Medical-re-Bed-Nahi

ମହିଳା ଓ ଶିଶୁ ୱାର୍ଡରେ ଶଯ୍ୟା ଅଭାବ: ବାରଣ୍ଡାରେ ରୋଗୀ

171

ଏମିତି ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
କେନ୍ଦୁଝର,୧୭ା୭(ଆପ୍ର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାର ଘୋର ଅଭାବ ଦେଖିବାକୁ ମିଳିଛି । ଫଳରେ ରୋଗୀ ବାଧ୍ୟହୋଇ ବାରଣ୍ଡାରେ ଶୋଇଛନ୍ତି । ଏଥି ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ସମ୍ବେଦନ ଦୃଶ୍ୟ ଦେଖିବାକୁ ମିଳୁଛି ମହିଳା ଓ ଶିଶୁ ବିଭାଗର ବାରଣ୍ଡାରେ । ୱାର୍ଡରେ ଯେତିକି ପରିମାଣରେ ଶଯ୍ୟା ରହିଛି ତାହା ରୋଗୀଙ୍କ ପାଇଁ ଯଥେଷ୍ଟ ନୁହେଁ । କାହାକୁ କହିବେ! କର୍ମକୁ ଆଦରି ବିପଦ ସଂକୁଳ ପରିସ୍ଥିତିରେ ବାରଣ୍ଡାରେ ରହି ଚିକିତ୍ସିତ ହେଉଛନ୍ତି । ଏପରିକି ପ୍ରସବ ପରେ ମଧ୍ୟ ମହିଳାଙ୍କୁ ସୁରକ୍ଷିତ ଶଯ୍ୟା ନମିଳିବାରୁ ବାରଣ୍ଡାରେ ରହୁଥିବା ଦେଖିବାକୁ ମିଳିଛି । ନବଜାତ ଶିଶୁମାନେ ମଧ୍ୟ ପ୍ରସୂତୀ ମହିଳାଙ୍କ ସହ ବାରଣ୍ଡାରେ ରହୁଥିବା ଦେଖାଯାଇଛି । ଯାହାକି ଉଭୟ ନବଜାତ ଓ ପ୍ରସୂତୀ ମହିଳାଙ୍କ ପାଇଁ ବିପଦ ରହୁଛି । ନିୟମାନୁସାରେ ଏମାନେ ଅନ୍ୟତ୍ର ରହିବା କଥା କାରଣ ନବଜାତ ପିଲାର ଶରୀର ଅତ୍ୟନ୍ତ କମଳ ହୋଇଥିବା ସ୍ଥଳେ ଧୂଳୀ, ମଳି, ଓ ଅସ୍ୱାସ୍ଥ୍ୟକର ପରିବେଶର ବାରଣ୍ଡାରେ ରହିବା ଶିଶୁର ସ୍ୱାସ୍ଥ୍ୟପ୍ରତି ବିପଦ ବୋଲି କୁହାଯାଉଛି । ପୂର୍ବରୁ ଥିବା ମହିଳା ଶିଶୁ ବିଭାଗକୁ ଛାଡି ନୂତନ କୋଠାକୁ ୱାର୍ଡଟି ଅଣାଯାଇଛି । ତେବେ ପୁରୁଣା କୋଠା ବ୍ୟବହାର ଅନୁପଯୋଗୀ ଯୋଗୁ ଏବେ ନୂତନ କୋଠାକୁ ସ୍ଥାନାନ୍ତର ହେବାରୁ ଶଯ୍ୟାର ଅଭାବ ହେଉଛି । କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀ ସଂଖ୍ୟା ବଢି ବଢି ଚାଲିଛି । ଏହି ଡାକ୍ତରଖାନାକୁ କେବଳ କେନ୍ଦୁଝର ଜିଲ୍ଲାର ଲୋକ ଅସୁନାହାଁନ୍ତି ବରଂ ପଡୋଶୀ ଝାଡଖଣ୍ଡ, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାର ଅନେକ ଲୋକ ଏହା ଉପରେ ନିର୍ଭରଶୀଳ । ସରକାର ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଏଠାକୁ ଆସୁଥିବା ପ୍ରସୂତୀ ମହିଳା ଓ ନବଜାତ ଶିଶୁକୁ ଶଯ୍ୟା ଯୋଗାଇବାରେ ବିଫଳ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।




Powered by odothemes.com