1

ଢେଙ୍କାନାଳରେ ପବିତ୍ର ଘୋଷଯାତ୍ରା

67

ଢେଙ୍କାନାଳ,୧୪ା୭(ଆପ୍ର): ଢେଙ୍କାନାଳରେ ପବିତ୍ର ଘୋଷଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଶନିବାର ସମ୍ପନ୍ନ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ରଥଦ୍ୱୟ ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରି ନଥିଲା । ସକାଳ ୧୨ ଘଟିକାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ସ୍ଥାନୀୟ ବଳରାମ ମନ୍ଦିରଠାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ହଜାର ହଜାର ଭକ୍ତଙ୍କ ସମାଗମରେ ରଥଗଡ଼ାସ୍ଥିତ ସଜ୍ଜିତ ଦୁଇରଥରେ ବିରାଜମାନ କରାଯାଇଥିଲା । ବଡ଼ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସାନରଥରେ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ବିଜେ ହୋଇଥିଲେ । ପୂର୍ବପ୍ରଥା ଅନୁଯାୟୀ ମଧ୍ୟାହ୍ନ ୧.୫୫ ମିନିଟ୍ରେ ଢେଙ୍କାନାଳ ରାଜା କାମାକ୍ଷାପ୍ରସାଦ ସିଂହଦେଓ ଛେରା ପହଁରା କରିଥିଲେ । ଅପରାହ୍ନ ୨.୨୦ ମିନିଟ୍ରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬.୫୫ ମିନିଟ୍ ପର୍ଯ୍ୟନ୍ତ ଉଭୟ ରଥ ମାଉସୀ ମା’ ମନ୍ଦିର ଠାରେ ପହଞ୍ଚି ପାରିନଥିଲେ । ରଥଟଣା ସମୟରେ ପ୍ରବଳ ବର୍ଷା ଯୋଗୁଁ ଏହିପରି ଅସୁବିଧା ହୋଇଥିବା ଜଣାପଡ଼ିଛି । ଉଭୟ ରଥ କାଞ୍ଚନ ବଜାର ଠାରେ ଅଟକି ରହିଛନ୍ତି । ଆସନ୍ତାକାଲି ତଥା ରବିବାର ସକାଳ ୯ଟା ବେଳେ ପୁନଃ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ହଜାର ହଜାର ଭକ୍ତଙ୍କ ସମାଗମ ତଥା ହୋ ଭକତେ, ହୁଳହୁଳି ଓ ଘଣ୍ଟ ଧ୍ୱନୀରେ ଢେଙ୍କାନାଳ ସହର ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆଶୁଚିକିତ୍ସା ଶିବିର, ପାନୀୟ ଜଳ ଯୋଗାଣ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍କାଉଟ୍ ଓ ଏନ୍ସିସି ବିଭାଗ ଦ୍ୱାରା ଜନସାଧାରଣଙ୍କୁ ଥଣ୍ଡା ପାନୀୟ ସମେତ ପାଣି ସିଞ୍ଚନ କରାଯାଇଥିଲା । ଢେଙ୍କାନାଳ ପରିବା ମାର୍କେଟ୍ରେ ପରିବା ବେପାରୀ ସଂଘ ତରଫରୁ ଖେଛୁଡ଼ି ଭୋଗ ଦିଆଯାଇଥିବା ବେଳେ ବଜରଙ୍ଗ କ୍ଲବ୍ ତରଫରୁ ଟଙ୍କ ତୋରାଣି ସମେତ ଆଶୁ ଚିକିତ୍ସାର ବ୍ୟବସ୍ଥା ଭକ୍ତମାନଙ୍କୁ ଯୋଗାଇ ଦିଆଯାଇଥିଲା । ରଥ ଟଣା ସମୟରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ନାୟକ, ଦେବୋତ୍ତର ଅଧିକାରୀ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ, ଜିଲ୍ଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ, ଟାଉନ୍ ଥାନା ଆଇଆଇସି ଅଭିନବ ଡାଳୁଅଙ୍କ ସମେତ ପୁଲିସ୍ ଫୋର୍ସ ସଦଳବଳ ଉପସ୍ଥିତ ରହିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।




Powered by odothemes.com