polavaram

ନିର୍ମାଣ କାର୍ଯ୍ୟ ବନ୍ଦ ହେଉ

33

ପୋଲାଭରମ୍ ପ୍ରସଙ୍ଗରେ ନବୀନଙ୍କ କଠୋର ଆଭିମୁଖ୍ୟ
ଭୁବନେଶ୍ୱର, ୧୨ା୭(ବୁ୍ୟରୋ): ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଓଡିଶାର ଦାବିକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅଗ୍ରାହ୍ୟ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସୁପ୍ରିମ୍କୋର୍ଟରେ ମାମଲା ଫଇସଲା ନହେବା ପର୍ଯ୍ୟନ୍ତ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ତୁରନ୍ତ କ୍ଷେତ୍ରରେ ହସ୍ତକ୍ଷେପ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପର କାର୍ଯ୍ୟ ବନ୍ଦ ଉପରେ ଥିବା ସ୍ଥଗିତାଦେଶକୁ ପରିବେଶ ମନ୍ତ୍ରାଳୟ ୨୦୧୯ ଜୁଲାଇ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଏ ସଂକ୍ରାନ୍ତରେ ସେ ପରିବେଶ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ପରିବେଶ ମନ୍ତ୍ରାଳୟ ୨୦୧୫ ଜୁନ୍ ୨୩ରେ କାର୍ଯ୍ୟ ବନ୍ଦ ଉପରେ ଥିବା ନିଦେ୍ର୍ଦଶକୁ ପ୍ରଥମେ ବର୍ଷକ ପାଇଁ ସ୍ଥଗିତ ରଖିଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୨୦୧୫ ଏପ୍ରିଲ ୨୫ରେ ଲେଖିଥିବା ଚିଠି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ସ୍ଥଗିତାଦେଶ ଦେଲାବେଳେ ସର୍ତ୍ତାରୋପ କରାଯାଇଥିଲା । ସର୍ତ୍ତ ଅନୁଯାୟୀ, ଓଡିଶା ଓ ଛତିଶଗଡର ଆପତ୍ତିକୁ ଆନ୍ଧ୍ର ସରକାର ସମାଧାନ କରିବେ । ମାତ୍ର ସେ ସମ୍ପର୍କରେ କୌଣସି ପଦକ୍ଷେପ ନିଆଗଲା ନାହିଁ । କାର୍ଯ୍ୟ ବନ୍ଦ କରିବା ଲାଗି ଚିଠି ଲେଖାଯାଇଥିଲେ ହେଁ ୨୦୧୮ ଜୁଲାଇ ୧୦ରେ ଏହା ଉପରେ ସ୍ଥଗିତାଦେଶ ଅବଧିକୁ ବୃଦ୍ଧି କରାଯାଇଛି । ୨୦୧୫ ଜୁନ୍ ୨୩ରେ ଯେଉଁ ସର୍ତ୍ତ ରହିଥିଲା, ସେହି ସର୍ତ୍ତ ମଧ୍ୟ ପୁନର୍ବାର ମଧ୍ୟ ଆରୋପ କରାଯାଇଛି । ୨୦୧୫ ପରେ ୨୦୧୬, ୨୦୧୭ରେ ମଧ୍ୟ ବର୍ଷକ ଲାଗି ସ୍ଥଗିତାଦେଶ ଅବଧି ବୃଦ୍ଧି କରାଯାଇଥିଲା । ଏବେ ପୁଣି ୨୦୧୮ରେ ଆଉ ବର୍ଷକ ଲାଗି ବୃଦ୍ଧି କରାଯାଇଛି ଏବଂ ସେମାନଙ୍କୁ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନୁମତି ଦିଆଯାଇଛି । ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୌଣସି ପରିବର୍ତ୍ତନ କରାନଯାଇ ଏହା ଚାଲୁ ରହିଛି । ୨୦୧୯ ପର୍ଯ୍ୟନ୍ତ ସ୍ଥଗିତାଦେଶ ଅବଧି ବୃଦ୍ଧି କରାଯାଇଥିବାରୁ ଏହି ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯିବ । ଫଳରେ ମାଲକାନାଗିରି ଜିଲ୍ଲା ଜଳମଗ୍ନ ହେବ । ନଦୀବନ୍ଧ ନିର୍ମାଣର ସ୍ଥାନ ବଦଳିବାର ଆବଶ୍ୟକତା ରହିଛି । ଏହା କରାନଗଲେ ଜଙ୍ଗଲ ଜମି ବୁଡିବା ସହ ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ । କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ମଧ୍ୟ ବିଆଇସି କୋଡ୍ ଅନୁଯାୟୀ ନଦୀବନ୍ଧ ନିର୍ମାଣ ହେଉନଥିବା ନେଇ ଆପତ୍ତି କରିଛି । ଏଥିଯୋଗୁ ଓଡିଶା ଲୋକମାନେ ଭୋଗିବାକୁ ଥିବା ଅସୁବିଧା ସମ୍ପର୍କରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଦିବାସୀଙ୍କ ଅନେକ ଉର୍ବର ଚାଷ ଜମି ଜଳମଗ୍ନ ହେବା ସହ ବହୁ ଗ୍ରାମବାସୀଙ୍କୁ ବାସଚୁ୍ୟତ ହେବାକୁ ପଡିବ । ସୁପ୍ରିମ୍କୋର୍ଟରେ ରାୟ ନଆସିବା ପର୍ଯ୍ୟନ୍ତ ଏ ବିବାଦର ସମାଧାନ ହୋଇପାରିବନାହିଁ । ଓଡିଶାର ବହୁ ଅଞ୍ଚଳ ଜଳମଗ୍ନ ହେଉଛି । କେବଳ ଓଡିଶା ନୁହେଁ, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହୁଛି । ସୂଚନାଯୋଗ୍ୟ, ପୋଲାଭରମ୍ ପ୍ରକଳ୍ପ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ।




Powered by odothemes.com