BANSADA-BRIDGE---2018-PHOTO-TIHIDI

୨୩ କୋଟିର ବାଁଶଡ଼ା ସେତୁ ନଭେମ୍ବରରେ କାର୍ଯ୍ୟକ୍ଷମ

69

ତିହିଡ଼ି, ୧୨ା୭(ଆପ୍ର): ଆସନ୍ତା ନଭେମ୍ବର ଶେଷସୁଦ୍ଧା ବହୁ ଚର୍ଚ୍ଚିତ ମନ୍ତେଇ ନଦୀ ଉପରେ ୨୩ କୋଟି ଟଙ୍କାରେ ନିର୍ମିତ ହେଉଥିବା ବାଁଶଡ଼ା ସେତୁ ଲୋକାର୍ପିତ ହେବାକୁ ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଛି । ୧୪ ଥର ଟେଣ୍ଡର ହୋଇ ଫେଲ ମାରିଥିବା ବେଳେ ଶେଷରେ ଟର୍ଣ୍ଣ କି ପଦ୍ଧତିରେ ଆରମ୍ଭ ହେଉଥିବା ଏହି ସେତୁ ନିର୍ମାଣ ଉପରେ ରୋକ ଲଗାଇଥିଲେ ଅନ୍ତର୍ଦେଶୀୟ ଜାହାଜ ଚଳାଚଳ ମନ୍ତ୍ରଣାଳୟ । ନଦୀ ସଂଯୋଗୀକରଣ ଯୋଜନାରେ ସମୁଦ୍ରରୁ ନଦୀ ମଧ୍ୟକୁ ଯାଉଥିବା ଛୋଟ ଛୋଟ ଜାହାଜ ଏହି ମନ୍ତେଇ ନଦୀ ଉପରେ ବାଁଶଡା ସେତୁ ନିର୍ମାଣ ହେଲେ ଜାହାଜ ଚଳାଚଳରେ ବାଧକ ସୃଷ୍ଟି ହେବ ବୋଲି ଆରୋପ କରି ନିର୍ମାଣ ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ଏପରିକି ପ୍ରକୃତି ବି ଦାଉ ସାଜିଥିଲା ନିର୍ମାଣାଧୀନ ଖମ୍ବ ନଦୀ ମଧ୍ୟରେ ଭୁଷୁଡି ପଡିଥିଲା । ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ ଗତକାଲି ଘଟଣାସ୍ଥଳକୁ ଯାଇ ସେତୁ ନିର୍ମାଣ ଉପରେ ସମୀକ୍ଷା କରିଛନ୍ତି । ନଦୀରେ ବୁଲିଛନ୍ତି, ଖମ୍ବ ଦେଖିଛନ୍ତି ଏବଂ ଆପ୍ରୋଚ ରୋଡ କାର୍ଯ୍ୟ କେତେ ଦିନରେ ଶେଷ ହେବ ତାହାର ବି ସମୀକ୍ଷା କରିଛନ୍ତି ।
ନଦୀ ଭିତରେ ଥିବା ୩ ଟି ସ୍ପାନ ନିର୍ମାଣ ସରିଛି ଏବେ ଏହି ସ୍ପାନ ଉପରେ ଗାଢର ଲଞ୍ଚିଂ ହେଉଛି । ରାଜ୍ୟ ସରକାରଙ୍କ ଟେଣ୍ଡରରେ ଏହି ସ୍ଥାନରେ ଠିକାଦାର ସାହାସ କରିପାରିଲେ ନାହିଁ ଏହି ପୋଲ ନିର୍ମାଣ କରିବାକୁ । ଶେଷରେ ଟର୍ଣ୍ଣ କି ପଦ୍ଧତିକୁ ଆପଣେଇଲେ ସରକାର । ଟର୍ଣ୍ଣ କି ପଦ୍ଧତିରେ ବାହାର ରାଜ୍ୟର ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ଏହି ନଦୀ ପୋଲ ନିର୍ମାଣ ପାଇଁ ୨୦୧୪ ରୁ ଚୁକ୍ତିନାମା କରିଥିଲେ ମଧ୍ୟ ଭାରତ ସରକାରଙ୍କ ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା ରୋକ ଲଗାଇ ଦେଇଥିଲା । ଏହି ନଦୀରେ ପୋଲ ନିର୍ମାଣ ପାଇଁ ୧୯ କୋଟି ୯୨ ଲକ୍ଷ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିଲା । ଭାରତ ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାର ଅଧିକାରୀମାନେ ଏହି ସ୍ଥାନ ସର୍ଭେ କରି ଅଙ୍କୁଶ ଲଗାଇ ଥିଲେ ବ୍ରିଜ ନିର୍ମାଣ ଉପରେ । ଟେଣ୍ଡର ବେଳେ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୯ କୋଟି ୯୨ ଲକ୍ଷ ଟଙ୍କା ଅର୍ଥ ବରାଦ ହୋଇ ୧୧୨ ମିଟର ଲମ୍ବର ପୋଲ ନିର୍ମାଣ କରିବାକୁ ଯେଉଁ ଫାଇଲ ପ୍ରସ୍ତୁତୁ ହୋଇଥିଲା ତାହା ତଦାରଖ ବେଳେ ତ୍ରୁଟି ଦେଖା ଯାଇଥିଲା ।
ନଦୀ ଉପରେ ୩ ଟି ସ୍ପାନ୍ ନିର୍ମାଣ ହେଉଛି । ପ୍ରତି ସ୍ପାନ୍ର ଦୂରତା ୩୭ ମିଟର ରହୁଥିବାରୁ ନଦୀ ସଂଯୋଗୀକରଣ ଯୋଜନାରେ ଏହା ପ୍ରତିବନ୍ଧକ ହେବ ବୋଲି ଅଧିକାରୀମାନେ ରିପୋର୍ଟ ଦେଇଥିଲେ । ତେଣୁ ୩ ବର୍ଷ ଧରି ଏହି ବ୍ରିଜ ନିର୍ମାଣ ଅଟକି ଗଲା । ଏହା ମଧ୍ୟରେ ୨ କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲା ବ୍ରିଜ ନିର୍ମାଣ କମ୍ପାନୀ । ଖାଲି ସେତିକି ନୁହଁ – ବ୍ରିଜ ନିର୍ମାଣ ବେଳେ ନଦୀ ଭିତରେ ନିର୍ମାଣଧୀନ ଗୋଟିଏ ସ୍ପାନ୍ ଭୁଷୁଡି ମଧ୍ୟ ପଡିଥିଲା । ଶେଷରେ ପରିବର୍ଦ୍ଧିତ ମୂଲ୍ୟ ବୃଦ୍ଧିକୁ ଲକ୍ଷ୍ୟ କରି ଏହି ବ୍ରିଜ ନିର୍ମାଣର ବଜେଟ ୨୩ କୋଟିକୁ ବୃଦ୍ଧି ପାଇଛି । ଖାଲି ସେତିକି ନୁହଁ – ସମ୍ପୂର୍ଣ୍ଣ ପୋଲର ଲମ୍ବ ୧୫୧ ମିଟରକୁ ଛୁଇଁଛି । ନଦୀ ସଂଯୋଗୀକରଣ ଯୋଜନାରେ ନଦୀ ମଧ୍ୟରେ ଯେଉଁ ଛୋଟ ଛୋଟ ଜାହାଜ ଚାଲିବ ତାହା ପାଇଁ ନଦୀ ମଧ୍ୟରେ ୩୮.୩୪ ମିଟର ଗଭୀରତା ସ୍ଥାନରେ ଏହି ୪୯.୪୫ ମିଟର ସ୍ପାନ ଓସାର ସ୍ଥାନ ରହିଛି । ଯେଉଁ ରାସ୍ତାରେ ଛୋଟ ଛୋଟ ଜାହାଜ ଯାତାୟତ କରିପାରିବ । ଖାଲି ସେତିକି ନୁହଁ – ୧୫୦ ମିଟର ଲମ୍ବକୁ ଏହି ପୋଲ ନିର୍ମାଣ ବୃଦ୍ଧି ପାଇବା ପରେ ବାଁଶଡା ଓ ଯଶୀପୁର ଆଡକୁ ନଦୀର ଦୁଇ କୂଳରେ ଦୁଇଟି ବକ୍ସ କଲଭର୍ଟ ରହିବ । ଏହି ବକ୍ସ କଲଭର୍ଟ ଦେଇ ·ଷୀଙ୍କ ହଳ ବଳଦ ବିଲକୁ ଯିବା ସହ ଛୋଟ ଛୋଟ ଯାନ ବି ଯାତାୟାତ କରିପାରିବା ଭଳି ବ୍ୟବସ୍ଥା ପାଇଁ କଲଭର୍ଟର ଉଚ୍ଚତା ରହିବ । ସେତୁ ନିର୍ମାଣ ଶେଷ ହେଲେ ବାକି ରହିଲା ଜିଲ୍ଲା ପୂର୍ତ୍ତବିଭାଗ ହାତରେ ଆପ୍ରୋଚ ରୋଡ ନିର୍ମାଣ । ନଦୀର ଦୁଇ କୂଳରେ ଆପ୍ରୋଚ ରୋଡ ନିର୍ମାଣ ପାଇଁ ଦୁଇମାସ ସମୟ ଲାଗିବ ବୋଲି ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com