ସେବା ମନୋଭାବ ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ

37

ଭୁବନେଶ୍ୱର,୧୨ା୬(ବୁ୍ୟରୋ): ମଣିଷର ସେବା ହିଁ ମାଧବଙ୍କ ସେବା । ସେବା ଦ୍ୱାରା ସମାଜରୁ ହିଂସା ଦୂର ହୋଇ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ରାଜ୍ୟପାଳ ଡ. ଏସ ସି ଜମିର୍ କହିଛନ୍ତି । ରୋଟାରୀ କ୍ଲବ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟକୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ରାଜ୍ୟପାଳ ଡ. ଏସ୍ ସି ଜମିର କହିଥିଲେ ଯେ, ରୋଟାରୀ କ୍ଲବ ସମଗ୍ର ବିଶ୍ୱରେ ତା’ର ସେବା କାର୍ଯ୍ୟକ୍ରମ ଜାରି ରଖିଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଗରିବ ଜନସାଧାରଣ ଉପକୃତ ହୋଇପାରୁଛନ୍ତି । ସେବା ମନୋଭାବ ସମାଜରୁ ସମସ୍ତ ପ୍ରକାର ବିଶୃଙ୍ଖଳା ଦୂର କରିପାରିବ ବୋଲି ରାଜ୍ୟପାଳ ଡ. ଜମିର୍ କହିଥିଲେ । ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଏ ବି ମହାପାତ୍ର, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ରବି ନାରାୟଣ ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜସେବା କ୍ଷେତ୍ରରେ ରୋଟାରୀ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଚକ୍ଷୁ ଚିକିତ୍ସାଳୟ ଟ୍ରଷ୍ଟି ରୋଟାରିଆନ୍ ଦେବାଶିଷ ମିଶ୍ର ହସ୍ପିଟାଲର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ରାଜ୍ୟାପାଳ ଏ ଏନ୍ ଦାସ, ବିନୋଦ ଖୈତାନ, ହୀରାଲାଲ୍ ଯାଦବ, ରତନ ରାଓ, ସମରେନ୍ଦ୍ର ପରିଜା, ପ୍ରଦୀପ ଦାସ ଓ ପ୍ରଶାନ୍ତ ଲେଙ୍କାଙ୍କ ସମେତ ୯ ଜଣ ରୋଟାରିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ହସ୍ପିଟାଲ୍ ପଟିଆରେ ପ୍ରତିଷ୍ଠା କରାଯାଇଛି । ଏହି ହସ୍ପିଟାଲ୍ ରୋଟାରୀ କ୍ଲବ୍ ସିଙ୍ଗାପୁର ଓ ରୋଟାରୀ କ୍ଲବ୍ ଭୁବନେଶ୍ୱରର ମିଳିତ ଉଦ୍ୟମରେ ସ୍ଥାପନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com