କଟକ ଜଳାର୍ଣ୍ଣବ: ଜନଜୀବନ ଅସ୍ତବ୍ୟସ୍ତ | ସର୍ବସାଧାରଣ ଖବରକାଗଜ
Badambadi-(7)

କଟକ ଜଳାର୍ଣ୍ଣବ: ଜନଜୀବନ ଅସ୍ତବ୍ୟସ୍ତ

63

କଟକ(ବୁ୍ୟରୋ): ଲଗାଣ ବର୍ଷାରେ କଟକ ସହର ଅବସ୍ଥା ସଂଗୀନ ହୋଇପଡ଼ିଛି । ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିବା ବେଳେ ହଜାରହଜାର ପରିବାର ଜଳଘେରରେ ରହି ନାନାବିଧ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଜଳନିଷ୍କାସନ ନେଇ ସିଏମ୍ସିକୁ ସେଭଳି ସଫଳତା ମିଳିନାହିଁ । ସୋମବାର ସଂଧ୍ୟା ପର୍ଯ୍ୟନ୍ତ ସହରରୁ ବର୍ଷା ଜଳ ନିଷ୍କାସନ ହୋଇପାରିନି । ଫଳରେ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଛି । ବହୁ ସ୍ଥାନରେ ବର୍ଷାଜଳ ନିଷ୍କାସିତ ହୋଇ ନପାରିଥିବାରୁ ଲୋକେ ଘରୁ ବାହାରି ପାରିନାହାଁନ୍ତି । ଅନେକଙ୍କ ଘରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡ଼ି ମାରୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସମସ୍ତ ବିଦ୍ୟାଳୟକୁ ରେନି ଡେ’ ଘୋଷଣା କରାଯାଇଥିଲା । ତେବେ ବିଳମ୍ବରେ ଛୁଟି ଘୋଷଣା କରାଯାଇଥିବାରୁ ଅନେକ ଛାତ୍ରଛାତ୍ରୀ ବର୍ଷାରେ ଭଜିି ଭିଜି ସ୍କୁଲକୁ ଯାଇ ଫେରିଥିଲେ । ସହରରେ ପ୍ରାୟ ୧୩୦ ମିଲିମିଟର ବର୍ଷା ହୋଇଥିଲା ବେଳେ ନାଳନର୍ଦ୍ଦମା ଠିକ ଭାବେ ସଫା ନହେବା, ଜାଇକାର ଅଧପନ୍ତରିଆ କାର୍ଯ୍ୟ ସହରବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ବକ୍ସିବଜାର, ପଟ୍ଟାପୋଲ, ରୋଭର୍ସ ଷ୍ଟ୍ରିଟ୍, କାଜି ବଜାର, ବାଦାମବାଡ଼ି, ରକ୍ସିଲେନ୍, ଜଗନ୍ନାଥ ଲେନ୍, ତେଲେଙ୍ଗାବଜାର, ରାଜାବଗିଚା, ବାମ୍ଫିସାହି, ଗହ୍ମାଡିଅାଁ, ସାଆନ୍ତସାହି, ନିମସାହି, କାଳିଗଳି, ହାଇକୋର୍ଟ ଛକ, ରାଣୀହାଟ, ପିଠାପୁର, ରାଜାବଗିଚା, ଲେବର କଲୋନୀ, ରାଉସାପାଟଣା, ଥୋରିଆସାହି, ମହାନଦୀ ବିହାର, ପୋତାପୋଖରୀ, ପ୍ରେସ କଲୋନୀ, ନୂଆପଡା ଆଦି ଅଞ୍ଚଳରେ ଲୋକେ ଘରୁ ବାହାରି ପାରିନାହାନ୍ତି । ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷା ଗୃହରେ ନର୍ଦ୍ଦମା ପାଣି ଲହଡି ମାରୁଛି । ଷ୍ଟିୱାର୍ଟ ସ୍କୁଲ, ନିଉ ଷ୍ଟିୱାର୍ଟ ସ୍କୁଲ, ଯୋବ୍ରାର କମଳାକାନ୍ତ ବିଦ୍ୟାପୀଠ, ରେଲୱେ ସେଟଲମେଂଟ ସ୍କୁଲ, ମିଶନ ସ୍କୁଲ ଶ୍ରେଣୀ ଗୃହରେ ବର୍ଷା ପାଣି ଲହଡି ମାରୁଥିବାର ଦେଖିବାକୁ ମିଳିଛି । ନର୍ଦ୍ଦମା ପାଣି ହାଣ୍ଡିଶାଳରେ ପଶିବାରୁ ଅନେକଙ୍କ ଘରେ ଚୁଲି ଜଳିନାହିଁ । ଦିନ ସାରା କଟକରେ ବର୍ଷା ଲାଗି ରହିଥିଲା ବେଳେ ରାତି ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ହେବାରୁ ସମସ୍ୟା ବଳେଇପଡ଼ିଛି । ଜାଇକା କାମ ଯୋଗୁ ରାସ୍ତାଘାଟ ଖାଲ ଖମାରେ ପରିଣତ ହୋଇଥିଲା । ଏବେ ବର୍ଷାପାଣି ଖାଲଖମାରେ ଜମିରହି ବିପଦ ସୃଷ୍ଟି କରିଛି । ମୁଖ୍ୟ ମଇଳା କେନାଲ ଉପରେ ଜାଇକା କାର୍ଯ୍ୟ ଚାଲିଥିବାରୁ ଜଳନିଷ୍କାସନ ବିଳମ୍ବିତ ହୋଇଛି । ବହୁ ସ୍ଥ୍ାନରେ ବର୍ଷା ଓ ନର୍ଦ୍ଦମା ଜଳ ଏକାରକାର ହୋଇଛି । ଲୋକେ ଖଟ ତଥା ଉଚ୍ଚସ୍ଥାନରେ ରୋଷେଇବାସ କରୁଛନ୍ତି । ବିଶେଷ କରି ବୃଦ୍ଧ, ଶିଶୁ ଓ ରୋଗୀମାନଙ୍କ ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବଡ ଡାକ୍ତର ଖାନାର କେତକ ୱାର୍ଡରେ ପାଣି ପଶି ପଶିଯାଇଥିବା ବେଳେ ରୋଗୀମାନେ ହନ୍ତସନ୍ତ ହୋଇଥିବା ଜଣାପଡିଛି । ମହାନଗର ନିଗମ ପକ୍ଷରୁ ୧୫୫ଟି ପମ୍ପ ଲଗାଯାଇ ଜଳ ନିଷ୍କାସନ ଜାରି ରହିଛି । କିନ୍ତୁ ଏହା ପର୍ଯ୍ୟାପ୍ତ ନହେବାରୁୂ ବହୁ ସ୍ଥାନରେ ନର୍ଦ୍ଦର୍ମା ପାଣି ଲହଡ଼ି ମାରୁଥିବା ପରିଲକ୍ଷିିତ ହୋଇଛିି ।




Powered by odothemes.com