smart-city-online-auto-group-bhubaneswar-ra-sabhapati-hebapare-itish-pradhan-nku-congress-bhaban-re-sambardhita

କଂଗ୍ରେସରୁ ହଟିବ ବଂଶବାଦ: ପରିବାରରୁ ଜଣକୁ ଟିକଟ୍

28

ଭୁବନେଶ୍ୱର, ୧୭ା୭(ବୁ୍ୟରୋ): ୨୦୧୯ ସାଧାରଣ ନିର୍ବାଚନ ଲାଗି ରାଜ୍ୟ କଂଗ୍ରେସ କସରତ୍ ଆରମ୍ଭ କରିଛି । ସାଧାରଣ ନିର୍ବାଚନ ସହ ଓଡିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଲାଗି ନୂଆ ନୂଆ ରଣନୀତି ଗ୍ରହଣ କରୁଛି । ଆଗାମୀ ନିର୍ବାଚନରେ ବଂଶବାଦକୁ ଦଳ ପ୍ରୋତ୍ସାହନ ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି । ଗୋଟିଏ ପରିବାରରୁ ଜଣକୁ ଟିକଟ୍ ମିଳିବ । ବିଜୟ ସମ୍ଭାବନା ଓ ସଂଗଠନ ସହ ଜଡିତ ନେତାଙ୍କୁ ଦଳ ପ୍ରାର୍ଥୀ କରିବ । କୌଣସି ସୁପାରିସକୁ ଗ୍ରହଣ କରାଯିବନାହିଁ ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି ।
ଗତ ୩ ଦିନ ଧରି ରାଜ୍ୟ କଂଗ୍ରେସରେ ମାନସମନ୍ଥନ ଆରମ୍ଭ ହୋଇଛି । ଆଗାମୀ ନିର୍ବାଚନ ଲାଗି ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରିବ, ତାହା ଉପରେ ତାହା ଉପରେ ଆଲୋଚନା କରାଯାଇଛି । ଶ୍ରୀ ସିଂହ କହିଛନ୍ତି ଯେ କଂଗ୍ରେସରେ ପୂର୍ବରୁ ପରିବାରବାଦ୍ ଚାଲିଛି । ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ ଟିକଟ୍ ମିଳୁଛି । କେତେକ ସ୍ଥାନରେ କିଛି ନିର୍ଦ୍ଦିଷ୍ଟ ଆଶାୟୀଙ୍କୁ ଟିକଟ ଦେବା ଲାଗି ସୁପାରିସ କରାଯାଉଛି । ରାଜନୀତିରେ ପ୍ରତିଷ୍ଠିତ ଲୋକପ୍ରିୟ ତଥା ହାତରେ ଭୋଟ୍ ବ୍ୟାଙ୍କ ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିବ । ଏଆଇସିସି ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ ନୀତିନିର୍ଦ୍ଧାରଣ କରାଯାଇଛି ବୋଲି ସେ କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନିଷ୍ପତ୍ତିକୁ ଗ୍ରହଣ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଆଇସିସି ନିଷ୍ପତ୍ତି ଶିରୋଧାର୍ଯ୍ୟ । ଓଡ଼ିଶା ପ୍ରଭାରୀ ବହୁ ଭାବି ଚିନ୍ତି ଏହା ଘୋଷଣା କରିଛନ୍ତି । ଏହାକୁ ପାଳନ କରିବା ଆମର ପ୍ରଥମ କର୍ତ୍ତବ୍ୟ । ଅପରପକ୍ଷେ ପୂର୍ବରୁ ଦଳ ଏ ସଂକ୍ରାନ୍ତରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଯିଏ ଗାଁରେ ଲୋକଙ୍କ ସହ ରହି କାମ କରିବ ଓ ବିଜୟ ସମ୍ଭାବନା ଯାହାର ଥିବ, ସେହି ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ । ଭୁବନେଶ୍ୱରରେ ରହିଲେ ନେତାଙ୍କୁ ଟିକେଟ୍ ମିଳିବନି ବୋଲି ଦଳ ରୋକ୍ଠୋକ୍ ଶୁଣାଇ ଦେଇଥିଲା । ତେବେ ଓଡ଼ିଶା ପ୍ରଭାରୀଙ୍କଠାରୁ ଏଭଳି ସୂଚନା ମିଳିବା ପରେ କଂଗ୍ରେସର ଭିତର ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ନିର୍ବାଚନରେ ଯେଉଁଯେଉଁ ପରିବାରରୁ ଏକାଧିକ ପ୍ରାର୍ଥୀ ଚୟନ କରାଯାଇଥିଲା, ସେମାନଙ୍କ ଭବିଷ୍ୟତ କ’ଣ ହେବ, ସଂଗଠନ ସୁଦୃଢ଼ ଲାଗି ଯେଉଁମାନେ ଗୋଟିଏ ପରିବାରରୁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଟିକେଟ୍ ମିଳିବ କି ନାହିଁ ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଙ୍କି ମାରୁଛି ।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ସିଂଙ୍କ ଅଧ୍ୟକ୍ଷତାରେ ଲଗାତର ତିନିଦିନ ଧରି ଘନଘନ ବୈଠକ ଆୟୋଜିତ ହୋଇଛି । ପିସିସି ସଭପତିଙ୍କ ସମେତ ଏଆଇସିସି ସମ୍ପାଦକ, ପିସିସି କାର୍ଯ୍ୟକାରୀ ସଭାପତି ରୁଦ୍ଧଦ୍ୱାର ବୈଠକରେ ବିଭିନ୍ନ ଦଳୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ମାରାଥନ୍ ବୈଠକରେ ପ୍ରତିପକ୍ଷଙ୍କୁ ଚେକ୍ ଦେଇ ଗାଦି ହାସଲ କରିବା, ଦଳରେ ଗୋଷ୍ଠୀକନ୍ଦଳକୁ ଅପସାରିତ କରିବା, ତୃଣମୂଳସ୍ତରରେ ସଂଗଠନ ସ୍ଥିତି ସୁଦୃଢ଼ କରିବା, ପିସିସି, ଡିସିସି କମିଟି ଗଠନ ଆଦି ବିଭିନ୍ନ ବିଷୟରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ମାନସମନ୍ଥନ ହୋଇଥିଲା । ଆଗୁଆ ନିର୍ବାଚନ ଲାଗି କିଭଳି ସଂଗଠନ ସଜାଡ଼ି ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇବ ସେନେଇ ବ୍ଲପ୍ରିଣ୍ଟ୍ ପ୍ରସ୍ତୁତ କରାଯିବା ସହ ବିଭିନ୍ନ ଅଭିଯାନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ଜିଲ୍ଲା ତଥା ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ମଧ୍ୟ ଟାସ୍କ୍ ଦିଆଯାଇଛି ।




Powered by odothemes.com