river-gunupur

ବର୍ଷାରେ ବେହାଲ ରାଜ୍ୟ

182

ଭୁବନେଶ୍ୱର/ଗୁଣୁପୁର/ପୁରୀ, ୧୬ା୭(ବୁ୍ୟରୋ): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ସମଗ୍ର ରାଜ୍ୟ ବେହାଲ ହୋଇଛି । ବଂଶଧାରା ନଦୀ ଗୁଣୁପୁରଠାରେ ବିପଦ ସଙ୍କେତ ଅତିକ୍ରମ କରିଥିବାବେଳେ ଅନେକ ବଡବଡ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହାତୀ ଓ ତେଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳସ୍ତର ବୃଦ୍ଧି ଯୋଗୁଁ ଲାଞ୍ଜିଗଡ ବ୍ଲକ୍ର ୧୫ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜୁନାଗଡ ବ୍ଲକ୍ର ବିଦୁର ପଞ୍ଚାୟତର ସାନଦର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭୁଷୁଡି ପଡିଛି । ନାଗାବଳୀ ନଦୀରେ ଜଣେ ଭାସିଯାଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ଏହି ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ହେବାରୁ ଏହି ଦୁଇ ଗେଟ୍ ଖୋଲିଛି । ଏଠାରେ ବିପଦ ସଙ୍କେତ ସ୍ତର ୯୦ ଫୁଟ୍ ରହିଥିବା ବେଳେ ଜଳସ୍ତର ଏବେ ୮୯.୨ ଫୁଟ୍ ରହିଛି । ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଯୋଗୁଁ ଗୁଣୁପୁରସ୍ଥିତ ଗଣ୍ଡାଗୁଡା ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ ବିଭିନ୍ନ ସ୍ଥାନରେ ବନ୍ଧ ଭାଙ୍ଗିଛି । ପ୍ରାୟ ଶହ ଶହ ଏକର ଜମି ଜଳମଗ୍ନ ହୋଇଛି । ଆଉ କେତେକ ଚାଷଜମି ବାଲିଚର ହୋଇଯାଇଛି । ପ୍ରାୟ ୧୨ ଜିଲ୍ଲାରେ ବର୍ଷା ତାର ବିତ୍ପାତ ସୃଷ୍ଟି କରିଛି । ଅଲାରନାଥ ପୀଠରେ ଆଣ୍ଠୁଏ ପାଣି ଜମା ହୋଇ ରହିଛି । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର, କଟକ, ପୁରୀରେ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି ।
ଲଗାତର ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ୧୨ ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୩୧ ବ୍ଲକ୍ରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ରେ ୨୯୯ ମି.ମି. ସର୍ବାଧିକ ବର୍ଷା ହୋଇଛି । ସେହି ଏହି ଜିଲ୍ଲାର ୪ଟି ବ୍ଲକ୍ରେ ୨୦୦ ମି.ମି. ଅଧିକ ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୨୦୧.୪ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୧୨୩.୫ ମି.ମି., ସମ୍ବଲପୁରରେ ୭୦.୮ ମି.ମି., ଟିଟିଲାଗଡରେ ୯୦ ମି.ମି., କଟକରେ ୧୩.୪ ମି.ମି., ଚାନ୍ଦବାଲିରେ ୩୨.୬ ମି.ମି., କେନ୍ଦୁଝରଗଡରେ ୧୬.୬ ମି.ମି. ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି, ପୁରୀ, ରାୟଗଡା, ଗଞ୍ଜାମ, ଜଗତସିଂହପୁର, ନୂଆପଡା, ଖୋର୍ଦ୍ଧା, ବଲାଙ୍ଗୀର, ବରଗଡ, ଗଜପତି, ନବରଙ୍ଗପୁର, ନୟାଗଡ ଜିଲ୍ଲା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, ବରଗଡ, ସୋନପୁର, ରାୟଗଡା, କନ୍ଧମାଳ, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖଠାରୁ ବର୍ଷା କମିବ ବୋଲି ବିଭାଗ ଆକଳନ କରିଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଦେଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ହାରଠାରୁ କମ୍ ବର୍ଷା ହୋଇଥିଲା । ବର୍ତ୍ତମାନ ଦ୍ୱିତୀୟ ସପ୍ତାହରେ ସ୍ୱଭାବିକ ହାରଠାରୁ ୯% ଅଧିକ ବର୍ଷା ହୋଇଛି । ବଂଶଧରା ନଦୀର ଜଳସ୍ତର ବଢିଥିବାବେଳେ ଆନ୍ଧ୍ରର ଗୋଟିଏ ଗେଟ୍ ଖୋଲାଯାଇଛି । ଗୁଡାରିଠାରେ ଯେଉଁ ଘାଇ ସୃଷ୍ଟି ହୋଇଥିଲା, ତା’ର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ନାଗାବଳୀ ନଦୀ କଲ୍ୟାଣସିଂହପୁରରେ ସ୍ୱଭାବିକ ସ୍ଥିତିରେ ରହିଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ଗୁଣୁପୁରରେ ନାଳରେ ଘାଇ ହେବା ଯୋଗୁଁ ବେଣ୍ଟୁଗୁଡା, ହରିଚନ୍ଦ୍ରଗୁଡା, ସନ୍ୟାସୀଗୁଡା ଅଞ୍ଚଳରେ ଚାଷଜମିଗୁଡିକ ଜଳମଗ୍ନ ହେବା ସହ ବାଲିଚର ହୋଇଛି । ଚାଷୀମାନେ କେତେକ ଜମିରେ ଧାନ ବିହନ ବୁଣୁଥିବାବେଳେ ଆଉ କେତେକ ଜମିରେ କପା ଚାଷ କରିଥିଲେ । ସେମାନଙ୍କ ଫସଲ ହାନି ହେବାର ସମ୍ଭାବନା ଦେଖାଦେଇଛି ।
ପୁରୀରେ ବର୍ଷା ଯୋଗୁଁ ବଡଦାଣ୍ଡ ଜଳମଗ୍ନ ହୋଇଛି । ଆଜି ମହାପ୍ରଭୁଙ୍କ ଆଡପ ବିଜେ ନୀତି ପ୍ରବଳ ବର୍ଷା ସମ୍ପନ୍ନ ହୋଇଛି । ଭକ୍ତମାନେ ବର୍ଷାରେ ଭିଜି ଓ ଆଣ୍ଠୁଏ ପାଣିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ବର୍ଷା ଯୋଗୁଁ ମାର୍କଣ୍ଡେୟ ପୋଖରୀର ପାଚେରୀ ଭାଙ୍ଗିଯାଇଛି । ସେହିପରି କୋଣାର୍କ ସୂର୍ଯ୍ୟମନ୍ଦିର ଜଳମଗ୍ନ ହୋଇଛି । ଜଳ ନିଷ୍କାସନ ପାଇଁ ମଟର ପମ୍ପ ବ୍ୟବସ୍ଥା କରାଯାଇଛି । ତେବେ ରଥଯାତ୍ରା ଥିବାରୁ ରାଜ୍ୟ ବାହାରୁ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସେମାନେ ବହୁ ହଇରାଣ ହରକତ ହେଉଥିବାର ସୂଚନା ମିଳିଛି ।




Powered by odothemes.com