1

ଗାଁ ଲୋକେ ଖାଉଛନ୍ତି ଦେଶୀ ମାଛ

123

ଢେଙ୍କାନାଳ ସହରବାସୀଙ୍କୁ ଆନ୍ଧ୍ର ମାଛ ଭରସା
ଢେଙ୍କାନାଳ,୧୭ା୭(ଆପ୍ର): ରାଜ୍ୟରେ ବର୍ତ୍ତମାନ ଫର୍ମାଲିନ୍ ମିଶିଥିବା ମାଛ ଉପରେ ସରକାର ଆମଦାନୀର ରୋକ୍ ଲଗାଇବା ପରେ ମାଛର ଭରଣା ପାଇଁ ଚିନ୍ତାର ବିଷୟ ହୋଇଯାଇଛି । ଜିଲ୍ଲାରେ ମଧ୍ୟ ଅନୁରୂପ ଭାବରେ ଏହି ଅବସ୍ଥା ଉପୁଜିବାର ଆଶଙ୍କା ହେଲାଣି । ସହରରେ ଆନ୍ଧ୍ର ମାଛ ଉପରେ ସଂପୂର୍ଣ୍ଣ ଭରସା କରୁଥିବାବେଳେ ଗାଁ ଲୋକମାନେ ଦେଶୀ ମାଛ ଉପରେ ଭରସା କରୁଛନ୍ତି । ମାଛ ଚାଷ ପାଇଁ ଜିଲ୍ଲାରେ ଥିବା ମତ୍ସ୍ୟ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ । ବିଭାଗୀୟ ସୂତ୍ର ଅନୁଯାୟୀ ପ୍ରତିଦିନ ଢେଙ୍କାନାଳ ସହରକୁ ୨/୩ ଟ୍ରକ୍ ଆନ୍ଧ୍ର ମାଛ ଆସି ପହଞ୍ଚୁଛି । ଉକ୍ତ ମାଛକୁ ସହରର ଭରଣା ପରେ ରହୁଥିବା ବଳକା ମାଛକୁ ଶୀତଳୀକରଣ କରାଯାଇ ପର ମୁହୂର୍ତ୍ତରେ ବିକ୍ରି କରାଯାଉଛି ।
ସରକାରଙ୍କ ତରଫରୁ ଢେଙ୍କାନାଳ ମତ୍ସ୍ୟ ବିଭାଗକୁ ୨୦୧୭-୧୮ ପାଇଁ ମାଛ ଉତ୍ପାଦନ କ୍ଷେତ୍ରରେ ୯୯୮୦ ମେଟ୍ରିକ୍ ଟନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିନିମନ୍ତେ ୧୬୭୦.୯୦ହେକ୍ଟର ପରିମିତ ପୋଖରୀ ଗୁଡ଼ିକରେ ଉକ୍ତ ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲା । ଯାହା ଉତ୍ପାଦନ ପରେ ୯୪୮୧ ମେଟ୍ରିକ୍ ଟନ୍ ଉତ୍ପାଦନ କରାଯାଇଛି ବୋଲି ବିଭାଗ ଯୁକ୍ତି ବାଢ଼ିଛି । ବିଭାଗର ହିସାବ ଅନୁଯାୟୀ ଜିଲ୍ଲାର ୨୬୮ଟି ପୋଖରୀରେ ମାଛ ଛଡ଼ା ଯାଉଛି । ସେଥିମଧ୍ୟରେ କିଛି ରିଜର୍ଭ ଓ ପ୍ରୋଜେକ୍ଟ ମଧ୍ୟରେ ମାଛଚାଷ କରାଯାଉଥିବା ଜଣାଯାଇଛି । ତା ମଧ୍ୟରେ ଧନିଆନାଳି, ସାପୁଆ, ସର୍ପା, ପଣସପାଳରେ ଜାଆଁଳ ଛଡ଼ାଯାଇ ଚାଷ କରାଯାଉଛି । ୨କୋଟି ୨୫ ହଜାର ଯାଆଁଳକୁ ଜିଲ୍ଲାପାଇଁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିମଧ୍ୟରେ ପ୍ରୋଜେକ୍ଟରେ ୧୮୩୪ କେଜି ଯାଅଁଳ ଛଡ଼ା ଯାଇଛି । ଜିଲ୍ଲାବାସୀ ସାଧାରଣତଃ ରୋହି, ଭାକୁର, ମିରିକାଳି ମାଛ ଉପରେ ଭରସା କରୁଥିବାବେଳେ ଅନ୍ୟ ମାଛ ମଧ୍ୟରେ ଗ୍ଲାସକପ୍, କ୍ରାକ୍ ଓ ବିଲାତି ରୋହି ମାଛ ଚାଷ କରାଯାଉଛି । ନୂତନ ଭାବେ ଜଳଙ୍ଗ ଓ ପାକୁ ଜାତୀୟ ୨ଟି ଜାତିର ଯାଅଁଳ ମାଛକୁ ଜିଲ୍ଲାରେ ଉତ୍ପାଦନ ପାଇଁ ବିଭାଗ ଦାୟିତ୍ୱ ମୁଣ୍ଡାଇଥିବା ବେଳେ କେବଳ କାମାକ୍ଷାନଗରରେ ନୂତନ କିସମର ମାଛ ଚାଷରେ ସଫଳତା ଲାଭ କରିଥିବା ବିଭାଗୀୟ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲାରେ ୨୪୩୭ ଜଣ ମାଛ ଚାଷୀ ବିଭାଗ ପାଖରେ ପଞ୍ଜିକୃତ ହୋଇଥିବା ଜଣାଯାଇଛି । ସେମାନଙ୍କ ନିମନ୍ତେ ଯୋଜନାର ସଚେତନତା ଅଭାବ, ବ୍ଲକ୍ସ୍ତରରେ କାର୍ଯ୍ୟ କରୁଥିବା ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାରେ ବିଫଳତା ଯୋଗୁଁ ଜିଲ୍ଲାର ମାଛ ଚାଷରେ ସେତେ ଆଖି ଦୃଶିଆ ସଫଳତା ନଥିବା ଜଣାପଡ଼ିଛି । ୨୦୧୬-୧୭ ନିମନ୍ତେ ରାଜ୍ୟ ସରକାର ମତ୍ସ୍ୟ ଚାଷୀଙ୍କୁ ସବ୍ସିଡି ପ୍ରଦାନ ନିମନ୍ତେ ୭୬ ଲକ୍ଷ ୧୫ ହଜାର ୯୧୦ ଟଙ୍କା ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ୪୮ ଲକ୍ଷ ୧୪ ହଜାର ୭୪୯ ଟଙ୍କା କେବଳ ହିତାଧିକାରୀଙ୍କୁ ମିଳିଥିବା ଜଣାଯାଇଛି । ପରିସଂଖ୍ୟାନ ଅନୁଯାୟୀ କେବଳ ୧୨୬ ପୁରୁଷ ମାଛ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ୬ ମହିଳା ଉପକୃତ ହୋଇଛନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ ସରକାରଙ୍କ ଯୋଜନା ଯେତେ ଆସୁଥିଲେ ମଧ୍ୟ ବ୍ୟାଙ୍କ ମାଧ୍ୟମରେ ସେଗୁଡ଼ିକ ସବୁ କାର୍ଯ୍ୟକାରୀ କରାଯାଉଛି । ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁଁ ମାଛ ଚାଷୀଙ୍କୁ ଋଣ ମିଳି ପାରୁନାହିଁ । ଏଣୁ ନୂତନ ପୋଖରୀ କରି ମାଛ ଚାଷ କରିବା ପାଇଁ କେହି ଆଗକୁ ଆସୁନାହାନ୍ତି । ତେଣୁ ଜିଲ୍ଲାରେ ମାଛର ଏଭଳି ଅଭାବୀୟ ପରିସ୍ଥିତି ସୃଷ୍ଟି ହେବବୋଲି ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ରାଜ୍ୟ ସରକାରଙ୍କ ତରଫରୁ ବିକ୍ରି ହେଉଥିବା ବିଷାକ୍ତ ଫର୍ମାଲିନ୍ ମାଛକୁ ରୋକ୍ ଲଗାଇବା ପାଇଁ ସତର୍କତା ନେଇ ଜିଲ୍ଲାମାନଙ୍କୁ ନିଦେ୍ର୍ଦଶ ହେବାପରେ ଢେଙ୍କାନାଳରେ ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇ ମାଛ ଗୋଦାମ ଓ ମାଛ ଉତ୍ପାଦନ କେନ୍ଦ୍ରମାନଙ୍କରେ ପହଞ୍ଚି ତଦନ୍ତ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।




Powered by odothemes.com