TREE---2018-PHOTO-TIHIDI

ରାଜସ୍ୱ-ଜଙ୍ଗଲ ବିଭାଗ ଟଣାଟଣି, ଉଜୁଡୁଛି ଗ୍ରାମ୍ୟ ଜଙ୍ଗଲ

45

ଚାନ୍ଦବାଲିରେ ପରିବେଶ ସୁରକ୍ଷା ଭେଳିକି
ଚାନ୍ଦବାଲି (ଆପ୍ର): ପରିବେଶ ସୁରକ୍ଷା ପାଇଁ ସୃଷ୍ଟି କରାଯାଇଛି ଜଙ୍ଗଲ ହେଲେ ହେଉନି ରକ୍ଷାଣାବେକ୍ଷଣ । ଉଜୁଡ଼ି ଯିବାକୁ ବସିଛି ଶହ ଶହ ଏକର କୃତ୍ରିମ ଗ୍ରାମ୍ୟ ଜଙ୍ଗଲ । ବନ୍ୟା ବାତ୍ୟା ଓ ସାମୁଦ୍ରିକ ଜୁଆର କବଳରୁ ସୁରକ୍ଷା ଦେବା ଲାଗି ଚାନ୍ଦବାଲି ବ୍ଲକରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯିବା ଲକ୍ଷ୍ୟ ଥିଲା ତାହା ମଧ୍ୟ ସଫଳ ହୋଇଥିଲା । ବିିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା ହେଲେ ତାହା ଅଧିକାଂଶ ସ୍ଥାନରେ ବିଲୋପ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଉଜୁଡ଼ି ଯିବାକୁ ବସିଛି । ମହାବତ୍ୟା ପରେ ବନବିଭାଗ ପକ୍ଷରୁ ଉପକୂଳବର୍ତ୍ତି ଧାମରାଠାରୁ ଚାନ୍ଦବାଲି ପ୍ରର୍ଯ୍ୟନ୍ତ ପ୍ରାୟ ୨୦ଟି ସ୍ଥାନରେ ସୃଷ୍ଟି କରାଯାଇଥିଲା ଗ୍ରାମ୍ୟ ଜଙ୍ଗଲ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଉଜୁଡ଼ିବାରେ ଲାଗିଛି । ସବୁଠାରୁ ବଡ଼କଥା ହେଉଛି ଏହି ଗ୍ରାମ୍ୟ ଜଙ୍ଗଲ ଚାନ୍ଦବାଲି ବନ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଛି ହେଲେ ଜଙ୍ଗଲ ଜମି ଚାନ୍ଦବାଲି ତହସିଲ ଅଧୀନରେ ରହିଛି । ତେଣୁ ଜଙ୍ଗଲ ବିଭାଗ ଚାହିଁଲେ ବି ସେହି ସ୍ଥାନରେ କିଛି ନୂଆ ପ୍ରକଳ୍ପ କରିପାରୁନାହିଁ । ଏବେ ଏହି ଦୁଇ ବିଭାଗର ଟଣାଓଟରାରେ ମଧ୍ୟରେ ଜଙ୍ଗଲଗୁଡ଼ିକ ଦିନେ ସମ୍ପୂର୍ଣ୍ଣ ଲୋପ ହୋଇଯିବ ଏଥିରେ ସନେ୍ଦହ ନାହିଁ ।
ଚାନ୍ଦବାଲି ବ୍ଲକ ବାଲିଗାଁ ପଞ୍ଚାୟତର ପାହଡ଼ପୁର ଓ ଗାନ୍ଧିନଗରେ ରହିଛି ୧୫ ଏକର ଏବଂ ବଡ଼ଓସ୍ତିଆ ପଞ୍ଚାୟତ କଲେଜରୋଡ୍ ଓ ଗୋପାଳପୁର ମୌଜାରେ ୨୦ ଏକର, ଶାରଳା ପଡ଼ିଆରେ ୫ ଏକର, ଲକ୍ଷ୍ମୀନାରାୟଣ ପଡ଼ିଆରେ ୫ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ମୋଟ ୪୫ ଏକର ଗ୍ରାମ୍ୟ ଜଙ୍ଗଲ ଏବେ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାକୁ ବସିଛି । ଏଥିସହ ବାଲିଗାଁ ବଧିପଡ଼ିଆ ୫ ଏକର ଗ୍ରାମ୍ୟ ଜଙ୍ଗଲ, ବଡ଼ଓସ୍ତିଆର ଫାୟାର ଷ୍ଟେସନ ପଡ଼ିଆର ୫ ଏକର, କଲେଜ ପଡ଼ିଆ ୬ ଏକର ଗ୍ରାମ୍ୟ ଜଙ୍ଗଲ ସମ୍ପୂୂର୍ଣ୍ଣ ନଷ୍ଟ ହେବା ସହିତ ଅନ୍ୟ ୧୦ ରୁ ୧୫ ଟି ସ୍ଥାନରେ ଆଉ ଜଙ୍ଗଲର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଗୋଟେପଟେ ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଅନ୍ୟପଟେ ହୁହୁ ହୋଇ ବଢିିଚାଲିଛି ଜନସଂଖ୍ୟା । ଏପରି ସ୍ଥିତିରେ ଚାନ୍ଦବାଲିରେ ସମସ୍ତ ଭିତ୍ତିଭୂମି ଥାଇ ବି ପରିବେଶ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଉନି, ଦୁଇ ବିଭାଗର ବିବାଦରେ ବଳି ପଡ଼ୁଛି ଶହଶହ ଏକର ଜଙ୍ଗଲ । ବେଳ ଥାଉ ଥାଉ ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଚାନ୍ଦବାଲି ଉତ୍ତପ୍ତ ସହର ପାଲଟିବ ଏଥିରେ ସନେ୍ଦହ ନାହିଁ ।
ଏ ସଂପର୍କରେ ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କୁ ପଚାରିବାରୁ ସେ କହିଥିଲେ, ଯଦି ବନ ବିଭାଗ ଜମି ହସ୍ତାନ୍ତର ପାଇଁ ଅନୁମତି ମାଗେ ତେବେ କିଛି ପ୍ଲଟ ହସ୍ତାନ୍ତର କରାଯିବ । ଅନ୍ୟପକ୍ଷରେ ବନବିଭାଗର ବରିଷ୍ଠ ଅଧିକାରୀ ତଥା ଭଦ୍ରକ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି, ଯେହେତୁ ବନବିଭାଗ ଅଧୀନରେ ପ୍ଲଟ ଗୁଡ଼ିକ ନାହିଁ ଚାହିଁଲେବି କିଛି କରାଯାଇପାରିବ ନାହିଁ ।

ସେଆର କରନ୍ତୁ:



Powered by odothemes.com