kotia

ଛଅ ମାସରେ ବଦଳିବ କୋଟିଆର ଚିତ୍ର

36

ଭୁବନେଶ୍ୱର (ବୁ୍ୟରୋ): ସୀମାନ୍ତ ଅଞ୍ଚଳରେ ଥିବା କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାରଙ୍କ ଅନାଧିକାର ପ୍ରବେଶ ପରେ ଏବେ ସେଠାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ କୋଟିଆର ଚିତ୍ର ବଦଳିଯିବ ଓ ଏଠାରେ ବହୁମୁଖୀ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି । ଆଜି ସଚିବାଳୟରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆ ଗ୍ରାମସମୂହର ବିକାଶ ପାଇଁ ଗଠନ ହୋଇଥିବା ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ଯେ କୋଟିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିକାଶର ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି, ସେଥିରେ ସନ୍ତୋଷଜନକ ଅଗ୍ରଗତି ହୋଇଛି । ସେବାଶ୍ରମ ସ୍କୁଲ୍ ହାଇସ୍କୁଲ୍କୁ ଉନ୍ନିତ ହୋଇଛି । ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୧୦ଟି ଶ୍ରେଣୀ ଗୃହ, ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପୃଥକ ଛାତ୍ରାବାସ, ଶିକ୍ଷକମାନଙ୍କ ନିମନ୍ତେ ଷ୍ଟାଫ୍ କ୍ୱାର୍ଟର୍ ନିର୍ମାଣ କରାଯାଉଛି । ହାଇସ୍କୁଲ୍ ନିମନ୍ତେ ୧୧ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ମଞ୍ଜୁର କରାଯାଇଛି । ସେଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱତନ୍ତ୍ରଭାବେ ୧୦ ଶଯ୍ୟା ବିଶିଷ୍ଟ କରାଯିବ । ଏଥିଲାଗି ୨୦୮.୨୮ ଲକ୍ଷ ଟଙ୍କା ବ୍ୟୟ ହେବ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୮ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟରେ କୋଟିଆ-ତାଡିଭାଲ୍ସା ୧୫ କି.ମି. ରାସ୍ତାର ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚôଛି । ଏଥିସହ ହାଇଲେଭଲ୍ ବ୍ରିଜ୍ ସମେତ ୭ଟି ରାସ୍ତା ନିର୍ମାଣ ପାଇଁ ୮.୧୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି । ମାର୍ଚ୍ଚ ୨୦୧୮ରୁ କୋଟିଆରେ ବସୁଥିବା ସାପ୍ତାହିକ ହାଟ ନିୟମିତ ବସୁଛି । ଏହି ହାଟ ନିମନ୍ତେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇ ତାହାକୁ କାର୍ଯ୍ୟକ୍ଷମ କରାଯାଇଛି । କୋଟିଆ ଥାନା ନିର୍ମାଣ ନିମନ୍ତେ ୧.୫ ଏକର ଜମି ଚିହ୍ନଟ ହୋଇଛି । ଖୁବ୍ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଜୁଲାଇ ୧୧ରେ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର ଏକ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ କୋଟିଆରେ ଖୋଲିଛି । କୋଟିଆ ପଞ୍ଚାୟତକୁ ଇଣ୍ଟରନେଟ୍ ଯୋଗାଇବା ନିମନ୍ତେ ସରକାର ଓ ବିଏସ୍ଏନ୍ଏଲ୍ ସହଭାଗିତାରେ ଭିସାଟ୍ ସେବା ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଛି । ସମସ୍ତ ବାସଗୃହକୁ ଅଗ୍ରାଧିକଭିତ୍ତିରେ ବିଦୁ୍ୟତ୍ ସଂଯୋଗ ଦିଆଯିବା ସହ ୩ଟି ସେମି ହାଇମାସ୍କ ଲାଇଟ୍ କାର୍ଯ୍ୟକ୍ଷମ ହୋଇଛି । ପଟାଙ୍ଗି ବ୍ଲକ୍ ଓ ତହସିଲରେ ନିୟମିତ ବିଡିଓ ଓ ତହସିଲଦାରଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ବାସଗୃହ ନିମନ୍ତେ ଗୃହ ନିର୍ମାଣ ନିଷ୍ପତ୍ତି ହୋଇଛି । ଜଙ୍ଗଲ ଅଧିକାର ଆଇନରେ କୋଟିଆ ପଞ୍ଚାୟତର ୧୬୭୨ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଯାତ୍ରୀ ପରିବହନ ସୁବିଧା ନିମନ୍ତେ କୋଟିଆରୁ ସେମିଳିଗୁଡା ଓ ପଟାଙ୍ଗି ପର୍ଯ୍ୟନ୍ତ ୩ଟି ବସ୍ ଚାଲୁଛି । ସମସ୍ତଙ୍କୁ ଆଧାର କାର୍ଡ ଯୋଗାଇବା ଲକ୍ଷ୍ୟରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ୬୫୭ ଜଣଙ୍କୁ ଆଧାର କାର୍ଡ ଦିଆଯାଇଛି । ଉନ୍ନୟନ କାର୍ଯ୍ୟର ତଦାରଖ ନିମନ୍ତେ ନୋଡାଲ୍ ଅଫିସର ନିଯୁକ୍ତ ହୋଇଛନ୍ତି । ପ୍ରତି ୩ ମାସରେ ବିଭାଗୀୟ ଉଚ୍ଚାଧିକାରମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ଆର୍ ବାଲ୍କ୍ରିଷ୍ଣନ, କେବିକେ ମୁଖ୍ୟ ପ୍ରଶାସକ ଏସ୍ପି ଠାକୁର, ଜଙ୍ଗଲ ସଚିବ ସୁରେଶ ମହାପାତ୍ର, ରାଜସ୍ୱ ସଚିବ ଚନ୍ଦ୍ରଶେଖର କୁମାର ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com