fish

ଆନ୍ଧ୍ର ମାଛରେ ଫର୍ମାଲିନ୍! ହୋଇପାରେ କ୍ୟାନ୍ସର

20

ଭୁବନେଶ୍ୱର, ୧୨ା୭(ବୁ୍ୟରୋ): ଆନ୍ଧ୍ରରୁ ଆସୁଥିବା ମାଛରେ ବିଷ ରହିଛି । ଯଦିଓ ଓଡିଶାରେ ଏଭଳି କିଛି ଅଭିଯୋଗ ଆସିନାହିଁ, ତେବେ ଆସାମ ସରକାର ଆନ୍ଧ୍ର ମାଛକୁ ୧୦ ଦିନ ଲାଗି ତାଙ୍କ ରାଜ୍ୟରେ ନିଷିଦ୍ଧ କଲାପରେ କୃଷି ଓ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ଆନ୍ଧ୍ରରୁ ଆସୁଥିବା ମାଛର ନମୁନା ପରୀକ୍ଷଣ କରାଯିବ । ରିପୋର୍ଟ ଆସିଲା ପରେ କଡାକଡି ପଦକ୍ଷେପ ନେବାକୁ ସରକାର ସ୍ଥିର କରିଛନ୍ତି । କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ବିଭାଗୀୟ ସଚିବଙ୍କୁ ଅନୁଧ୍ୟାନ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଓଡିଶାରେ ଏଭଳି ଅଭିଯୋଗ ଆସିନଥିଲା । ମାଛର ନମୁନା ପରୀକ୍ଷା ପରେ ଯଦି ତ୍ରୁଟି ଥାଏ, କଠୋର ପଦକ୍ଷେପ ନିଆଯିବ । ଏଥିଲାଗି ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବ ବୋଲି ସେ କହିଛନ୍ତି । ରିପୋର୍ଟ ଅନୁଯାୟୀ, ଓଡିଶା ବହୁ ବର୍ଷ ଧରି ଆନ୍ଧ୍ର ଉପରେ ମାଛ ପାଇଁ ନିର୍ଭରଶୀଳ । ଆନ୍ଧ୍ରରୁ ଦୈନନ୍ଦିନ ଶହ ଶହ ଟ୍ରକ୍ ମାଛ ଓଡିଶା ଆସିଥାଏ । ତେବେ ଆନ୍ଧ୍ର ମାଛରେ ମାରାତ୍ମକ ଫର୍ମାଲିନ୍ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସିଛି । ଏହି ଫର୍ମାଲିନ୍କୁ ମାଛକୁ ଅନେକ ଦିନ ପାଇଁ ସତେଜ ରଖିବା ଲାଗି ବ୍ୟବହାର କରାଯାଉଛି । ବିଶେଷକରି ମୃତୁ୍ୟ ପରେ ମଣିଷର ଶରୀରକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ଲାଗି ଏହି ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଇଥାଏ । ଆସାମରେ ଅଭିଯୋଗ ଆସିଲା ପରେ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ପିଜୁସ୍ ହଜାରିକା ଆନ୍ଧ୍ରରୁ ୧୦ ଦିନ ଲାଗି ମାଛ ଆମଦାନୀ ବନ୍ଦ କରିଛନ୍ତି । ଆସିଥିବା ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ମାଛରେ ଏହି ଫର୍ମାଲିନ୍ ପ୍ରୟୋଗ କରାଯାଇପାରିବନାହିଁ ବୋଲି ନିୟମ ରହିଛି । ଯେଉଁମାନେ ଏହା କରିବେ ସେମାନଙ୍କୁ ୨ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି । ମୃତଦେହ ସଂରକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ଫର୍ମାଲ୍ ଡିହାଇଡ୍ ଶରୀର ପାଇଁ ଖୁବ୍ କ୍ଷତିକାରକ । ଏହି କେମିକାଲ୍ର କିଛି ମାତ୍ରା ଯଦି ଶରୀରକୁ ଯାଏ, ତାହେଲେ ସାଂଘାତିକ ପେଟରୋଗ ହୁଏ । ଏପରିକି ମାଛ ମାଧ୍ୟମରେ ଏହି ବିଷ ଶରୀରକୁ ଗଲେ କ୍ୟାନସର ହେବାର ଆଶଙ୍କା ରହିଛି । ଯେଉଁ ମାଛରେ ଏହି ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଇଥିବ ତାହା ସାଧାରଣ ମାଛ ଠାରୁ ଅଧିକ ଟାଣୁଆ ଲାଗିବ । ଏହାକୁ ଖାଇବା ସମୟରେ ମଧ୍ୟ ରବର ଭଳି ଜଣାପଡିବ । କେମିକାଲ ମିଶା ମାଛ କାତି ମଧ୍ୟ ସଜ ମାଛଠାରୁ ଅଧିକ ଟାଣୁଆ । ମାଛର ଗାଲିସ ଅତ୍ୟଧିକ ଲାଲ୍ ଓ ଆଖି ଅଧିକ ସଫା ଦେଖାଯିବ । ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ କେମିକାଲ ମିଶା ମାଛର ବାସ୍ନା ତାହାଠୁ ଭିନ୍ନ ରହିବ । ଜୀଅନ୍ତା ମାଛରେ କୌଣସି କେମିକାଲ ମିଶା ଯାଇନଥିବା ସମ୍ଭାବନା ଅଧିକ ରହିଛି ।
ତେବେ ମାଛରେ କେମିକାଲ୍ ମିଶିଛି କି ନାହିଁ, ତାହା ଜାଣିବା ଲାଗି ୫ ମିନିଟ୍ ସମୟ ଲାଗିବ । ସିଆଇଏଫ୍ଟିର ୨୫ ଟିକିଆ ଷ୍ଟି୍ରପ୍ ଦ୍ୱାରା ଏହା ଜଣାପଡିବ । ଏଥିରେ କିଛି କେମିକାଲ ମିଶାଇ ଏହି ଷ୍ଟି୍ରପ୍କୁ ମାଛ ଉପରେ ରଖିଲେ ଯଦି କାଗଜର ରଙ୍ଗ ବଦଳିଲା, ତାହେଲେ କେମିକାଲ୍ ମିଶିଥିବା ଜଣାପଡିଯିବ । ମାତ୍ର ୫ ଟଙ୍କାରୁ କମ୍ ଖର୍ଚ୍ଚରେ ଏହି ପରୀକ୍ଷା କରାଯାଇପାରିବ ।




Powered by odothemes.com