6-rajnagar-bagapatia-ra-ghara-pasila-pani-1

୫ଠଠ ପରିବାର ପାଣିଘେରରେ

89

ରାଜନଗର(ଆପ୍ର): ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତ ବଗପାଟିଆ ଠାରେ ନୂଆ ଠିକଣା ନେଇ ବସବାସ କରୁଥିବା ସାତଭାୟାର ୫ଶହରୁ ଊଦ୍ଧ୍ୱର୍ ପରିବାରଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି । ଗତକାଲି ଏବଂ ଆଜି ଦୁଇଦିନ ଧରି ପ୍ରବଳ ଲଘୁଚାପ ବର୍ଷା ଯୋଗୁ ଥଇଥାନସ୍ଥଳୀ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିଛି । ସରକାରଙ୍କ ପକ୍ଷରୁ ଥଇଥାନସ୍ଥଳିର ସଂଯୋଗ ପାଇଁ ନିର୍ମାଣ କରାଯାଇଥିବା ୨୧ଟି କଚ୍ଚା ରାସ୍ତା ମଧ୍ୟରୁ ୧୯ଟି ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି । ଫଳରେ ଏହି ପରିବାର ଘରୁ ବାହାରିବା ସମ୍ଭବ ହେଉନାହିଁ । ବହୁ ପରିବାରଙ୍କ ରୋଷେଇ ଚୁଲିରେ ପାଣି ପଶିଯାଇଛି । ଫଳରେ ସାତଭାୟାବାସୀଙ୍କ ଥଇଥାନସ୍ଥଳୀ ବଗପାଟିଆରେ ୫ଶହରୁ ଊଦ୍ଧ୍ୱର୍ ପରିବାର ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ବର୍ଷା ଆରମ୍ଭ ହେଉ ହେଉ ସମ୍ପୃକ୍ତ ପରିବାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଦୁର୍ଦ୍ଦଶା । ୫୦ରୁ ଊଦ୍ଧ୍ୱର୍ ପରିବାରରେ ଚୁଲିରେ ପାଣି ପଶିଯିବା ଯୋଗୁଁ ରୋଷେଇ ବାସ ବନ୍ଦ ରହିଛି । କମଳାକାନ୍ତ ମହାନ୍ତି, କିଶାନ ମହାନ୍ତି, ଦୈତାରୀ ଦଳାଇ, କୃପାସିନ୍ଧୁ ଦଳାଇ, ଦୁଃଖିରାମ ଦଳାଇ, ସୁକଦେବ ଦଳାଇ, ନିରଂଜନ ସ୍ୱାଇଁ, ଧିରେନ୍ଦ୍ର ପୃଷ୍ଟି, ବିରଞ୍ଚି ପୃଷ୍ଟି, ହେମନ୍ତ କୁମାର ବିଶ୍ୱାଳ, ଶରତ ରାଉତ ପ୍ରମୁଖଙ୍କ ଘର ମଧ୍ୟରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି । ବର୍ତ୍ତମାନ ସୁଦ୍ଧା ୫ଶହରୁ ଉଦ୍ଧ୍ୱର୍ ପରିବାର ବଗପାଟିଆରେ ରହିସାରିଲେଣି । ସାତଭାୟାର ବିପନ୍ନ ଲୋକଙ୍କ ଥଇଥାନସ୍ଥଳୀ ରାସ୍ତା ଘରଡିଅ ଠାରୁ ୬ ଫୁୁଟ ତଳେ ରହିଛି । ମାସେ ତଳେ ଥଇଥାନସ୍ଥଳୀରେ ଥିବା ଖାଲୁଆ ସ୍ଥାନ ଗୁଡିକରେ ଓସ୍ଡମା ପକ୍ଷରୁ ମାଟି ପକା ଯାଇଛି । ଥଇଥାନସ୍ଥଳୀରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ମାଟି ଫିଲିଙ୍ଗ୍ ପରେ ଥଇଥାନସ୍ଥଳୀରେ ଅଧିକାଂଶ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଏପରିକି ଦୁଇଟି ସ୍ଥାନରେ ନଳକୂପ ପାଣିରେ ବୁଡି ରହିଛି । ଏହାବାଦେ ଥଇଥାନସ୍ଥଳୀରେ ୩ ବର୍ଷ ତଳେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୧ଟି ସଂଯେଗୀକରଣ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ହୋଇଥିଲା । ଏବେ ମାଟିକାମ ପାଇଁ ରାସ୍ତାରେ ଜେସିବି ଓ ହାଇୱା ଚାଲିବା ଯୋଗୁୁଁ ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏଁ ଗର୍ତ୍ତ । ଶିକ୍ଷାବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡୁଛି । ପାଣିଘେରରେ ଥିବା ବଗପାଟିଆର ଦୁଃଖିରାମ ଦଳାଇ, ସୁକଦେବ ଦଳାଇ, ନିରଂଜନ ସ୍ୱାଇଁ, ଧିରେନ୍ଦ୍ର ପୃଷ୍ଟି, ବିରଞ୍ଚି ପୃଷ୍ଟିଙ୍କ କହିବା ଅନୁଯାୟୀ ସାଗରକୂଳରେ ଥାଇ ଭଲରେ ଥିଲୁ, ଭିଟାମାଟି ଛାଡି ନୂତନ ଥଇଥାନସ୍ଥଳିକୁ ଆସିଲୁ । କିନ୍ତୁ ଏଠାରେ ସମୁଦ୍ରର ଭୟ ଅପେକ୍ଷା ବର୍ଷାପାଣି ଆମକୁ ଅଣନିଶ୍ୱାସି କରିଦେଲାଣି ବୋଲି କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com