଟିଆସିଛନ୍ତି । ଗତକାଲି ଶ୍ରୀଜିଉମାନେ ଗୋଟିପହଣ୍ଡିରେ ଯାଇ ଆଡପମଣ୍ଡପରେ ବିଜେ ହୋଇଥିଲେ । ରାତି ୯ଟାରେ ପହଣ୍ଡି ବିଜେ ଶେଷ ହୋଇଥିଲା ଓ ବିଭିନ୍ନ ନୀତିକାନ୍ତି ପରେ ପ୍ରାୟ ଭୋର୍ ୪ଟା ପହଡ ପଡିଥିଲା । ଆଜି ସକାଳ ୭ଟାରେ ଦ୍ୱାର ଫିଟାଯାଇଥିଲା । ୭ଟା ୨୦ରେ ମଙ୍ଗଳ ଆଳତୀ ଓ ତଡପଲାଗି ନୀତି ଅନୁଷ୍ଠିତ ହୋଇଥିଲା । ୯ଟା ୪୦ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ସକାଳ ୧୦ଟାରୁ ସାହାଣମେଳା ଦର୍ଶନ ଆରମ୍ଭ କରାଯାଇ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ପରେ ଶ୍ରୀଜିଉଙ୍କ ବଲ୍ଲଭ ନୀତି ଓ ସକାଳ ଧୂପ ୧ଟା ୨୫ ମିନିଟ୍ରେ ସମ୍ପନ୍ନ ହୋଇଥିଲା । ବ୍ୟାରିକେଡ୍ ଭିତର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ପ୍ରବେଶ କରି ଆଜି ଭକ୍ତମାନେ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିଛନ୍ତି । ଭିଡକୁ ଲକ୍ଷ୍ୟ କରି ପୁଲିସ୍ ପକ୍ଷରୁ ବ୍ୟାପାକ ବ୍ୟବସ୍ଥା କରାଯାଇଛି । ଆଜି ରାତିରେ ଶ୍ରୀଜିଉଙ୍କ ବନକଲାଗି ବା ଶୃଙ୍ଗାର ବେଶ ଲାଗି ସର୍ବସାଧାରଣ ଦର୍ଶନ ରାତି ୮ଟାରୁ ବନ୍ଦ କରାଯାଇଛି ।




Powered by odothemes.com